ବିଜେପି କର୍ମୀଙ୍କୁ ହତ୍ୟା

ମନମୁଣ୍ଡା : ବୌଦ୍ଧ ଜିଲା କଣ୍ଟାମାଳ ଥାନା ଆମ୍ବଗାଁ ନିକଟ ନାଳ ପାଖରୁ ଖମନମୁଣ୍ଡା ପଞ୍ଚାୟତ ସିଆଲଝୁଲିର ବିଜେପି କର୍ମୀ ଲୋକନାଥ ପ୍ରଧାନ (୩୨)ଙ୍କ କ୍ଷତାକ୍ତ ମୃତଦେହ ପୁଲିସ ଉଦ୍ଧାର କରିଛି। ଲୋକନାଥଙ୍କ ବେକ ଓ ହାତରେ ଧାରୁଆ ଅସ୍ତ୍ରରେ ହଣାଯାଇଛି। ଏହା ଏକ ସୁପରିକଳ୍ପିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି। ଲୋକନାଥ ରାତି ପ୍ରାୟ ୯ଟାରେ ଏକ ଫୋନ୍‌ କଲ୍‌ ପାଇ ବାଇକ୍‌ ଧରି ଘରୁ ଯାଇଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନଥିଲେ। ତାଙ୍କ ପତ୍ନୀ ଫୋନ୍‌ରେ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସକାଳେ ଖୋଜାଖୋଜି କରିବାରୁ ଲୋକନାଥଙ୍କ ମୃତଦେହ ନାଳ ପାଖରୁ ମିଳିଥିଲା। ଲୋକନାଥଙ୍କ ବାଇକ୍‌ ଘଟଣାସ୍ଥଳଠାରୁ ପ୍ରାୟ ୨ କିଲୋମିଟର ଦୂରରେ ରହିଥିଲା। ଚପଲ ପ୍ରାୟ ୫୦ ମିଟର ଦୂରରେ ଏବଂ ମୋବାଇଲ୍‌ ମୃତଦେହ ପାଖରେ ପଡ଼ିଥିଲା। ହତ୍ୟା ପୂର୍ବରୁ ଧସ୍ତାଧସ୍ତି ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜାଣିବାକୁ ମିଳୁଛି। ତେବେ ​‌ଲୋକନାଥଙ୍କର କାହା ସହିତ କିଛି ଶତ୍ରୁତା ନଥିଲା ବୋଲି ପରିବାର ଲୋକେ କହିଛନ୍ତି। ଏହି ହତ୍ୟାକାଣ୍ଡ ରାଜନୈତିକ କାରଣରୁ ହୋଇଥାଇ ପାରେ ବୋଲି ଆଲୋଚନା ହେଉଛି।

ଫୋନ୍‌ କଲ୍‌ ଟ୍ରାକିଂରୁ ହତ୍ୟାକାଣ୍ଡର ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଲୋକନାଥଙ୍କ ମାଆ ନାହାନ୍ତି, ବାପା ବୃଦ୍ଧ ଓ ରୋଗାକ୍ରାନ୍ତ। ତାଙ୍କର ପତ୍ନୀ ଓ ଦୁଇ ପୁଅ (୩ ଓ ୫ ବର୍ଷ) ଅଛନ୍ତି।​‌ ଲୋକନାଥ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି।  ତାଙ୍କ ମୃତ୍ୟୁରେ ବିଜେପି କର୍ମୀ ମହଲ ଓ ଜଣାଶୁଣା ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Comments are closed.