ଉଗ୍ର ହେଉଛି ମମିତା ଝଡ଼ : ଗର୍ଜୁଛନ୍ତି ବିରୋଧୀ , ସରକାର ନିରବ

ଭୁବନେଶ୍ୱର  : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା ତଦନ୍ତ ପରିସରଭୁକ୍ତ ଥିବାବେଳେ ଏହି ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ରାଜଧାନୀ ଭୁବନେଶ୍ୱରଠୁ ଆରମ୍ଭ କରି ଜିଲା ସଦର ମହକୁମା ପର୍ଯ୍ୟନ୍ତ ଘନ ଘନ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେଉଛି। ହେଲେ ବିରୋଧୀଙ୍କ ତୁମ୍ବିତୋଫାନ ଏବଂ ଗର୍ଜନ ସରକାରଙ୍କୁ ଦୋହଲାଇ ପାରୁନି। ବିରୋଧୀଙ୍କ ଗର୍ଜନ ଗଗନ ପବନ କମ୍ପାଉଥିବାବେଳେ ସରକାର କିନ୍ତୁ ହୁୁଙ୍କୁ ନାହାନ୍ତି।
କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ସନ୍‌ସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତାଙ୍କ ଅପହରଣ, ହତ୍ୟାକାଣ୍ଡ ଘଟଣାରେ ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇଛି ଏବଂ କେଉଁ ପରିସ୍ଥିତିରେ ଗୋବିନ୍ଦ ହତ୍ୟାକାଣ୍ଡ ଘଟାଇଲା ସେ ବିଷୟରେ ପୁଲିସ ଡିଆଇଜି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମାତ୍ର ପୁଲିସର ତଦନ୍ତ ଏବଂ ହତ୍ୟାକାଣ୍ଡ ସଂକ୍ରାନ୍ତ ସୂଚନା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି। ହତ୍ୟାକାଣ୍ଡ‌େ‌ର ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ବିରୋଧୀ ତାଙ୍କୁ ବହିଷ୍କାର କରି ଗିରଫ ଏବଂ ଘଟଣାର ସିବିଆଇ କିମ୍ବା ବିଚାର ବିଭାଗ ତତ୍ତ୍ୱାବଧାନରେ ଏସ୍‌ଆଇଟି ଦ୍ୱାରା ତଦନ୍ତ କରାଇବା ଜିଦ୍‌ରେ ଅଟଳ ରହିଛନ୍ତି।
ବିଜେପି ଏବଂ କଂଗ୍ରେସର ଛାତ୍ର, ଯୁବ, ମହିଳା ସମସ୍ତ ଛାମୁଆ ସଂଗଠନ ଦୀର୍ଘ ସପ୍ତାହେ ଧରି ବିକ୍ଷୋଭ, ଶୋଭାଯାତ୍ରା, ଆଇନ ଅମାନ୍ୟ ଆନ୍ଦୋଳନ କରିବା ଏବଂ ସ୍ଥଳ ବିଶେଷରେ ଉଗ୍ର ହୋଇ ପୁଲିସ ଉପରକୁ ଏବଂ ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା, ଟମାଟୋ ମାଡ଼ କରିବା ଘଟଣା ଦେଖିବାକୁ ମିଳୁଛି। ବିକ୍ଷୋଭ ବିସ୍ଫୋରକ ମୋଡ଼ ନେଉଥିବାରୁୁ ଏହି ଘଟଣାରେ ଭୁବନେଶ୍ୱରଠୁ ଆରମ୍ଭ କରି ବିଭିନ୍ନ ସହର ଏବଂ ଜିଲା ମୁଖ୍ୟାଳୟରେ ଥିବା ଜିଲାପାଳ ଏବଂ ପୁଲିସ ଅଧୀକ୍ଷକଙ୍କ ସରକାରୀ ବାସଭବନ ଆଗରେ ଅଣାୟତ୍ତ ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।
ପ୍ରତିଦିନ ବିଜେପି ଓ କଂଗ୍ରେସ ବିକ୍ଷୋଭ ଓ ଧାରଣା ଚଳାଇବା ସହିତ ସାମ୍ବାଦିକ ସମ୍ମିଳନୀ ଡାକି ସରକାର ଏବଂ ମନ୍ତ୍ରୀଙ୍କ ବିରୋଧରେ କଟୁ ସମାଲୋଚନା ଚଳାଇଥିବାବେଳେ ଶାସକ ବିଜେଡି ପକ୍ଷରୁ ମୁଖପାତ୍ରମାନେ ପାଲଟା ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାର ଜବାବ ରଖୁଛନ୍ତି। କିନ୍ତୁ ଯାହା ଲକ୍ଷ୍ୟ କରାଯାଉଛି, ମମିତା ମେହେର ହତ୍ୟାକାଣ୍ଡ ଘଟଣା ନିହାତି ଘୃଣ୍ୟ ଓ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ହେଁ ଏହାକୁ ଯେଭଳି ଗମ୍ଭୀରତାର ସହ ନିଆଯିବା କଥା ସେଭଳି ପରିଲକ୍ଷିତ ହେଉନାହିଁ। ବିରୋଧୀ ଏବଂ ଶାସକ ଦଳ ସେମାନଙ୍କ ଜିଦ୍‌ରେ ଅଟଳ ଅଛନ୍ତି। ବିରୋଧୀ-ପୁଲିସ ମୁହାଁମୁହିଁ ପରିସ୍ଥିତିର ସାମ୍‌ନା କରୁଛନ୍ତି, କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ଏ ପ୍ରକାର ଅଚଳାବସ୍ଥା ରହିବ, ତା’ର କିଛି ସ୍ପଷ୍ଟ ଚିତ୍ର ଜଣାପଡୁନି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିରୋଧୀ ଏହି ହତ୍ୟାକାଣ୍ଡ ଘଟଣାରେ ଶାସକ ଦଳକୁ ଅଖଞ୍ଜରେ ପକାଇଥିଲେ ହେଁ ଦଳର ଅଧିକାଂଶ ପ୍ରମୁଖ ବରିଷ୍ଠ ନେତା ପ୍ରାୟ ନିରବ ରହୁଛନ୍ତି। ପ୍ରଥମ କିଛି ଦିନ ବିଜେଡିର ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ବିରୋଧୀଙ୍କୁ କଡ଼ା ସମାଲୋଚନା କରିବା ପରେ ଏବେ ଖୁବ କମ୍‌ ନେତା ମାପିଚୁପି କଥା କହୁଛନ୍ତି ଏବଂ ଏ କ୍ଷେତ୍ରରେ ଯଥାସାଧ୍ୟ ଆଚରଣ କରୁଥିବା ଲକ୍ଷ୍ୟ କରାଯାଉଛି। କେବଳ କିଛି ମୁଖପାତ୍ର ବିରୋଧୀ ଉଠାଉଥିବା ପ୍ରସଙ୍ଗର ଜବାବ ରଖୁଛନ୍ତି।
ମମିତା ହତ୍ୟାକାଣ୍ଡ ରାଜନୈତିକ ମୋଡ଼ ନେଇଛି। ବିରୋଧୀ ସରକାରଙ୍କୁ ଘେରିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଗତକାଲି ରାଜ୍ୟ ବିଜେପି ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ ପରେ ଦଳର କେନ୍ଦ୍ରୀୟ ପ୍ରତିନିଧି ଗସ୍ତରେ ଆସୁଛନ୍ତି। ଏପଟେ କଂଗ୍ରେସର ରାଜ୍ୟ କେନ୍ଦ୍ରୀୟ ପ୍ରତିନିଧି ଘଟଣା ଅନୁଧ୍ୟାନ ପାଇଁ ବାହାରିଛନ୍ତି। ବିରୋଧୀ ଆଗାମୀ ଦିନରେ ଏହାକୁ ପ୍ରମୁଖ ରଣନୀତି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଶାସକ ଦଳ ବିଶିଷକରି ରାଜ୍ୟ ସରକାର ସମସ୍ତ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଯେକୌଣସି ସମୟରେ ପରଦା ପଛର ନାୟକ ଧରାପଡ଼ିଯିବା କିଛି ବିଚିତ୍ର ନୁହଁ। ତେବେ ତଦନ୍ତ ଫଳାଫଳ ଚୂଡ଼ାନ୍ତ ପ୍ରର୍ଯ୍ୟାୟରେ ନପହଞ୍ଚିବା ପର୍ଯ୍ୟନ୍ତ ହୁଏତ ସରକାର ତତ୍କାଳ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନପାରନ୍ତି।
ସବୁଠୁ ରୋଚକ ଘଟଣା ହେଲା ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ବିରୋଧୀମାନେ ଅଭିଯୋଗ ଉଠାଇ ମନ୍ତ୍ରୀଙ୍କ ବହିଷ୍କାର ଦାବି କରୁଥିବାବେଳେ ସମ୍ପୃକ୍ତ ମନ୍ତ୍ରୀ ଏବେ ନିଜର ସରକାରୀ କାର୍ଯ୍ୟ ଏବଂ ଏମ୍‌ଏସ୍‌ଏମ୍‌ଇ, ଶିଳ୍ପ ଆଦି ବିଭାଗ ପକ୍ଷରୁ ଡକାଯାଉଥିବା ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଉଛନ୍ତି। ନିକଟରେ ବାରିପଦାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସଭା ମଞ୍ଚରେ ଦିବ୍ୟଶଙ୍କରଙ୍କୁ ସ୍ଥାନ ମିଳି ନଥିଲା। ଦଳର ସୁପ୍ରିମୋ କ୍ଷୁବ୍ଧ ଥିବା କାରଣରୁ ତାଙ୍କୁ ମଞ୍ଚରୁ ବଞ୍ଚିତ ହେବାକୁ ପଡ଼ିଲା ବୋଲି ଚର୍ଚ୍ଚା ଚାଲିଲା। କିନ୍ତୁ ଗତ ୩/୪ ଦିନର ଘଟଣାରୁ ଲକ୍ଷ୍ୟ କରାଯାଉଛି ମନ୍ତ୍ରୀ ପୂରା ଦମ୍‌ରେ ବିଭାଗର ବୈଠକ ସହ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ତେଣୁ ଦିବ୍ୟଶଙ୍କରଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି ବୋଲି ବାହାରେ ପ୍ରଚାର ହେଉଥିଲେ ହେଁ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ସେ ପ୍ରକାର ଲକ୍ଷଣ ବାରି ହେଉନି। ତଥାପି ବିଜେଡି ସରକାରରେ ସୁପ୍ରିମୋଙ୍କୁ ଏ ପର୍ଯ୍ୟନ୍ତ କେହି ସଠିକ୍‌ ଭାବେ ଆକଳନ କରିପାରି ନାହାନ୍ତି। ନବୀନ କେତେବେଳେ କେଉଁ ନିଷ୍ପତ୍ତି ନିଅନ୍ତି ତାହା ଜାଣିବା ମୁସ୍କିଲ। ତାଙ୍କର ସବୁ ନିଷ୍ପତ୍ତି ସବୁବେଳେ ଅପ୍ରତ୍ୟାଶିତ। ଗତ ବର୍ଷକ ଭିତରେ ୩/୪ଜଣ ମନ୍ତ୍ରୀଙ୍କ ପାଇଁ ଶାସକ ଦଳକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅନେକ ସମାଲୋଚନା ମୁଣ୍ଡାଇବାକୁ ପଡ଼ିଛି । ବିଜେଡି ସରକାର ପାଇଁ ଏହାର ସ୍ୱଚ୍ଛତା ସବୁଠୁ ବଡ଼ ପ୍ରମାଣପତ୍ର। ତେଣୁ ମୁଖ୍ୟମନ୍ତ୍ରୀ ଗତ କିଛି ଦିନର ଘଟଣାରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ହେଁ ଆଗକୁ କୌଣସି ବଡ଼ ନିଷ୍ପତ୍ତି ନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

ମମିତା ମେହେର ମୃତ୍ୟୁ ମାମଲା : ଜିଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କୁ ଜବାବ ତଲବ
ଭବାନୀପାଟଣା : ବହୁଚର୍ଚ୍ଚିତ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର୍‌) ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଉକ୍ତ ସ୍କୁଲରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ଅଭିଯୋଗର ତଦନ୍ତକରି ସପ୍ତାହେ ମଧ୍ୟରେ ବିବରଣୀ ଦାଖଲ କରିବାକୁ କଳାହାଣ୍ଡି ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କୁ ନିର୍ଦେଶ ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଓ ଆଞ୍ଚଳିକ କଲେଜରେ ଭଲ ଅଙ୍କ (ମାର୍କ) ଦେବାର ଲୋଭ ଦେଖାଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବାର ଅଭିଯୋଗ ପରିପ୍ରେକ୍ଷୀରେ ଏହି ରିପୋର୍ଟ ତଲବ କରାଯାଇଛି। ପୋକ୍‌ସୋ ଆଇନ-୨୦୧୨ ଅନୁସାରେ ତଦନ୍ତ କରି ରିପୋର୍ଟ ଦେବାକୁ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ନିର୍ଦେଶ ଦେଇଛନ୍ତି। ସେହିପରି ଅନୈତିକ କାର୍ଯ୍ୟକଳାପ ନେଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜଣାଇବାକୁ କୁହାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ୨ ଦିନ ତଳେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ରିପୋର୍ଟ ତଲବ କରିଥିଲେ।

Comments are closed.