ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାନଗଲେ ଏସପି ଅଫିସ ଘେରାଉ କରାଯିବ : ସାଂସଦ ବସନ୍ତ ପଣ୍ଡା

ମହାଲିଙ୍ଗ ଶିକ୍ଷାନୁଷ୍ଠାନ ବିଦ୍ୟାଳୟ ନୁହେଁ, ତାହା ରଙ୍ଗମହଲ ଥିଲା : ଶ୍ମୃତି ପଟ୍ଟନାୟକ, ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସାଇନସ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣା ସାରା ଦେଶବାସୀଙ୍କ ହୃଦୟକୁ ଦୋହଲାଇ ଦେଇଛି । ସୁସ୍ଥ ସମାଜରେ ଏପରି ଜଗନ୍ୟ ଘଟଣାକୁ ସବୁ ରାଜନୈତିକ ଦଳ ଓ ସବୁ ବର୍ଗର ବ୍ୟକ୍ତି ନିନ୍ଦା କରିବା ଜରୁରି । ଏହା ସଭ୍ୟ ସମାଜ ପାଇଁ ଅତି ନିନ୍ଦନୀୟ। ଅନ୍ୟପଟେ ମହାଲିଙ୍ଗ କଲେଜ ଓ ସାଇନସ୍ ସ୍କୁଲ ଏକ ବିଦ୍ୟାମନ୍ଦିର ନଥିଲା ତାହା ଥିଲା ଶାସନ ଦଳର ମନ୍ତ୍ରୀ, ବିଧାୟକ ଓ କିଛି ଉଚ୍ଚ ଅଧିକାରୀ ରଙ୍ଗ ମହଲ। ଏହି ଘଟଣାର ପ୍ରଛଦପଟ୍ଟରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟା. ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତି ରହିଛି । ତେଣୁ ଓଡିଶା ପୁଲିସର ତଦନ୍ତରେ ସ୍ୱଚ୍ଛତା ରହିବ ନାହିଁ । ଏଣୁ ତୁରନ୍ତ ଘଟଣାର ସିବିଆଇ ତଦନ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ଯଦି ନିଜର ଭାବମୂର୍ତ୍ତୀ ବଜାଇ ରଖିବାକୁ ଚାହାନ୍ତି ଓ ମାଆଙ୍କୁ ସମ୍ମାନ ଦେଉଥାନ୍ତି ତୁରନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ କିମ୍ବା ମନ୍ତ୍ରୀ ଶ୍ରୀ ମିଶ୍ର ନିଜର ନୈତିକତା ଦୃଷ୍ଟିକୋଣରୁ ତଦନ୍ତର ସ୍ୱଚ୍ଛତା ପାଇଁ ନିଜ ପଦବୀରୁ ଇସ୍ତଫା ନଦେଲେ ବିଜେପି ବାଧ୍ୟ ହୋଇ କଳାହଣ୍ଡି ଏସପି କାର୍ଯ୍ୟାଳୟ ଘେରାଉ କରିବ ବୋଲି କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ମୃତି ପଟ୍ଟନାୟକ ଭବାନୀପାଟଣାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଆଜି ଭବାନୀପାଟଣାସ୍ଥିତ ସାର୍କିଟ ହାଉସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ମୃତି ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ନିରୋଜ ନଳିନୀ ମହାନ୍ତି ଏବଂ ସଂପାଦିକା କସ୍ତୁରି ମିଶ୍ର, ରାଜ୍ୟ ବିଜେପି ସଂପାଦିକା ଶର୍ମିଷ୍ଟା ମେହେର, ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ପୂର୍ବତନ ଜିଲ୍ଲା ସଭାପତି ତଥା ସୋନପୁର ପ୍ରଭାରି ଭବେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ପଣ୍ଡା ଏବଂ ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କରିଥିଲେ ଯେ, ମମିତାଙ୍କ ହତ୍ୟା ଘଟଣା ସମସ୍ତଙ୍କୁ ବିସ୍ମୟ କରିଛି। ଏପରି ଘଟଣା ସଭ୍ୟ ସମାଜ ପାଇଁ ଅତିନିନ୍ଦନୀୟ। ଏହି ଘଟଣାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଳାକାରନାମା ପଛରେ ରାଜ୍ୟ ସରକାରଙ୍କ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଛନ୍ନ ହାତ ରହିଥିଲା । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବଳରେ ଶ୍ରୀ ସାହୁ ସବୁ ପ୍ରକାର କୁକର୍ମ କରିବା ସହିତ ନିଜକୁ ବଳିୟାନ ସଜାଇଥିଲା।  