ହଜିଯାଉଛି ଷଡ଼ଯନ୍ତ୍ର ପ୍ରସଙ୍ଗ ; ମମିତାଙ୍କ ପାଖରେ କ’ଣ ଥିଲା ପ୍ରମାଣ

ଭବାନୀପାଟଣା  : ମମିତା ମେହେରଙ୍କ ପାଖରେ ଏମିତି କ’ଣ ପ୍ରମାଣ ଥିଲା, ଯେଉଁଥିପାଇଁ ତାଙ୍କ ଜୀବନ ନେବାକୁ ପଛଘୁଞ୍ଚା ଦେଲାନାହିଁ ଗୋବିନ୍ଦ ସାହୁ। ଏପରିକି ସମସ୍ତ ପ୍ରଲୋଭନ ଓ ଜୀବନ ପ୍ରତି ବିପଦକୁ ଖାତିର ନ କରି ଗୋବିନ୍ଦକୁ ସମ୍ମୁଖୀନ ହେବାକୁ ମମିତା ଆଗେଇ ଆସିଥିଲେ। ନିଜ ପାଖରେ ରଖିଥିବା ପ୍ରମାଣକୁ ଯଦି ମମିତା ଲୋକଲୋଚନକୁ ଆଣିଥାନ୍ତେ, ତେବେ ଗୋବିନ୍ଦ କିମ୍ବା ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀଙ୍କ କ’ଣ କ୍ଷତି ହୋଇଥାନ୍ତା ଏଭଳି ଅନେକ ପ୍ରଶ୍ନ ଜିଲାବାସୀଙ୍କ ମଧ୍ୟରେ ଉଙ୍କି ମାରୁଛି। ତେବେ ଯୌନ କେଳେଙ୍କାରୀ ପାଇଁ ମମିତାଙ୍କ ଜୀବନ ଗଲା ବୋଲି ଜିଲାବାସୀ ସନ୍ଦେହ କରୁଛନ୍ତି। ତେବେ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ; କିନ୍ତୁ ପୁଲିସ ଯେପରି ତଦନ୍ତ କରୁଛି, ଘଟଣାର ପ୍ରକୃତ ରହସ୍ୟ ପଦାକୁ ଆସିବ କି ନାହିଁ ବୋଲି ଜିଲାବାସୀ ଆଶଙ୍କାବ୍ୟକ୍ତ କରୁଛନ୍ତି। ମମିତା ଘଟଣାରେ ପୁଲିସ କେବଳ ହତ୍ୟାର ତଦନ୍ତ କରୁଥିବା ବେଳେ ଷଡଯନ୍ତ୍ରର ତଦନ୍ତ କରୁନି। ଏହି ହତ୍ୟା ଘଟଣା ସହିତ ଷଡଯନ୍ତ୍ର ରହିଛି ଏବଂ ଯୋଜନାବଦ୍ଧ ଭାବେ ମମିତାଙ୍କୁ ଘରୁ ଡକାଇ ବୀଭତ୍ସ ଭାବେ ହତ୍ୟାକରି ପୋଡ଼ିବା ପରେ ପୋତାଯାଇଛି । ନିଜେ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ ଖୋଜିବାରେ ମନ୍ତ୍ରୀଙ୍କ ପିଏଙ୍କ ସହିତ କଥା ହୋଇଥିବା ଏବଂ ମନ୍ତ୍ରୀଙ୍କ ସହିତ ଫୋନ୍‌ରେ କଥା ହୋଇଥିବା ସମ୍ପର୍କରେ ପୁଲିସକୁ ମମିତାଙ୍କ ପରିବାର କହିଛନ୍ତି, କିନ୍ତୁ ସେ ଦିଗରେ ପୁଲିସ ତଦନ୍ତ କରୁନି। ମମିତାଙ୍କୁ କୋଠରୀ ଭିତରେ ହତ୍ୟା କରାଯାଇଛି ନା ଗାଡି ଭିତରେ ତାହା ମଧ୍ୟ ପୁଲିସ ସ୍ପଷ୍ଟ କରୁନାହିଁ। ଗୋବିନ୍ଦ ଏବଂ ମନ୍ତ୍ରୀଙ୍କ କଲ୍‌ ରେକର୍ଡ (ସିଡିଆର) ବିଷୟରେ ପୁଲିସ ନିରବ ରହୁଛି । ଟିଟିଲାଗଡ଼ ପୁଲିସ ବାରାକରୁ ଗୋବିନ୍ଦ ଫେରାର ହେବା, ୪୦ ଘଣ୍ଟା ପରେ ତା’କୁ ଆଖୁବାଡିରୁ ଗିରଫ କରାଯିବା ଏକ ସୁପରିକଳ୍ପିତ କାହାଣୀ ବୋଲି ମନେ ହେଉଛି। ଗତ ଅଗଷ୍ଟ ମାସରେ ମମିତାଙ୍କ ଗାଁ ଝରନୀକୁ ଯାଇ ତାଙ୍କ ସହିତ ଗୋବିନ୍ଦ ଆଲୋଚନା କରିଥିଲା। ଗତ ସେପ୍ଟେମ୍ବର ୨୦ ତାରିଖ ମମିତା ମହାଲିଙ୍ଗ ଯାଉଛି କହି ନିଜ ଘରୁ ବାହାରିଥିଲେ। ସେ ୨୦ ଓ ୨୧ ତାରିଖ କୁଆଡେ ଯାଇଥିଲେ ସେନେଇ ପୁଲିସ ତଦନ୍ତ କରୁନାହିଁ ା ପୁଣି ଗୋବିନ୍ଦକୁ କେଉଁ କାରଣରୁ ସିନ୍ଧେକେଲା ଥାନାରୁ ଟିଟିଲାଗଡ଼ ବାରାକକୁ ନିଆଯାଇଥିଲା, ଗୋବିନ୍ଦ ବାରାକରେ ଖାଇବାକୁ ଯାଉଥିବା ବେଳେ ବିଦ୍ୟୁତ୍‌କାଟ୍‌ ହେବା, ଉପସ୍ଥିତ କର୍ମଚାରୀ ଅନ୍ୟ କୋଠରୀରେ ରହିବା ଆଦି ଘଟଣା ପୁଲିସକୁ ସନ୍ଦେହ ଘେରକୁ ନେଇଯାଉଛି। ମମିତା କେବଳ ଗୋବିନ୍ଦଙ୍କ ବିଷୟରେ ଜାଣିଥିଲେ ନା’ ଆଉ କାହା ସଂପର୍କରେ ପ୍ରମାଣ ରଖିଥିଲେ, ତାହା ଅଦ୍ୟାବଧି ରହସ୍ୟ ହୋଇ ରହିଛି। ଗିରଫ ପରଠାରୁ ଜିମା ଶେଷ ହେବା ପର୍ୟ୍ୟନ୍ତ ଗୋବିନ୍ଦ ଯାହା କାହାଣୀ ଶୁଣାଇଲା, ତାକୁ ହିଁ ପୁଲିସ ଜନସାଧାରଣରେ ପ୍ରକାଶ କଲା; କିନ୍ତୁ ଗୋବିନ୍ଦକୁ ଧରିବା ଦିନଠାରୁ ଟିଟଲାଗଡ଼ ବାରେକ୍‌ରୁ ପଳାୟନ ପର୍ୟ୍ୟନ୍ତ ଗୋବିନ୍ଦ ଘଟଣା ସଂପର୍କରେ ପୁଲିସକୁ କେଉଁ ତଥ୍ୟ ଦେଇଥିଲା ସେନେଇ ପୁଲିସ କିଛି କହୁନାହିଁ ା ଗତ ଅକ୍ଟୋବର ୮ ତାରିଖ ଗୋବିନ୍ଦ ଚାନ୍ଦତରାରୁ ମମିତାଙ୍କୁ ନିଜ କାର୍‌ରେ ଭବାନୀପାଟଣା ଆଣି କେଉଁମାନଙ୍କ ସହିତ ଦେଖା ହୋଇଥିଲା, କାହା ଯୋଗସୂତ୍ର ରଖିଥିଲା ତା’କୁ ପୁଲିସ ତଦନ୍ତ ପରିସରଭୁକ୍ତ କରୁନାହିଁ ା ଅନ୍ୟପଟେ ମମିତା ଭବାନୀପାଟଣାରେ ଗୋବିନ୍ଦର ଅନୁରୋଧକୁ ଏଡାଇଯିବା ଏବଂ ମାଣିକେଶ୍ୱରୀ ମନ୍ଦିରରେ ଶପଥ କରିବାକୁ ମନା କରିବା ପରେ ହିଁ ଗୋବିନ୍ଦ ଭବାନୀପାଟଣାରେ ହିଁ ମମିତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ଜଣାପଡିଛି। ନିଜ ଜିଦ୍‌ରୁ ଓହରିବା ପାଇଁ ଗୋବିନ୍ଦ ଗତ ସେପ୍ଟେମ୍ବରରୁ ହିଁ ମମିତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଆସୁଥିଲା। ତଥାପି ମମିତାଙ୍କୁ ସେ ବଶୀଭୂତ କରିପାରି ନ ଥିଲାା ତେବେ ଗୋବିନ୍ଦର କେଉଁ କଥାରେ ଅକ୍ଟୋବର ୮ ତାରିଖ ମମିତା ଘରୁ ଚାଲି ଆସିଥିଲେ, ସେ ଉପରେ ପୁଲିସ ତଦନ୍ତ କରୁନାହିଁ ା ଏ ଘଟଣା ସହ ଯେଉଁ ଏକାଧିକ ମହିଳାଙ୍କ ନାଁ ଉଠିଛି ସେଥିନେଇ ପୁଲିସ ତଦନ୍ତ ଆଗକୁ ବଢ଼ାଇପାରିନି।

Comments are closed.