ରେଳ ଟ୍ରାକକୁ ଖସିପଡ଼ିଲା ଦୃଷ୍ଟିହୀନ ବାଳକ, ଜୀବନକୁ ବାଜି ଲଗାଇ ଟ୍ରେନ ମୁହଁରୁ ଝାମ୍ପି ଆଣିଲେ ପଏଣ୍ଟ୍‌ମ୍ୟାନ: ଦେଖନ୍ତୁ ଭିଡିଓ

ମୁମ୍ବଇ: ମାନବିକତା ଏବଂ ସାହସିକତା କାହାକୁ ଶିଖାଯାଏ ନାହିଁ। ଏହା ପ୍ରତି ମଣିଷଠାରେ ରହିଥାଏ ଏବଂ ପରିସ୍ଥିତି ଆସିଲେ ଆପେ ଆପେ ବାହାରିଆସେ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ବାଙ୍ଗଣି ରେଳ ଷ୍ଟେଶନରେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳିଛି ଚଳନ୍ତା ଟ୍ରେନ ମୁହଁରୁ ଜଣେ ରେଳ କର୍ମଚାରୀ ଏକ ଦୃଷ୍ଟିହୀନ ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ରେଳ କର୍ମଚାରୀଙ୍କ ଏହି ସାହସିକତା ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସୂଚନା ଅନୁସାରେ, ଘଟଣାଟି ଏପ୍ରିଲ ୧୭ ତାରିଖର। ବାଙ୍ଗଣି ଷ୍ଟେଶନର ୨ ନମ୍ବର ପ୍ଲାଟଫର୍ମରେ ଜଣେ ୬ ବର୍ଷୀୟ ଦୃଷ୍ଟିହୀନ ବାଳକ ଚାଲି ଚାଲି ଯାଉଥିବା ବେଳେ ରେଳ ଟ୍ରାକ୍‌କୁ ଖସିପଡ଼ିଥିଲା। ସେହି ସମୟରେ ଟ୍ରାକ୍‌ରେ ଏକ ସୁପର ଫାଷ୍ଟ ଟ୍ରେନ ଆସୁଥିଲା। ଏହି ଦୃଶ୍ୟ ଦେଖି କିଛି ସମୟ ପାଇଁ ପ୍ଲାଟଫର୍ମରେ ଉପସ୍ଥିତ ଲୋକଙ୍କ ନିଃଶ୍ଵାସ ଅଟକିଯାଇଥିଲା। କିନ୍ତୁ ଏହି ସମୟରେ ଦୂରରେ ମୁତୟନ ଜଣେ ପଏଣ୍ଟମ୍ୟାନ ମୟୂର ଶେଲ୍‌କେ ଟ୍ରେନର ବିପରୀତ ଦିଗରୁ ଟ୍ରାକରେ ଦୌଡ଼ି ଯାଇ ପିଲାଟିକୁ ଝାମ୍ପି ଆଣିବା ସହିତ ନିଜେ ସୁରକ୍ଷିତ ଭାବେ ଟ୍ରାକରୁ ବାହାରି ଆସିଥିଲେ। ଯାହାର ୧ ସେକେଣ୍ଡ ମଧ୍ୟରେ ଟ୍ରେନଟି ସେହି ସ୍ଥାନକୁ ଅତିକ୍ରମ କରିଥିଲା।

ଏହି ଭିଡିଓକୁ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟ୍ବିଟ୍‌ କରିବା ସହିତ ମୟୂରଙ୍କ ସାହସିକତାର ଭୂରି ଭୂରି ପ୍ରଶଂସା କରିଛନ୍ତି।

Comments are closed.