ଏହି ଘଟଣାର ଅଧିକ ସତ୍ୟାସତ୍ୟ ଜାଣିବାପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ବଲାଙ୍ଗିର ଏସପି, ଡିଆଇଜି, ମମିତାର ଗ୍ରାମକୁ ଯାଇ ତାର ପରିବାର ସଦସ୍ୟଙ୍କ ସହିତ ଘଟଣା ସଂପର୍କରେ ପଚାରିବା ସହିତ ମହାଲିଙ୍ଗ କଲେଜ ଓ ସ୍କୁଲ ସହିତ ମମିତାର ପୋଡା ଶବ ଜବତ ହୋଇଥିବା ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ମୃତ ମମିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ମୁଖ୍ୟ ଅଭିଯୁକ୍ତ ତଥା ସନସାଇନ୍ ପବ୍ଲିକ ସ୍କୁଲର ମୁଖ୍ୟ ସଞ୍ଚାଳକ ଗୋବିନ୍ଦ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସେଠାରେ ଯୌନ ବ୍ୟଭିଚାର ଚାଲିଥିଲା। ସେଠାକୁ ବିଭିନ୍ନ ସମୟରେ ବହୁ ମନ୍ତ୍ରୀ, ନେତାମାନେ ବାରମ୍ବାର ଆସୁଥିଲେ। କିଛି ପ୍ରଭାବଶାଳୀ ମନ୍ତ୍ରୀ ଏହି ସ୍କୁଲକୁ ରେଭେନ୍ସା କଲେଜ ସହ ତୁଳନା କରୁଥିଲେ। ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ମୃତା ମମିତା ଖୁଲାସା କରିଦେବେ ବୋଲି କହିବାରୁ ତାଙ୍କୁ ହତ୍ୟା କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଶ୍ରୀ ସାହୁ ଟିଟଲାଗଡ ଥାନାରେ ଚତୁରତା ସହିତ ଫେରାର ହେବା ଏବଂ ମମିତାର ପୋଡା ଶବ ଜବତ୍ ହେବା ଦିନ ସେ ପୁଣି ନାଟକୀୟ ଢଙ୍ଗରେ ଧରାପଡିବା ଘଟଣା ପୁଲିସର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୁଲିସ ଶ୍ରୀ ସାହୁଙ୍କୁ ୪ ଦିନ ଅଟକ ରଖିବା ଭିତରେ କିଛି ଜାଣିପାରିଲା ନାହିଁ। କିନ୍ତୁ ଗୋଟିଏ ରାତିରେ କିପରି ସେ ମମିତାକୁ ହତ୍ୟା କରିଥିବା ପ୍ରକାଶ କଲା ତାହା ସନେ୍ଧହଜନକ। ପୋଲିସ ପୂର୍ବରୁ ସବୁ ଜାଣି ଘଟଣାକୁ ରଫା ଦଫା କରିବାର ଯୋଜନା ଚଳାଇଥିଲା। ଏହି ଶିକ୍ଷାନୁଷ୍ଠାନ ବିଦ୍ୟାଳୟ ନଥିଲା ତାହା ଥିଲା ମନ୍ତ୍ରୀ, ନେତା ମାନଙ୍କର ଯୌନଲାଳସା ମେଣ୍ଟାଇବାର ରଙ୍ଗମହଲ। କଳାହାଣ୍ଡି ଜିଲ୍ଲାରେ ବହୁ ସ୍କୁଲ କଲେଜ ଅଛି, କିନ୍ତୁ ଉକ୍ତ ଗୋଟିଏ ସ୍କୁଲକୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଦେବା ପଛରେ କାହାର ହାତ ରହିଛି । ଲ୍ୟାପଟପ୍, ପେନ୍ ଡ୍ରାଇଭ୍, ମୋବାଇରୁ ପ୍ରକୃତ ଯାଞ୍ଚ କରାଗଲେ ସତ୍ୟାସତ୍ୟ ମମିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଓ ଭାଇରାଲ୍ ହୋଇଥିବା ବିଭିନ୍ନ ଅଡିଓକୁ ଅନୁଧ୍ୟାନ କଲେ, ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମ୍ପୃକ୍ତିକୁ ସିଧାସଳଖ ଇସାରା କରୁଛି । ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ ନ କରିବା ମନ୍ତ୍ରୀ ଶ୍ରୀ ମିଶ୍ର ନିଜ କ୍ଷମତାକୁ ଅପବ୍ୟବହାର କରି ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାର ଷଡଯନ୍ତ୍ର କରୁଛନ୍ତି । ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କ ଗୃହରାଷ୍ଟ୍ରମନ୍ତ୍ରୀ ଥିବା ଯୋଗୁ ପୁଲିସ ସ୍ୱାଧୀନ ଭାବେ ତଦନ୍ତ କରିପାରିବ ନାହିଁ କିମ୍ବା ତଦନ୍ତରେ ସ୍ୱଚ୍ଛତା ରହିବ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ  ତୁରନ୍ତ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର, ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ କିମ୍ବା ମନ୍ତ୍ରୀ ନିଜେ ଇସ୍ତଫା ନ ଦେଲେ ବାଧ୍ୟ ହୋଇ ବିଜେପି କଳାହଣ୍ଡି ଏସପି ଅଫିସ ଘେରାଉ କରିବ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ବଦ୍ରିନାରାୟଣ ପଟ୍ଟନାୟକ, ପ୍ରଶାନ୍ତ ସାହୁ, ଲକ୍ଷ୍ମୀକାନ୍ତ ବାଗ, ପ୍ରମୋଦ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.