ଚର୍ଚ୍ଚାର ବିଷୟ : ୩୦ ବର୍ଷ ସାନ ଯୁବତୀଙ୍କୁ ଧରି ପୂଜକ ଫେରାର

ମନମୁଣ୍ଡା : ପ୍ରେମ ମାନେ ନାହିଁ ବୟସ, ଜାତି, ଗୋତ୍ର। ଏହାର ଉଦାହରଣ ଦେଖିବାକୁ ମିଳିଛି ମନମୁଣ୍ଡା ଥାନା ଶୁଣ୍ଢିପଦର ପଞ୍ଚାୟତ ନଦୀଆନଗର ଗ୍ରାମରେ। ପ୍ରାପ୍ତ ସୂଚନା ମତେ ଉକ୍ତ ଗ୍ରାମର ବସୁଦେବ ପ୍ରଧାନଙ୍କ ଝିଅ ରଞ୍ଜୁ(୨୦) ୭ ତାରିଖ ସନ୍ଧ୍ୟା ସମୟରୁ ଘରୁ ନିଖୋଜ ହୋଇଯାଇଥିଲେ। ସେ ନେଇ ବସୁଦେବ ୯ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଖୋଜାଖୋଜି କରିବାରୁ ଉକ୍ତ ଗ୍ରାମ ଶିବ ମନ୍ଦିରରେ ପୂଜକ ଥିବା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା କାଦୋଦର ଗ୍ରାମର ରାଜେନ୍ଦ୍ର ଦେହୁରୀ (୫୦) ରଞ୍ଜୁକୁ ନେଇ ଯାଇଥିବା ଜାଣିବାକୁ ମିଳିଥିଲା । ରଞ୍ଜୁଙ୍କ ବାପା ଓ ପରିବାରବର୍ଗ ଉଭୟ ରାଜେନ୍ଦ୍ର ଓ ରଞ୍ଜୁକୁ ଥାନାକୁ ଆଣିଥିଲେ । ରାଜେନ୍ଦ୍ର ବିବାହିତ, ତାଙ୍କ ପତ୍ନୀ ସମେତ ୩ ପୁଅ (ବୟସ ଯଥାକ୍ରମେ ୨୮,୨୫ ଓ ୧୮ ବର୍ଷ) ଥିବାବେଳେ ବଡ଼ ପୁଅ ବିବାହିତ । ଏହା ସତ୍ତ୍ୱେ ସେ ରଞ୍ଜୁକୁ ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରିବାକୁ ଜିଦ ଧରିଲେ ଓ ରଞ୍ଜୁ ରାଜେନ୍ଦ୍ରଙ୍କ ସମସ୍ତ କଥା ଜାଣି ସୁଦ୍ଧା ତାଙ୍କୁ ବାହା ହେବାକୁ ରାଜି ହୋଇଥିଲେ। ରଞ୍ଜୁଙ୍କ ପରିବାର ବର୍ଗ ବହୁତ ବୁଝାଇବା ସତ୍ତ୍ୱେ ସେ ମାନି ନ ଥିଲେ। ରଞ୍ଜୁ ସାବାଳିକା ହୋଇଥିବାରୁ ପରିବାରବର୍ଗ ଆଉ କିଛି କରି ପାରି ନ ଥିଲେ। ତେବେ ରାଜେନ୍ଦ୍ର ୧୦ ଦିନ ମଧ୍ୟରେ ରଞ୍ଜୁକୁ ରେଜିଷ୍ଟ୍ରି ବିବାହ କରିବ ବୋଲି ଏକ ରାଜିନାମା ଲେଖିଦେଇଛନ୍ତି । ପ୍ରକାଶ ଥାଉକି ଉଭୟେ ଅଲଗା ଜାତିର ଓ ବୟସ ତାରତମ୍ୟ ୩୦ ବର୍ଷ ରହିଛି । ମନ୍ଦିର ପୂଜକ ରାଜେନ୍ଦ୍ର କୌଣସି ଗୁଣିଗାରେଡ଼ି କରି ରଞ୍ଜୁକୁ ଫସାଇ ଦେଇଥିବା ଝିଅର ପରିବାରବର୍ଗ ଅଭିଯୋଗ କରିଛନ୍ତି । ତେବେ ଏହାକୁ ରାଜେନ୍ଦ୍ର ଅସ୍ବୀକାର କରିଛନ୍ତି। ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଜଣେ ଯୁବତୀକୁ ବିବାହିତ ପୂଜକ ପ୍ରେମ ଜାଲରେ ଫସାଇବା ଘଟଣା ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.