ମମିତା, ମାହାଙ୍ଗା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲେ ସୁରେଶ ପୂଜାରୀ

ନୂଆଦିଲ୍ଲୀ : ମମିତା ମେହେର ହତ୍ୟାକାଣ୍ଡ, ପରୀ ହତ୍ୟାକାଣ୍ଡ, ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଏବଂ ମାହାଙ୍ଗା ଡବଲ ମର୍ଡର ଘଟଣାର ସିବିଆଇ ତଦନ୍ତ ଲାଗି ଲୋକସଭାରେ ବରଗଡ଼଼ ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି। ଆଜି ଶୂନ୍ୟକାଳରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉତ୍ଥାପନ କରି ସାଂସଦ ପୂଜାରୀ କହିଥିଲେ ଯେ ଓଡ଼ିଶାରେ ଆଇନଶୃଙ୍ଖଳ ବ୍ୟବସ୍ଥା ଅତ୍ୟନ୍ତ ଖରାପ ରହିଛି। ଗତ ସେପଟେମ୍ବର ୨୪ରେ ବରଗଡ଼଼ ଜିଲା ତୋରା ଗ୍ରାମର ଦଳିତ ଯୁବକ ଗୋବିନ୍ଦ କୁମ୍ଭାରଙ୍କର ପୁଲିସ ହାଜତରେ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ଏଫଆଇଆର ରୁଜ୍ଜୁ ହୋଇନାହିଁ। ସେହିପରି ୮ ଅକ୍‍ଟୋବରରେ ମମିତା ମେହେର ନାମକ ଶିକ୍ଷୟିତ୍ରୀକୁ ଅପହରଣ କରି ମାରି ଦିଆଯିବା ସହ ତାର ଶରୀରକୁ ଖଣ୍ଡଖଣ୍ଡ କରି ପୋତି ଦିଆଯାଇଥିଲା। ସ୍ଥାନୀୟ ଲୋକ ଏବଂ ମୃତ ମମିତାଙ୍କ ପରିବାରଙ୍କୁ ଲାଗୁଛି କି ଯେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହାତ ଘଟଣା ପଛରେ ରହିଛି। ନୟାଗଡ଼଼ ଜିଲାରେ ପରୀ ନାମକ କୁନି ଝିଅର ଅପହରଣ ପରେ ହତ୍ୟା କରାଯାଇଛି। ସେହିପରି ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଭାରତୀୟ ଜନତା ପାର୍ଟିର ଜଣେ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଏହି ଚାରିଟି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମଗାଇବା ସହ ସିବିଆଇ ଦ୍ୱାରା ତଦନ୍ତ କରାଇବାକୁ ସାଂସଦ ପୂଜାରୀ ଦାବୀ କରିଥିଲେ।

Comments are closed.