‘ମନ ମୋର କାଗଜ ଗୁଡି’ର ଶୁଭମହୁରତ୍

ଭୁବନେଶ୍ବର: ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ନିବେଦିତ ଓଡିଆ ଚଳଚ୍ଚିତ୍ର ‘ମନ ମୋର କାଗଜଗୁଡି’ର ମହୁରତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନିକୋପାର୍କ ନିକଟସ୍ଥ ସୁନାଦେଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ସହିତ ଟାଇଟଲ୍ ଉନ୍ମୋଚିତ କରିଥିଲେ।

ରାକେଶ ଓ ଭୂମିକାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦେଶକ ଦେବଜ୍ୟାତି ପାତ୍ର (ଦୀପୁ) । ଯଦିଓ ନିର୍ଦେଶକ ଭାବେ ଏହା ତାଙ୍କର ପ୍ରଥମ ସିନେମା ହେବ ତେବେ ଷାଠିଏରୁ ଅଧିକ ସିନେମାର ସେ ମୁଖ୍ୟ ସହଯୋଗୀ ନିର୍ଦେଶକ ଭାବେ କାମ କରିସାରିଛନ୍ତି। ନାୟକ ନାୟିକା ଭାବେ ନଜର ଆସିବେ ୟଙ୍ଗ୍ ସେନ୍ସେସନ ରାକେଶ ଓ ଭୂମିକା। ରାକେଶ ଓ ଭୂମିକା ଯୋଡିର ଏହା ପ୍ରଥମ ଚଳଚ୍ଚିତ୍ର। ଅନ୍ୟାନ୍ୟ ଭୂମିକାରେ ପ୍ରୀତିରାଜ ଶତପଥୀ, ଐଶ୍ୱର୍ଯ୍ୟା ବେହେରା, ମମତା ଦାଶ, ବୀରେନ୍ ମିଶ୍ର, ଗୁଡୁ, ଜ୍ଞାନ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଯୁବ ଉଦ୍ୟୋଗୀ ଶିବିର ପରିଡା ଓ ଲକ୍ଷ୍ମୀପ୍ରିୟା ପରିଡାଙ୍କ ପ୍ରଯୋଜନାରେ ନିର୍ମିତ ‘ମନ ମୋର କାଗଜ ଗୁଡି’ର ସହ ପ୍ରଯୋଜକ ଅଛନ୍ତି ବିବେକାନନ୍ଦ ବାରିକ ଓ ପାର୍ବତୀ ବାରିକ। ସଙ୍ଗୀତ
ଦେଇଛନ୍ତି ଜାପାନୀ ଭାଇ। ଗୀତରଚନା କରିଛନ୍ତି ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ। ଦିବ୍ୟସିଂହ ରାୟଙ୍କ ରଚିତ କାହାଣୀରେ ସଂଳାପ ଦେଇଛନ୍ତି ମାନସ ପଢିଆରୀ। ସୋମିଓ ସିନେମାଟୋଗ୍ରାଫର ଥିବାବେଳେ ମୁଖ୍ୟ ସହକାରୀ ନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକ ଅଛନ୍ତି ସ୍ୱାଗତ ପାତ୍ର ଏବଂ ଜୁନିୟର ସିଦ୍ଧାନ୍ତ। ମେକ୍ ଅପ୍ରେ ରାଜୁ, କେଶବିନ୍ନ୍ୟାସରେ ତୁଳସୀ ଓ କଳାରେ ନବଘନ ଦଳେଇ ଥିବାବେଳେ ବ୍ୟବସ୍ଥାପନାରେ ଅଛନ୍ତି ସର୍ବେଶ୍ୱର ସୂତାର। ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ‘ବେଷ୍ଟ ଆଇଡିଆଜ୍’।

