ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଲାଞ୍ଜିଗଡ଼: ଜଣେ ନିଷ୍ପାପ ଶିଶୁ କନ୍ୟାକୁ ତାର ମଉସା ଚକୋଲେଟ୍ କିଣିଦେବା ବାହାନାରେ ଡାକିନେଇ ଦୁଷ୍କର୍ମ କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି ଘଟିଛି ଲାଞ୍ଜିଗଡ଼ ଥାନା ଅଞ୍ଚଳର ଏକ ଗାଁରେ। ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

ପୁଲିସ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ, ଶିଶୁ କନ୍ୟାଟି ଗତକାଲି ନିଜ ମାଆ ସହ ମାମୁଁଘରକୁ ଝାମୁଯାତ୍ରା ଦେଖିବାକୁ ଆସିଥିଲା। ସନ୍ଧ୍ୟା ସମୟରେ ତା’ର ମଉସା ନର୍ଲା ଥାନା ଶାନ୍ତପୁର ଗାଁର କୁନୁ ମାଝୀ ଶିଶୁ କନ୍ୟାଟିକୁ ଚକୋଲେଟ୍ କିଣିଦେବାକୁ କହି ଡାକିନେଇ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ କୁନୁ ପୂର୍ବରୁ ସେଠାରେ ରହି ମିସ୍ତ୍ରୀ କାମ କରୁଥିଲା। ତେବେ ଶିଶୁ କନ୍ୟାଟି ଗୁରୁତର ହୋଇ ପଡିବାରୁ ରାତିରେ ପୀଡିତାର ମାଆ ଲାଞ୍ଜିଗଡ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଲାଞ୍ଜିଗଡ ଥାନା କେସ୍ ନଂ ୨୦/୨୦୨୧ରେ ଏକ ମାମଲା ରୁଜୁ କରି ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଲାଞ୍ଜିଗଡ ପୁଲିସ ଅଭିଯୁକ୍ତ କୁନୁକୁ ଗିରଫ କରି ଥାନାକୁ ଆଣିଥିଲେ। ଏହାପରେ ତାକୁ ଡାକ୍ତରୀମାଇନା କରାଯାଇଥିବା ଥାନାଧିକାରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। ପୀଡିତାର ଅବସ୍ଥା ସଙ୍ଗୀନ ଥିବାରୁ ପ୍ରଥମେ ଭବାନୀପାଟଣା ଓ ସେଠାରୁ ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।

Comments are closed.