ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା, ପୁଣି ଜଣେ ପାଗଳ ଦେହରେ ପିପିଇ ସୁଟ୍‍

ଫୁଲବାଣୀ: ରାଇକିଆ ସ୍ୱାସ୍ଥ୍ୟ ବିଭାଗର କୋଭିଡ଼୍‍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଆଜି ପୁଣି ଜଣେ ମାକସିକ ବିକୃତ ବ୍ୟକ୍ତି ବ୍ୟବହୃତ ପିପିଇ ସୁଟ୍‍ ପିନ୍ଧି ବିଭିନ୍ନ ସ୍ଥାନ ବୁଲୁଥିବାର ଦେଖାଯାଇଛି। ମହାମାରୀ କରୋନା ମୁକାବିଲାରେ ବ୍ୟବହାର କରାଯାଉଥିବା କିଟ୍‍କୁ ବ୍ୟବହାର ପରେ ତାକୁ ନଷ୍ଟ କରିଦେବାକୁ ନିର୍ଦ୍ଦେଶ ରହିଛି। କାରଣ ପିପିଇ କରୋନା ସଂକ୍ରମିତ କିମ୍ବା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସିଥିବାରୁ ସେଥିରୁ ସଂକ୍ରମଣ ହେବାର ସମ୍ବାବନା ଥାଏ।ତେବେ ଏହାକୁ ବ୍ୟବହାର କରୁଥିବା ଅନେକ କର୍ମଚାରୀ ତାକୁ ନଷ୍ଟ ନ କରି ଏଣେ ତେଣେ ଫୋପାଡି ଦେଉଥିବାର ବାରମ୍ବାର ଅଭିଯୋଗ ହେଇ ଆସୁଛି।

ଗତ ସପ୍ତାହରେ ରାଇକିଆ ଅଂଚଳରେ ଜଣେ ମାନସିକ ବିକୃତ ବ୍ୟକ୍ତି ବ୍ୟବହୃତ ହୋଇଥିବା ପିପିଇ ସୁଟ୍‍କୁ ରେନକୋଟ ଭାବି ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିଲା। ସେତେବେଳେ ଖବର ପାଇ ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତାମାନେ ଉକ୍ତ ବ୍ୟକ୍ତିଙ୍କ ଦେହରୁ ତାହାକୁ ବାହାର କରି ପୋଡିି ନଷ୍ଟ କରିଥିଲେ। ଆଜି ପୁଣି ଆଉ ଜଣେ ମାନସିକ ବିକୃତ ବ୍ୟକ୍ତି ପିପିଇ ପିନ୍ଧି ରାଇକିଆ ବଜାରରେ ବୁଲୁଥିବା ଦେଖି ଲୋକେ ଭୟଭିତ ହୋଇ ପଡିଥିଲେ। ତେବେ କିଛି ସଚେତନ ନାଗରିକ ଉକ୍ତ ବ୍ୟକ୍ତିଙ୍କ ଦେହରୁ କୌଶଳରେ ପିପିଇ କିଟ୍‍ ବାହାର କରି ତାକୁ ନଷ୍ଟ କରିଥିବାର ଜଣାଯାଇଛି। ଗତକାଲି ଖୋଦ୍‍ ଫୁଲବାଣୀ ସହରର ନାରାୟଣୀ ମନ୍ଦିର ରାସ୍ତାରେ ବ୍ୟବହୃତ ପିପିଇ ପଡିଥିବା ବେଳେ କିଛି ଦିନ ତଳେ ଶଙ୍କରାଖୋଲ, ଖଜୁରିପଡା, କୋଟଗଡ ଅଂଚଳରେ ମଧ୍ୟ ବାହାରେ ପିପିଇ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସେହି ସବୁ ଅଂଚଳରେ ଉତେଜନା ମଧ୍ୟ ପ୍ରକାଶ ପାଇଥିଲା। ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢୁଥିବା ବେଳେ କୋଭିଡ୍‍ ମୁକାବିଲାରେ ସାମିଲ ଥିବା କର୍ମଚାରୀଙ୍କ ଏଭଳି ଖାମଖିଆଲି କାର୍ଯ୍ୟ ଯୋଗୁଁ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏଭଳି ଖାମଖିଆଲି କାର୍ଯ୍ୟ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ଦାବି ହେଇଛି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ପିପିଇ କିଟ୍‍ ପିନ୍ଧିବାର ତାଲିମ୍‍ ଦିଆଯାଇଥିଲେ ମଧ୍ୟ ତାହାକୁ ନଷ୍ଟ କରିବାର ତାଲିମ୍‍ ଦିଆଯାଇନଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ମଧ୍ୟ ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗର ଉପରିସ୍ଥ ଅଧିକାରୀ ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡ଼ିଛି।

Comments are closed.