ମୃତ୍ୟୁ ପୂର୍ବରୁ ଦୂଆର ମୁହଁରେ ରୋଗୀକୁ ଛାଡି ଚାଲିଗଲା ଆମ୍ବୁଲାନ୍ସ

ଓଡଗାଁ: ନୟାଗଡ ଜିଲା ଓଡଗାଁ ବ୍ଳକରେ କରୋନା ଭୟାବହତା ତଥା ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ରାତି ଅଧରେ ଘରେ ଛାଡି ପଳାଇଲା ଆମ୍ବୁଲାନ୍ସ ଏବଂ ସମ୍ପୃକ୍ତ କରୋନା ଆକ୍ରାନ୍ତ ଯନ୍ତ୍ରଣାରେ ଛଟପଟ ହୋଇ ଘର ଲୋକଙ୍କ ସାମ୍ନାରେ ପ୍ରାଣ ତ୍ୟାଗ କରିଥିଲେ।

ସୂଚନା ଅନୁସାରେ, ଓଡଗାଁର ଏକ ଜୁଏଲର୍ସ ଦୋକାନରେ କାମ କରୁଥିବା କୁରାଳ ବେଙ୍ଗେଇସାହିର ପ୍ରକାଶ ଆ•ରୀ କରୋନା ଆକ୍ରାନ୍ତ ହୋଇ ଚାନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ବାପା ଚନ୍ଦ୍ରଶେଖର ଆ•ରୀ ଏବଂ ମାଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଚାନ୍ଦପୁର ଡାକ୍ତରଖାନା ଯାଇଥିଲେ। କିଛି ଦିନ ପରେ ପ୍ରକାଶ ଏବଂ ତାଙ୍କ ମାଆ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ତାଙ୍କ ବାପା ଚନ୍ଦ୍ରଶେଖର ଚିକିତ୍ସାଧିନ ରହିଥିଲେ। ବିଳମ୍ବିତ ରାତିରେ ଏକ କୋଭିଡ ଆମ୍ବୁଲାନ୍ସରେ ସ୍ୱାସ୍ଥ୍ୟକର୍ମୀମାନେ ଚନ୍ଦ୍ରଶେଖରଙ୍କୁ ପୁଅ ପ୍ରକାଶ ରହୁଥିବା ଓଡଗାଁ ସ୍ଥିତ ଭଡା ଘରେ ତାଙ୍କୁ ହସ୍ତାନ୍ତର କରି ଚାଲିଯାଇଥିଲେ। ଆମ୍ବୁଲାନ୍ସରୁ ଚନ୍ଦ୍ରଶେଖରଙ୍କୁ ବାହାର କରିବା ବେଳକୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସ୍ଥାନୀୟ ଲୋକମାନେ ଦେଖିଛନ୍ତି। ଆମ୍ବୁଲାନ୍ସ ଯିବାର ୧୦/୧୫ ମିନଟ୍‍ ପରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ହୋଇଥିବା ଖବର ଓଡଗାଁରେ ପ୍ରଚାରିତ ହେବା ପରେ ଏନଏସି କର୍ମଚାରୀମାନେ ପ୍ରକାଶଙ୍କ ଘରେ ପହଞ୍ଚି ସ୍ୱାସ୍ଥ୍ୟ ବିଭାଗ ଟିମ ସହ ଯୋଗାଯୋଗ କରି ମୃତଦେହ ହସ୍ତାନ୍ତର କରିବାକୁ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କହିଥିଲେ। ମାତ୍ର ସୁନାରୀ ପରିବାର ପରମ୍ପରା ଅନୁସାରେ, ମୃତଦେହକୁ ନିଜେ ପୋତିବେ କହି ଏନଏସି କର୍ମଚାରୀଙ୍କ ପ୍ରସ୍ତାବକୁ ଏଡାଇ ଦେଇଥିଲେ। ବାପାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ପରିବାର ଲୋକେ ସାହି ଭାଇଙ୍କୁ ଡାକିଥିଲେ ମାତ୍ର କରୋନା ଯୋଗୁଁ ଶବକୁ କେହି କାନ୍ଧ ନ ଦେବାରୁ ପୁଅ ପ୍ରକାଶ ନିଜେ ଏକ ଟ୍ରଲିରେ ବାପାର ଶବକୁ ଶ୍ମଶାନକୁ ନେଇଥିଲେ। ସେଠାରେ ଏକ ଜେସିବି ଭଡାକରି ଗାତ ଖୋଳି ସାରିଥିଲେ। ହେଲେ ସ୍ଥାନୀୟ ଲୋକେ କରୋନାରେ ମୃତ୍ୟୁ ହୋଇଥିବା ଜାଣି ସେଠାରେ ଶବ ପୋତିବାକୁ ଦେଇ ନ ଥିଲେ। ତାପରେ ପ୍ରକାଶ ୧୫ହଜାର ଟଙ୍କାରେ ଏକ ସ୍ୱର୍ଗରଥ ଭଡା କରି ଶବକୁ ଭୂବନେଶ୍ୱର ସତ୍ୟନଗର ଶ୍ମଶାନକୁ ନେଇଥିଲେ। ସେଠାରେ ବାପାଙ୍କ ମୃତଦେହ ସତ୍କାର କରିଥିଲେ। ପୁଅ ପ୍ରକାଶଙ୍କ କହିବାନୁସାରେ ତାଙ୍କ ବାପାଙ୍କୁ କରୋନା ହୋଇ ନ ଥିଲା। ସେ ହୃଦ୍‍ଘାତରେ ମୃତ୍ୟୁବରଣ କରିଛନ୍ତି। କେବଳ ଅକ୍ସିଜେନ ଅଭାବରୁ ବାପା ଚାଲିଗଲେ ବୋଲି ପୁଅ କହିଛନ୍ତି।

Comments are closed.