‘ମନ୍ କି ବାତ୍’ରେ ଆତ୍ମବିଶ୍ବାସ ଓ ସଂକଳ୍ପର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ  

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍ କି ବାତ୍’ ୪୬ତମ ସଂସ୍କରଣରେ ମନର କଥା କହିଛନ୍ତି। କବି ଗୋପାଳ ଦାସ ନୀରଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୋଦି କହିଛନ୍ତି, ଆମ ଦେଶର ପ୍ରିୟ କବି ନୀରଜ କିଛି ଦିନ ପୂର୍ବରୁ ଆମକୁ ଛାଡି ଚାଲିଯାଇଛନ୍ତି। ତାଙ୍କର ଆଶା, ଭରସା, ଦୃଢସଙ୍କଳ୍ପ ଓ ନିଜ ଉପରେ ଆତ୍ମବିଶ୍ବାସ ବାର୍ତ୍ତା ଆମମାନଙ୍କୁ ଆଜି ବି ପ୍ରେରଣା ଦେଉଛି।

କିଛି ଦିନ ପୂର୍ବରୁ ଏକ ପ୍ରାକୃତିକ ଦୁର୍ଦ୍ଦଶାର ଘଟଣା ସାରା ବିଶ୍ବକୁ ଆର୍କଷିତ କରିଥିଲା। ଥାଇଲ୍ୟାଣ୍ଡର ୧୨ଜଣ କିଶୋର ଫୁଟବଲ ଖେଳାଳି ଓ କୋଚ୍ ଭୀଷଣ ବର୍ଷା କାରଣରୁ ଗୁମ୍ପା ମଧ୍ୟରେ ୧୮ ଦିନ ପର୍ଯ୍ୟନ୍ତ ଫସି ରହିଥିଲେ । ସେମାନେ ସେମାନଙ୍କର ଅଦମ୍ୟ ଧୈର୍ଯ୍ୟ, ସାହସ ଓ ଦୃଢ଼ ମନୋବଳ ଯୋଗୁଁ ସେଠାରୁ ଜୀବନ୍ତ ଫେରି ଆସିଛନ୍ତି। ଏହି ଘଟଣା ସମଗ୍ର ବିଶ୍ବକୁ ଚମତ୍କୃତ କରିବା ସହିତ ଏକ ନୂତନ ସନ୍ଦେଶ ଦେଇଛି।

ଏହା ସହ ମୋଦି ଆହୁରି କହିଛନ୍ତି, ଜୁଲାଇ ମାସରେ ଛାତ୍ରଛାତ୍ରୀମାନେ ଏକ ଜୀବନରେ ପାଦ ରଖିଛନ୍ତି। ସେମାନଙ୍କ ମନ ଘରୁ ହଷ୍ଟେଲକୁ ଚାଲିଯାଇଥାଏ। ପରିଜନ ଛାୟାରୁ ମୁକୁଳି ବୃତ୍ତିର ଛାୟାରେ ସଂପୃକ୍ତ ହୋଇଯାଆନ୍ତି। ମୋର ପୁରା ବିଶ୍ବାସ ଯେ ଯୁବମିତ୍ରମାନେ କଲେଜ ଜୀବନର ଆରମ୍ଭକୁ ନେଇ ଅଧିକ ଉତ୍ସାହ ଓ ଖୁସୀ ଥିବେ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ମଧ୍ୟପ୍ରଦେଶର ଅତ୍ୟନ୍ତ ଗରିବ ପରିବାର ଆଶରାମ ଚୌଧୁରୀ ବହୁ ସଂର୍ଘଷ ପରେ ସଫଳତା ହାସଲ କରିଛନ୍ତି।ଦୃଢ଼  ସଂକଳ୍ପ ଯୋଗୁଁ ସେ ଯୋଧପୁର ଏଆଇଆଇଏମଏସ ରେ ଏମବିବିଏସ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ପରିବେଶର ସନ୍ତୁଳନ ଦିଗରେ ଆମର ଦାୟିତ୍ବ, ସମାଜରେ କୁସଂସ୍କାର ବିରୋଧରେ ଲଢ଼ିବାକୁ ସନ୍ଥମାନଙ୍କ ଦିଗ୍‌ଦର୍ଶନ ଆଦି ବିଷୟ ଉପରେ ଗୁରୁତ୍ବଆରୋପ କରିବା ସହ ଅଗଷ୍ଟ ପହିଲାରେ ଲୋକମାନ୍ୟ ତିଳକଙ୍କ ମୃତ୍ୟୁ ବାର୍ଷିକୀ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ପ୍ରତି ମାସର ଶେଷ ରବିବାର ୧୧ଟା ସମୟରେ ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ  କରିବା ସହ ବିଭିନ୍ନ ଘଟଣା ଉପରେ ଆଲୋକପାତ କରନ୍ତି । ଆଜି ୪୬ତମ ‘ମନ୍ କି ବାତ’ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଆହୁରି ଅନେକ ବିଷୟ ଉପରେ ଆଲୋଚନା କରିଛନ୍ତି।

Leave A Reply