ମୋବାଇଲ ଫାଟି ଯୁବକଙ୍କ ମୃତ୍ୟୁ

ପାରାଦୀପ: ଛାତି ପାଖରେ ମୋବାଇଲ ଫାଟିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପାରାଦୀପର ଲକ୍‌ପଡ଼ା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲା ଲେମ୍ବାଗୁଡ଼ା ଗ୍ରାମର କୁନା ପ୍ରଧାନ। ମିଳିଥିବା ସୂଚନା ଅନୁସାରେ, ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ମଧ୍ୟରେ ଏକ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିପାଇ ନୟାଗଡ଼ ଜିଲାର କେତେଜଣ କାରିଗର ଆସିଥିଲେ। ରବିବାର ରାତିରେ କାରିଗରମାନେ ଶୋଇଥିଲେ। ତେବେ କୁନା ମୋବାଇଲକୁ ଚାର୍ଜରେ ବସାଇ ଛାତି ଉପରେ ରଖି ଶୋଇଥିଲେ। ରାତିରେ ମୋବାଇଲ ଫାଟିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାରୁ ଜଣାପଡ଼ିଛି। କିନ୍ତୁ କୁନାଙ୍କ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୁଲିସ ମୃତଦେହ ଜବତ କରିଥିବାବେଳେ ମୋବାଇଲ ଫାଟି କୁନାଙ୍କ ମୃତ୍ୟୁ ଘଟିଛି କି ଆଉ କିଛି କାରଣ ରହିଛି ତାହାର ତଦନ୍ତ କରୁଛି।

Comments are closed.