ଅନଲାଇନରେ ଅର୍ଡର କଲେ ସେଓ, ମିଳିଲା ଆପଲ ଆଇଫୋନ୍‌

ଅନ୍‌ଲାଇନ ଠକେଇକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, କିଛି ଲୋକ ଅନଲାଇନରେ ଫୋନ ଅର୍ଡର କରୁଛନ୍ତି, କିନ୍ତୁ ଜିନିଷ ଡେଲିଭରି ସମୟରେ ସେଥିରୁ ବେଳେବେଳେ ପଥର ମିଳେ ତ କେତେବେଳେ ଅନ୍ୟ ଓଜନିଆ ଜିନିଷ ମିଳିଥାଏ। କିନ୍ତୁ ୟୁକେରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ଏକ ସେଓ ଅର୍ଡର କଲେ, କିନ୍ତୁ ଡେଲିଭରି ସମୟରେ ତାଙ୍କୁ ସେଓ ସହିତ ଆପଲ ଆଇଫୋନ ଏସଇ ମିଳିଲା।

ଏକ ଇଂରାଜୀ ଗଣମାଧ୍ୟମ ଅନୁସାରେ, ୟୁକେରେ ରହୁଥିବା ଜଣେ ୫୦ ବର୍ଷୀୟ ବ୍ୟକ୍ତି ନିକ୍‌ ଜେମ୍ସ ଅନ୍‌ଲାଇନ ଗ୍ରୋସରି ୱେବସାଇଟ୍‌ ଟେସ୍କୋରୁ ସେଓ ଅର୍ଡର କରିଥିଲେ। ଏହା ପରେ ନିକ୍‌ ଜିନିଷ ନେବା ପାଇଁ ଘର ନିକଟରେ ଥିବା ଏକ ଷ୍ଟୋରକୁ ଯାଇଥିଲେ। ସେଠାରେ ନିକ୍‌ଙ୍କୁ କୁହାଯାଇଥିଲା ଯେ, ତାଙ୍କ ଦ୍ବାରା ଅର୍ଡର କରାଯାଇଥିବା ଜିନିଷ ସହିତ ଏକ ସର୍‌ପ୍ରାଇଜ ବକ୍ସ ବି ରହିଛି। ନିକ୍‌ ଯେତେବେଳେ ସେହି ସର୍‌ପ୍ରାଇଜ ବକ୍ସ ଖୋଲିଥିଲେ, ସେଥିରୁ ଏକ ଆଇଫୋନ ଏସଇ ବାହାରିଥିଲା।

ବକ୍ସ ଖୋଲିବା ପରେ ନିକ୍‌ ଖୁସିରେ ବିଭୋର ହୋଇଯାଇଥିଲେ। ତାଙ୍କ ଖୁସିର କୌଣସି ସୀମା ନ ଥିଲା। ନିକ୍‌ ଟ୍ବିଟର୍‌ ଜରିଆରେ ତାଙ୍କ ଖୁସି ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, ମୁଁ ଅନ୍‌ଲାଇନରେ ସେଓ ଅର୍ଡର କରିଥିଲି, ତା ସହିତ ମୋତେ ଏକ ଆପଲ ଆଇଫୋନ ମିଳିଛି। ତେବେ ନିକ୍‌କୁ କାହିଁକି ଆଇଫୋନ ମିଳିଲା ତାହା ବି ସେ କହିଛନ୍ତି।

ନିକ୍‌ କହିଛନ୍ତି, ମୁଁ ଭାବିଥିଲି ସର୍‌ପ୍ରାଇଜ ବକ୍ସରେ ଇଷ୍ଟର ଏଗ୍‌ ଅଥବା କିଛି ଅନ୍ୟ ଜିନିଷ ଥାଇପାରେ। କିନ୍ତୁ ଆଇଫୋନ ଦେଖିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲି। ତେବେ ଏହି ବକ୍ସ କମ୍ପାନୀ ପକ୍ଷରୁ ଏକ ପ୍ରମୋଶନାଲ କ୍ୟାମ୍ପେନ ପାଇଁ ଦିଆଯାଇଥିଲା। କେବଳ ନିକ୍‌ ନୁହନ୍ତି, ଅନ୍ୟ ଗ୍ରାହକମାନଙ୍କୁ ବି ସର୍‌ପ୍ରାଇଜ ବକ୍ସ ମିଳିଥିଲା।

Comments are closed.