ରୋଜଗାର ଅପେକ୍ଷାରେ ଲକ୍ଷାଧିକ ପ୍ରବାସୀ : ହାତ ଗଣତିଙ୍କୁ ମିଳିଛି ‘ମନରେଗା’ କାମ

ବଲାଙ୍ଗିର : ଦାଦନ ପ୍ରବଣ ବଲାଙ୍ଗିର ଜିଲାକୁ ଲକ୍ଷାଧିକ ପ୍ରବାସୀ ଫେରିଲେଣି। ଅଧିକାଂଶ ଦାଦନ ଶ୍ରମିକ ଇଟା ଗଢି ଯାଇଥିବା ବେଳେ ଏବେ ଗଁାକୁ ଫେରିବା ପରେ ସେମାନେ ବେରୋଜଗାର। ସେମାନଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜରିଆରେ କାମ ଯୋଗାଇ ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ବଲାଙ୍ଗିର ଜିଲାରେ କେତେ ପ୍ରବାସୀ କାମ ପାଇଲେଣି ତାର ସଠିକ୍‍ ତଥ୍ୟ ଦେବାରେ ପଛଘୁଞ୍ଚା ଦେଉଛି ବଲାଙ୍ଗିର ଜିଲା ପ୍ରଶାସନ। ଏସଂପର୍କିତ ତଥ୍ୟ ନଥିବା ଡିଆର୍‍ଡିଏ ପକ୍ଷରୁ କୁହାଯାଉଛି। ତେବେ ‘ସମାଜ’କୁ ମିଳିଥିବା ତଥ୍ୟ ଅନୁସାରେ ବହୁତ କମ୍‍ ପ୍ରବାସୀ ମନରେଗାରେ କାମ ପାଇଛନ୍ତି। ସରକାରଙ୍କ ଘୋଷଣା ଓ ତୃଣମୂଳସ୍ତରରେ ଏହାର ପରିଚାଳନା ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି।
ବଲାଙ୍ଗିର ଜିଲାର ବଲାଙ୍ଗିର ସଦର ବ୍ଲକରେ ୬୯ଜଣ ପ୍ରବାସୀଙ୍କ ପାଖରେ ଜବ୍‍କାର୍ଡ ରହିଛି। ନୂଆ ଜବକାର୍ଡ କାହାରିକୁ ଦିଆଯାଇ ନାହିଁ। ଜ​‌େ​‌ଣ ବି ପ୍ରବାସୀଙ୍କୁ ଏପର୍ଯ୍ୟନ୍ତ କାମ ଦିଆଯାଇ ନାହିଁ। ପୁଇଁନ୍ତଲା ବ୍ଲକରେ ଜଣଙ୍କର କାର୍ଡ ଥିବା ବେଳେ ସେ ବି କାମ ପାଇନାହାନ୍ତି। ଦେଓଗାଁ ବ୍ଲକରେ ୨୧୫ଜଣଙ୍କ ମଧ୍ୟରୁ ଅନେକେ ପୂର୍ବରୁ ଜବ କାର୍ଡ ରଖିଥିବା ବେଳେ କିଛି ନୂଆ ଜବ୍‍ କାର୍ଡ କରାଯାଇଛି। କିନ୍ତୁ ଏହି ବ୍ଲକରେ ବି ଜଣଙ୍କୁ କାମ ଦିଆଯାଇ ନାହିଁ। ଆଗଲପୁର ବ୍ଲକରେ ୧୮୮ଜଣ ପୁରୁଣା ଜବ୍‍ କାର୍ଡଧାରୀ ରହିଛନ୍ତି। କାମ କିଛି ଲୋକ ପାଇଥିବା ବେଳେ ଦାଦନ ପ୍ରବଣ ବଙ୍ଗୋମୁଣ୍ଡା ବ୍ଲକରେ ପ୍ରବାସୀଙ୍କ ମଧ୍ୟରୁ କାହାରିକୁ ଏପର୍ଯ୍ୟନ୍ତ କାମ ମିଳି ନାହିଁ। ତୁରେକେଲା ବ୍ଲକରେ ମଧ୍ୟ ସମାନ ଅବସ୍ଥା ଏହି ବ୍ଲକରେ ବି କାହାରିକୁ କାମ ମିଳି ନାହିଁ। ସଇଁନ୍ତଲା ବ୍ଲକରେ ୯୭ଜଣଙ୍କ ମଧ୍ୟରୁ କେହି ବି କାମ କରିନାହାନ୍ତି। ତେବେ ପାଟଣାଗଡ ବ୍ଲକରେ ୧୦ଜଣ ପ୍ରବାସୀଙ୍କ ୮ଜଣଙ୍କୁ କାମ ଦିଆଯାଇଥିବା ଦାବି କରାଯାଉଛି। କେନ୍ଦୁମୁଣ୍ଡି ପଞ୍ଚାୟତର ତୁଲସୀଡୁଙ୍ଗରୀ ଓ ଡଙ୍ଗାବାହାଲ ପଞ୍ଚାୟତର ଦମକିପାଲିର ୮ପ୍ରବାସୀ (ପୁରୁଣା ଜବ୍‍ କାର୍ଡଧାରୀ) ୮ ଦିନରୁ ୪୨ଦିନ ଯାଏ କାମ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଟିଟିଲାଗଡ ବ୍ଲକରେ ୧୩ଜଣଙ୍କ ମଧ୍ୟରୁ ବିଜେପୁର ପଞ୍ଚାୟତର ୨ଜଣ ନୂଆ ଜବ୍‍ କାର୍ଡଧାରୀ ୧୨ରୁ ୪୨ ଦିନ କାମ କରିଛନ୍ତି। ମୁରିବାହାଲ ବ୍ଲକରେ ୧୮ଜଣ ପ୍ରବାସୀଙ୍କୁ କାମ ଦିଆଯାଇଛି ମନରେଗା ଜରିଆରେ। ଲୋଇସିଂହା ବ୍ଲକରେ ୫୪ଜଣଙ୍କ ମଧ୍ୟରୁ ତଲିଉଡାର, ସରଗାଡ, ଯୋଗିସୁର୍ଡା, ହୀରାପୁର, ବାଦିମୁଣ୍ଡା ଓ ବାଦିବାହାଲର ୪୯ ପ୍ରବାସୀ ୬ରୁ ୧୨ ଦିନ କାମ କରିଛନ୍ତି। ଖପ୍ରାଖୋଲ ବ୍ଲକରେ ୧୯୫ପ୍ରବାସୀଙ୍କ ମଧ୍ୟରୁ ଚଙ୍ଗରିଆ ଓ ବାଘମୁଡରେ ୨ ଦିନରୁ ୬୦ ଦିନ ଯାଏ ମାତ୍ର ୧୫ ପ୍ରବାସୀ କାମ କରିଛନ୍ତି। ଏଥିସହିତ ବେଲପଡ଼ା ବ୍ଲକରେ ୪୧ପ୍ରବାସୀଙ୍କ ମଧ୍ୟରୁ ୨୯ ନୂଆ ଜବ୍‍ କାର୍ଡ କରାଯାଇଛି। ଜଣଙ୍କୁ ଛାଡିଦେଲେ ଅନ୍ୟମାନେ ୫ରୁ ୨୪ ଦିନ ଯାଏ କାମ କରିଛନ୍ତି। ଆଉ ଗୁଡଭେଲା ବ୍ଲକର ସମରା, ଚିଞ୍ଚଡ, ଜାମୁଟ, ଗମ୍ଭାରୀଗୁଡା, ବଡଗୋମୁଣ୍ଡା, ତେତେଲଖୁଣ୍ଟି ପଞ୍ଚାୟତର ୨୫୫ ପ୍ରବାସୀଙ୍କ ମଧ୍ୟରୁ ବଡଗୋମୁଣ୍ଡା ସରଗାଡର ସୁମନ୍ତ ପ୍ରଧାନ ୪୮ ଦିନ ଓ ଡଙ୍ଗାପଥରର ସଞ୍ଜୁ ସାହୁ ୧୨ ଦିନ କାମ କରିଛନ୍ତି।
ବଲାଙ୍ଗିର ଜିଲାକୁ ପ୍ରାୟ ୧ଲକ୍ଷ ୪ହଜାର ପ୍ରବାସୀ ଫେରି ସାରିଛନ୍ତି। ୨ହଜାରରୁ ୨୫ଶହ ମଧ୍ୟରେ ପ୍ରବାସୀ ସଙ୍ଗରୋଧରେ ଥିବା ବେଳେ ବହୁ ପ୍ରବାସୀ ସଙ୍ଗରୋଧ ଅବଧି ସାରି ଘରକୁ ଫେରିଲେଣି। ସରକାରୀ ଘୋଷଣା ଅନୁସାରେ ପ୍ରାୟ ୯୬ହଜାର ପ୍ରବାସୀଙ୍କୁ ୨ହଜାର ଟଙ୍କା ସହାୟତା ଦିଆଯାଇଛି। ତେବେ କାମ ହରାଇ ଓ ରୋଜଗାର ନ ପାଇ ଅନେକ ପ୍ରବାସୀଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲାଣି। ଆଉ ଦାଦନ ମୂଲକରେ ମନରେଗା ନେଇ ସରକାରଙ୍କ ଭାଷଣ, ଘୋଷଣା ଓ ସରକାରୀ ତଥ୍ୟ ମଧ୍ୟରେ ଥିବା ଫରକ ଜଳଜଳ କରି ଦିଶୁଛି।

Comments are closed.