ଉଚ୍ଚଶିକ୍ଷା ଲାଗି ଭିନ୍ନକ୍ଷମ ପ୍ରମାଣପତ୍ର ଲୋଡ଼ିଲେ ଯୁବକ; ସ୍ବାସ୍ଥ୍ୟ ବିଭାଗ ଦେଲା ’ପାଗଳ’ ସାର୍ଟିଫିକେଟ୍

ଉଚ୍ଚଶିକ୍ଷା ନିମନ୍ତେ ଜଣେ ଦିବ୍ୟାଙ୍ଗ ଯୁବକ ସରକାରଙ୍କ ନିକଟରେ ଆବେଦନ କଲେ । ଏଇଥିପାଇଁ ଯେ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ମିଳୁ, ଯାହା ଫଳରେ ସେ ଆଇଟିଆଇରେ ନାମ ଲେଖାଇ ପାରିବେ । ମାତ୍ର ବିଡ଼ମ୍ବନା ହେଉଛି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ପ୍ରମାଣପତ୍ର ତ ମିଳିଲା, ମାତ୍ର ସେଥିରେ ସେ ଦିବ୍ୟାଙ୍ଗ ନ ଥିଲେ, ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ପାଗଳ ପ୍ରମାଣପତ୍ର ଦେଇଥିଲା । ପରିଣତିରେ ଏଇଆ ହେଲା ଯେ ତାଙ୍କୁ ନାଁ ଆଇଟିଆଇରେ ନାମ ଲେଖା ମିଳିଲା, ନା ଭିନ୍ନକ୍ଷମ ଭତ୍ତା ।

ଉତ୍ତରପ୍ରଦେଶ ସିଭିଲ୍ ଲାଇନ୍ସ ଥାନା ଅଞ୍ଚଳରେ ଜର୍ଜ ଓରଫ ଜନି ନାମକ ଜଣେ ଯୁବକ ଜନ୍ମରୁ ଭିନ୍ନକ୍ଷମ । ତାଙ୍କର ଗୋଟିଏ ଗୋଡ଼ ଏକପ୍ରକାର ଅଚଳ । ଦିବ୍ୟାଙ୍ଗ ହେବା ସତ୍ବେ ସେ ନିଜ ବାପା-ମାଙ୍କ ସହାୟତାରେ ପାଠ ପଢ଼ା ଜାରି ରଖିଥିଲେ ଓ ଇଣ୍ଟରମିଡ଼ିଏଟ୍ ପରୀକ୍ଷା ପାସ୍ କଲେ । ଦିବ୍ୟାଙ୍ଗ କୋଟାରେ ଚାକିରି ନିମନ୍ତେ ସେ ଇଞ୍ଜିନିଅରିଂ ପଢ଼ିବାକୁ ଇଚ୍ଛା କଲେ ଓ ନାମଲେଖାଇବା ପାଇଁ ଆବେଦନ କଲେ । ସେତେବେଳେ ତାଙ୍କୁ କଲେଜ ପକ୍ଷରୁ ଦିବ୍ୟାଙ୍ଗ ସାର୍ଟିଫିକେଟ ମଗାଗଲା । ଜନି ସ୍ବାସ୍ଥ୍ୟ ବିଭାଗ ନିକଟରେ ଏଥିପାଇଁ ଆବେଦନ କଲେ । ବିଭାଗ ପକ୍ଷରୁ ଯାଞ୍ଚ ବୋର୍ଡ଼ର ସାମ୍ନା କଲେ । ବୋର୍ଡ଼ ପକ୍ଷରୁ ତାଙ୍କ ପାଖକୁ ପ୍ରମାଣପତ୍ର ପଠାଇ ଦିଆଯିବ ବୋଲି କୁହାଗଲା । କିଛିଦିନ ପରେ ଯେତେବେଳେ ତାଙ୍କ ପାଖକୁ ପ୍ରମାଣପତ୍ର ଆସିଲା ତାହାକୁ ଦେଖି ଜନି ତାଜୁବ୍ ହୋଇଗଲେ । ସେଥିରେ ତାଙ୍କୁ ଭିନ୍ନକ୍ଷମ ପରିବର୍ତ୍ତେ ପାଗଳ ବୋଲି ସ୍ବାସ୍ଥ୍ୟ ବିଭାଗ ଉଲ୍ଲେଖ କରିଥିଲେ ।

 

ଏ କଥା ଜଣା ପଡ଼ିବା ପରେ ଯେଉଁ ଇଞ୍ଜିନିଅରିଂ କଲେଜରେ ନାମ ଲେଖାଇବା ପାଇଁ ସେ ଆବେଦନ କରିଥିଲେ ତାହା ଖାରଜ ହୋଇଗଲା । ତାଙ୍କୁ ନାମ ଲେଖାଇବାକୁ ସୁଯୋଗ ମିଳିଲା ନାହିଁ  । ଏହାପରେ ଜନି ମୁରାଦାବାଦର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ । ସ୍ବାସ୍ଥ୍ୟ ବିଭାଗ ନିଜର ତ୍ରୁଟି ସୁଧାରି ନୂଆ ସାର୍ଟିଫିକେଟ୍ ଦେବାକୁ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ମାତ୍ର କଲେଜରେ ନାମଲେଖା ସରି ଯାଇଥିବାରୁ ଜନି ଏ ବର୍ଷ ଆଉ ନାମ ଲେଖାଇବାର ସମ୍ଭାବନା ନାହିଁ । ସ୍ବାସ୍ଥ୍ୟ ବିଭାଗର ତ୍ରୁଟି ଯୋଗୁଁ ଜଣେ ଯୁବକର ଜୀବନ ନଷ୍ଟ ହୋଇଗଲା ।

Comments
Loading...