ମମିତା ମେହେର ହତ୍ୟା ଘଟଣା: ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଗିରଫ ଦାବିରେ ରାଜଧାନୀରେ ଛାତ୍ର କଂଗ୍ରେସର ବିକ୍ଷୋଭ

ପୁଲିସ୍‍ ଉପରକୁ ଅଣ୍ଡା ଓ ବିଲାତି ମାଡ

ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଆଜି ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ ଉଦ୍ୟମ କରିବା ବେଳେ ପୁଲିସ୍‍ ଉପରକୁ ବିଲାତି ଓ ଅଣ୍ଡା ମାଡ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ୍‍ ଶତାଧିକ ଛାତ୍ରନେତାକୁ ଅଟକ ମଧ୍ୟ ରଖିଛି। ଅନ୍ୟପକ୍ଷରେ ବିଲାତି ଓ ଅଣ୍ଡା ମାଡ କରିଥିବା ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ ମମିତା ମେହେରଙ୍କ ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ କୌଶଳ କ୍ରମେ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଚକ୍ରାନ୍ତ କରିଛନ୍ତି। ମମିତା ହତ୍ୟାକାଣ୍ଡର ଘଟଣାକ୍ରମକୁ ଅନୁଶୀଳନ କଲେ ସ୍ପଷ୍ଟ ହୋଇପଡ଼ୁଛି ଯେ ଦିବ୍ୟଶଙ୍କରଙ୍କ ସଂପୃକ୍ତିକୁ ସଂପୂର୍ଣ୍ଣ ଲୁଚେଇ ଦେବା ପାଇଁ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା, ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟାନୟକ, ସୁରେଶ କୁମାର ରାଉତରାୟ, ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ମନୋଜ ବଶ୍ୱାଳ, ମନୋଜ ମହାପାତ୍ର, ଅଜୟ ସାହୁ, ନିହାର ବେହେରା, କାର୍ତିକେଶ୍ୱର କାଣ୍ଡି, ଆଲୋକ ଲେଙ୍କା, ଶୁଭଙ୍କର ପାତ୍ର, ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Comments are closed.