ଖୋଲୁଛି ଗୋବିନ୍ଦର ଅପରାଧ ପେଡ଼ି, ଅଶ୍ଳୀଳ ଭିଡିଓ ପାଇଁ କରିଛି ହତ୍ୟା

ଭବାନୀପାଟଣା: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଅପରାଧ ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଗୁମର ପେଡି ଖୋଲିବାରେ ଲାଗିଛି। ମମିତାଙ୍କ ବ୍ୟତୀତ ଆଉ ଜଣେ ଛାତ୍ରୀ ରାଜେଶ୍ବରୀଙ୍କୁ ହତ୍ୟା କରାଯାଇଥିବା​ ଏବଂ ଦୁଇଜଣ ଛାତ୍ରୀ ନିଖୋଜ ହୋଇଯାଇଥିବା ଏବେ ଅଭିଯୋଗ ହୋଇଛି।

ମମିତା ହତ୍ୟାକାଣ୍ଡରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ତଥା ମହାଲିଙ୍ଗ ସନ୍‌ସାଇନ ସ୍କୁଲ ପରିଚାଳକ ଗୋବିନ୍ଦ ସାହୁ। ତାଙ୍କ ଝିଅଙ୍କୁ ମଧ୍ୟ ଏଭଳି ହତ୍ୟା କରାଯାଇଥିଲା ବୋଲି ଅଭିଭାବକ ବଲାଙ୍ଗିରର ମୋତିଲାଲ ନାଏକ ଏବେ ଅଭିଯୋଗ କରିଛନ୍ତି। ନେତାମନ୍ତ୍ରୀଙ୍କ ପ୍ରଭାବରେ ଆଜି ବି ସେ ନ୍ୟାୟ ପାଇନାହାନ୍ତି ବୋଲି କହିଛନ୍ତି। ୨୦୦୦ ମସିହାରେ ସେ ସନ୍‌ସାଇନ ପବ୍ଲିକସ୍କୁଲରେ ଇଂରାଜୀ ଶିକ୍ଷକ ଥିଲେ। ତାଙ୍କ ଝିଅ ରାଜେଶ୍ୱରୀ ଉକ୍ତ ସ୍କୁଲରେ ଅଷ୍ଟମଶ୍ରେଣୀରେ ପଢୁଥିଲେ। ଗୋବିନ୍ଦଙ୍କ
ସମସ୍ତ ଅନୈତିକ କାର୍ଯ୍ୟକଳାପର ମୂକସାକ୍ଷୀ ଥିଲେ ମୋତିଲାଲ। ସ୍କୁଲର ଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ନେତା, ମନ୍ତ୍ରୀ, ଇଞ୍ଜିନିୟର ଓ ଅନ୍ୟ ଅଧିକାରୀଙ୍କ ପାଖକୁ ଗୋବିନ୍ଦ ପଠାଉଥିଲା। ସେମାନଙ୍କ ଯୌନଶୋଷଣ ହେଉଥିଲା।

ଏପରିକି କିଛି ଛାତ୍ରୀଙ୍କ ସେ ଗର୍ଭପାତ ମଧ୍ୟ କରାଇଥିବା କହିଛନ୍ତି ମୋତିଲାଲ। ସ୍କୁଲକୁ ଏକ ରଙ୍ଗଶାଳାରେ ପରିଣତ କରି ସେଠାରେ ସବୁ ପ୍ରକାରର ଅନୈତିକ କାମ କରୁଥିଲା ଗୋବିନ୍ଦ । ଏସବୁକୁ ବିରୋଧ କରିବାରୁ ମୋତିଲାଲଙ୍କ ଝିଅ ରାଜେଶ୍ୱରୀଙ୍କୁ ଗୋବିନ୍ଦ ଟ୍ରାକ୍ଟର ଚପାଇ ହତ୍ୟା କରିଥିଲା। ନ୍ୟାୟ ପାଇଁ ସେ ପୁଲିସ, ନେତା, ମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ନିରାଶ ହୋଇଥିଲେ। ଗୋବିନ୍ଦ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି ବୋଲି ଅଭିଯୋଗ କରିଛନ୍ତି ମୋତିଲାଲ। ଗୋବିନ୍ଦର ଏହି କଳା କାରନାମା ବିଷୟରେ ତା’ ବାପା ଜାଣିବା ପରେ ଏଥିରୁ ଦୂରେଇ ରହିବାକୁ ଗୋବିନ୍ଦକୁ ଆକଟ କରିଥିଲେ, ତେଣୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଗୋବିନ୍ଦ ଯୋଜନାବଦ୍ଧ ଭାବେ ନିଜେ ଟ୍ରାକ୍ଟର ଚପାଇ ରାଜେଶ୍ବରୀଙ୍କୁ ହତ୍ୟା କରିଥିଲା। ଗତ କିଛିବର୍ଷ ତଳେ ଉକ୍ତ କଲେଜରେ ପଢୁଥିବା ଦୁଇଛାତ୍ରୀ ହଠାତ୍‌ ନିଖୋଜ ହୋଇଯାଇଥିଲେ। ଆଜିପର୍ଯ୍ୟନ୍ତ ସେମାନଙ୍କ ପରିବାର ଚୁପ୍‌ ରହିବା ପଛରେ କ’ଣ ରହସ୍ୟ ଅଛି, ବୁଝାପଡୁନି। ସେମାନଙ୍କୁ ମଧ୍ୟ ଗୋବିନ୍ଦ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେଇନି ତ ବୋଲି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ତେଣୁ ଏହି ଘଟଣାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି।

Comments are closed.