ଟ୍ରାଫିକ ଯାଞ୍ଚବେଳେ ହୃଦ୍‌ଘାତରେ ଚାଳକଙ୍କ ମୃତ୍ୟୁ, ପୁଲିସ ଫେରାର

0

ନୋଏଡ଼ା: ଟ୍ରାଫିକ ନିୟମ ଯାଞ୍ଚ ବେଳେ ହୃଦଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ନୋଏଡ଼ାରେ ଏପରି ଅଭାବନୀୟ ଘଟଣା ଘଟିଛି। ତେବେ ଘଟଣା ପରେ ଯାଞ୍ଚ କରୁଥିବା ଟ୍ରାଫିକ ପୁଲିସ ସେଠାରୁ ଫେରାର ହୋଇଯାଇଛନ୍ତି। ଏହା ପରେ ମୃତକଙ୍କ ମା’ବାପା ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଦାବି କରିଛନ୍ତି।

ମୃତକ ହେଉଛନ୍ତି ଗୌରବ ଶର୍ମା। ତାଙ୍କ ଭାଇ ବୈଭବଙ୍କ କହିବା ଅନୁସାରେ, ଗୌରବ ଏକ ଆଇଟି କମ୍ପାନୀରେ କାମ କରୁଥିଲେ। ରବିବାର ସନ୍ଧ୍ୟାରେ ସେ ମା’ବାପାଙ୍କୁ କାରରେ ଇନ୍ଦିରାପୁରମ ନେଇ ଯାଉଥିଲେ। ସେକ୍ଟର ୬୨ ନିକଟରେ ଜଣେ ଟ୍ରାଫିକ କର୍ମଚାରୀ ଯାଞ୍ଚ ପାଇଁ ତାଙ୍କ ଭାଇଙ୍କ ଗାଡ଼ିକୁ ଅଟକାଇଥିଲେ। ଫଳରେ ଗୌରବ କାର୍‌କୁ ସାଇଡକୁ ନେଇଥିଲେ। ଏହା ପରେ ଟ୍ରାଫିକ କର୍ମଚାରୀ ଜଣକ ଲାଠିରେ କାରକୁ ୩/୪ ଥର ପିଟିଥିଲେ। ଗୌରବ କାରରୁ ବାହାରି କ’ଣ ପାଇଁ ଗାଡ଼ିକୁ ପିଟିଲ ବୋଲି ସମ୍ପୃକ୍ତ ଟ୍ରାଫିକ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଗୌରବ ହଠାତ୍‌ ଟଳି ପଡ଼ିଥିଲେ। ଏହା ଦେଖି ଟ୍ରାଫିକ ପୁଲିସ ଜଣକ ସେଠାରୁ ଫେରାର ହୋଇଯାଇଥିଲେ। ସାଥୀରେ ଥିବା ମା’ବାପା ପୁଅ ଗୌରବଙ୍କୁ ଫୋର୍ଟିସ ହସ୍ପିଟାଲକୁ ନେଇଥିଲେ। ସେଠାରୁ ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ। ପରେ ତାଙ୍କୁ କୈଳାସ ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ଡାକ୍ତର ଗୌରବଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ।

ଘଟଣା ପଦାକୁ ଆସିବା ପରେ ପୁଲିସ ଗୌରବଙ୍କ ଘରେ ପହଞ୍ଚିଥିଲା। ଥାନା​‌ରେ ଅଭିଯୋଗ କରିବାକୁ ପରିବାର ଲୋକଙ୍କୁ କହିଥିଲା।

Leave A Reply