ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ କଟକ ବଡ ମେଡିକାଲରେ ମୃତ୍ୟୁ 

ଭଂଜନଗର: ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ସଡକ ଦୁର୍ଘଟଣାରେ ଆହତ ହୋଇ କଟକ ବଡମେଡିକାଲରେ ଚିକିତ୍ସିତ ହୋଇଥିବା ଭେଜିପୁଟ ଗ୍ରାମର ଟୁନା ଗୌଡଙ୍କ ଶନିବାର ଭୋରୁ ମୃତ୍ୟୁ ଘଟିଛି। ମୃତ ଶରୀରକୁ ନିଜ ଗ୍ରାମକୁ ଅଣାଯାଇ ରବିବାର ସନ୍ଧ୍ୟାରେ ଅନ୍ତିମ ସତ୍କାର କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଭଂଜନଗର ଏନ୍‍ଏସି ଅନ୍ତର୍ଗତ ଭେଜିପୁଟ ଗ୍ରାମର ଟୁନା ଗୌଡ(୪୨) ଓ ଅଗୋଝଳ ଛକ ଅନ୍ତର୍ଗତ ବାଲିଛାଇ ଗ୍ରାମର ମନୋଜ ନାୟକ ଗୋଟିଏ ବାଇକରେ ଜଗନ୍ନାଥପ୍ରସାଦକୁ ଯାଇ କୌଣସି କାମରେ ଫେରୁଥିବା ବେଳେ ନଡା-ଚପରା ଠାରେ ଦୂର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗୋଟିଏ ବିରଡି ରାସ୍ତା ଉପରକୁ ହଠାତ୍‍ ଚାଲି ଆସିବାରୁ ଚାଳକ ଟୁନା ଗୌଡ ବ୍ରେକ ଟିପିଥିଲେ। ଫଳରେ ପିଚୁରାସ୍ତା ଉପରେ ଉଭୟେ କଚାଡି ହୋଇ ପଡିଥିଲେ। ଟୁନାଙ୍କ ମୁଣ୍ଡରେ ପ୍ରଚଣ୍ଡ ଆଘାତ ଲାଗିଥିଲା। ଫଳରେ ସେ ସଜ୍ଞାହୀନ ହୋଇ ପଡିଥିଲେ। ଉଭୟଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଜଗନ୍ନାଥପ୍ରସାଦ ମେଡିକାଲ ଓ ପରେ ଭଂଜନଗର ସରକାରୀ ହାସପିଟାଲ ଅଣାଯାଇଥିଲା। ଏଠାରେ ଆଶୁ ଚିକିତ୍ସା ପରେ ଟୁନାଙ୍କ ଅବସ୍ଥା ସଂଘାତିକ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ ସ୍ଥନାନ୍ତରିତ କରାଯାଇ ସେଠାରୁ କଟକ ନିଆଯାଇଥିଲା। ମୃତ ଟୁନାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯାଇଥିଲା। ଫଳରେ କଟକ ବଡମେଡିକାଲରେ ଚିକିତ୍ସା ସତ୍ତେ୍ୱ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ମନୋଜର ହାତ ଓ ଗୋଡରେ ଆଘାତ ଲାଗିଥିବାରୁ ସେ ଚିକିତ୍ସିତ ହେଉଥିବା ଜଣାପଡିଛି।

Comments are closed.