ମମିତା ମେହେର ହତ୍ୟା ଘଟଣା: ଓଡ଼ିଶା ଆସିବେ କେନ୍ଦ୍ରୀୟ ଦଳ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି ଗଭୀର ଉଦ୍‍ବେଗ ପ୍ରକାଶ କରିଛି। ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ୍‍ ପାତ୍ର ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏଥିରେ ରାଜ୍ୟର ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି ବୋଲି କହିବା ସହ ଡଃ ପାତ୍ର ମମିତା ନିଖୋଜ ହେବା ପରେ ସ୍ଥାନୀୟ ପୁଲିସ୍‍ ଏତଲା ନ ରଖିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏହି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ତେଣୁ ସବିଶେଷ ତଥ୍ୟ ଅନୁସନ୍ଧାନ ପାଇଁ ତିନି ଜଣିଆ କେନ୍ଦ୍ରୀୟ ଦଳ ଓଡ଼ିଶା ଆସିବେ ବୋଲି ଡକ୍ଟର ପାତ୍ର କହିଛନ୍ତି।


ଅନ୍ୟପକ୍ଷରେ ରାଜ୍ୟ ବି.ଜେ.ପି.ର ଏକ ୧୫ ଜଣିଆ ପ୍ରତିନିଧି ଦଳ ବଲାଙ୍ଗିର ଜିଲ୍ଲା ଝରାଣି ଗ୍ରାମ ଗସ୍ତ କରି ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ସାକ୍ଷାତ୍‍ କରିଛନ୍ତି। ବି.ଜେ.ପି. ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଧାୟକ ମୁକେଶ ମହାଲିଙ୍ଗ୍‍, ମୋହନ ଚରଣ ମାଝୀ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ପୂର୍ବତନ ପୁଲିସ୍‍ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର, ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ମମିତାଙ୍କ ପରିବାରକୁ ସାକ୍ଷାତ୍‍ କରିଥିଲେ।

Comments are closed.