ନଭେମ୍ବର ୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର : ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତିକୁ ନେଇ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ପରିବର୍ତ୍ତେ ଆଜି କଳାହାଣ୍ଡିର ଭବାନୀପାଟଣାଠାରେ ପାଖରେ ବସାଇ ସାବାସୀ ଦେବା ଘଟଣାରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ତଥା ମୁଖପାତ୍ର ଡଃ ଆର୍ୟ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି ଅନୁଯାୀ ନଭେମ୍ବର ୧୨(ଶୁକ୍ରବାର)ରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ଦଳ ପକ୍ଷରୁ ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ୟ୍ୟନ୍ତ ୬ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡ଼ାକରା ଦିଆଯାଇଛି। ଓଡ଼ିଶାର ଜନସାଧାରଣ ବିଶେଷ ଭାବରେ ‘ମା ଭଉଣୀମାନେ, ବେକାର ଯୁବକ ଯୁବତୀମାନେ, ଅଗଣିତ କୃଷକ ଓ ଶ୍ରମିକ ଭାଇଭଉଣୀମାନେ ଏକ ଅଥର୍ବ, ଅପାରଗ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଓଡ଼ିଶା ବନ୍ଦରେ ସାମିଲ୍ ହେବା ପାଇଁ ଡଃ ଜ୍ଞାନେନ୍ଦ୍ର ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଓଡ଼ିଶା ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ସେବାରେ ନିୟୋଜିତ ଯାନ ଓ ବ୍ୟକ୍ତିବିଶେଷଙ୍କୁ ଯାତାୟତର ସୁଯୋଗ ଦିଆଯିବ।

Comments are closed.