‘ମନ ମୋର କାଗଜ ଗୁଡି’ ଶୀର୍ଷକରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଧରଣର। ଓଡିଆ ଚଳଚ୍ଚିତ୍ରର ଶୀର୍ଷକରେ ଇଂରାଜୀ ଓ ହିନ୍ଦୀ ଶବ୍ଦର ବ୍ୟବହାରକୁ ନେଇ ଦର୍ଶକ ଓ ସମାଲୋଚକମାନେ ପ୍ରଶ୍ନ ଉଠାଇ ଆସିଛନ୍ତି। ସେ ଦୃଷ୍ଟିରୁ ଏହାର ଶୀର୍ଷକ ନିଆରା। ଏହା ଏମିତି ଏକ ଶୀର୍ଷକ ଯେଉଁଥିରେ ଓଡିଆତ୍ୱ ରହିଛି, ରହିଛି ଆପଣାପଣ। ଯେମିତି ମିଠା ସେମିତି ମନଛୁଅାଁ। ଶୀର୍ଷକରୁ ହିଁ ଦର୍ଶକ ଅନୁମାନ କରିପାରିବେ ଯେ ଏହା ଏକ ମୌଳିକ କାହାଣୀ। କୌଣସି ସିନେମାର କପି ନୁହେଁ କି ଏଥିରେ କୌଣସି ସିନେମାର ଛାପ ନାହିଁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାମ୍ପ୍ରତିକ ସମସ୍ୟା ଉପରେ ଏହା ଆଧାରିତ। ବିଭିନ୍ନ ପ୍ରକାର ଚାପର ଶିକାର ହୋଇ ଯୁବ ପିଢି କିପରି ଅବାଟରେ ପାଦ ରଖୁଛନ୍ତି ଓ ନିଶା କବଳରେ କବଳିତ ହେଉଛନ୍ତି, ତାର ନଜିର ରହିଛି ଏଥିରେ। ବାଟବଣା ଯୁବ ବର୍ଗଙ୍କୁ ବାଟକୁ ଆଣିବାକୁ ସୁମିତ୍ରା ଏଂଟରଟେନ୍ ମେଣ୍ଟର ଏ ପ୍ରୟାସ। କାହାଣୀରେ ମନୋରଞ୍ଜନର ଭରପୂର ମସଲା ରହିଛି। ସବୁ ବର୍ଗର ଦର୍ଶକଙ୍କୁ ଏହା ପସନ୍ଦ ଆସିବ। ଏହା ଏକ ବ୍ୟୟବହୁଳ ଛବି ହୋଇଥିବା ବେଳେ ଗୀତଗୁଡିକ ବାହାର ଲୋକେସନରେ ସୁଟିଂ କରାଯିବାର ଯୋଜନା ରହିଛି।

ସିନେମା ପାଇଁ କେବଳ ସିନେମା ନୁହେଁ। କରୋନା ଯୋଗୁ ଠପ୍ହୋ ଇଯାଇଛି ସିନେମା ଶିଳ୍ପ। କଳାକାର ଓ ଟେକ୍ନିସିଆନଙ୍କ ହାତରେ ପ୍ରାୟତଃ କାମ ନାହିଁ। ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସମସ୍ତେ। ଏଣୁ ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ କଳାକାର ଓ ଟେକ୍ନିସିଆନ୍‌ମାନଙ୍କୁ କାମ ଯୋଗାଇଦେବା ଉଦେଶ୍ୟ ନେଇ ଏହି ଚଳଚ୍ଚିତ୍ରର ଯୋଜନା କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ପ୍ରଯୋଜକ ଶିବିର କୁମାର ପରିଡା। ମହୁରତ ଉତ୍ସବରେ ଏହାର ସମସ୍ତ କଳାକାର ଓ ଟେକ୍ନିସିଆନଙ୍କ ସମେତ ଓଲିଉଡର ସହ ସମ୍ପୃକ୍ତ ବହୁ ନାମୀଦାମୀ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ନଭେମ୍ବର ୧୩ ତାରିଖରେ ‘ମନମୋର କାଗଜଗୁଡି’ ଫ୍ଲୋରକୁ ଆସିବ ବୋଲି ସୂଚନା ଦିଆଯାଇଛି।

Comments are closed.