ମମିତା ନିଖୋଜ ମାମଲା: ଅଡୁଆରେ କ୍ୟାପଟେନ ଦିବ୍ୟଶଙ୍କର, ଇସ୍ତଫା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଭବାନୀପାଟଣା/ଧର୍ମଗଡ/ଗୋଳାମୁଣ୍ଡା: କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗି ସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା, ସ୍କୁଲ ଏବଂ ମହାଲିଙ୍ଗି କଲେଜରେ ଚାଲିଥିବା ଯୌନ କାରବାର ଏବଂ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଇ ଆସୁଥିବା ଜୁନାଗଡ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରି କଳାହାଣ୍ଡି ଭାରତୀୟ ଜନତା ଦଳ ତରଫରୁ ୨୦ ତାରିଖ ଦିନ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିବା ବିଜେପି କଳାହାଣ୍ଡି ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି ।

ବହୁ ଚର୍ଚ୍ଚିତ ମମିତା ନିଖୋଜ ଘଟଣାରେ ୧୯ ତାରିଖ ମଙ୍ଗଳବାର ଦିନ ହଠାତ ପୁଲିସ ମହାଲିଙ୍ଗି ସ୍ଥିତ ନିର୍ମାଣଧିନ ଖେଳ ପଡିଆରୁ ଆଠ ଫୁଟ ତଳୁ ପୋତା ଯାଇଥିବା ଏକ ପ୍ଲାଏଉଡ୍ ବକ୍ସରେ ଭର୍ତ୍ତି ପୋଡା ପାଉଁଶ ସହିତ ମମିତାର ଏକ ପାଉଁଜି, କାନଫୁଲ ଓ ଘରୁ ୮ ତାରିଖ ଦିନ ମହାଲିଙ୍ଗି ଆସିବା ସମୟରେ ନିଜ ସହିତ ଆଣି ଥିବା ଏକ ରେକଜିନ ବ୍ୟାଗକୁ ପୁଲିସ ଜବତ କରିବା ଓ ଉକ୍ତ ପାଉଁଜି, କାନଫୁଲ, ବ୍ୟାଗ ମମିତାର ବୋଲି ପରିବାର ସଦସ୍ୟ ଚିହ୍ନଟ କରିଛନ୍ତି। ମମିତାକୁ ଅନ୍ୟ କେଉଁଠାରେ ନିଆଁରେ ପୋଡ଼ି ନିର୍ମମ ଭାବେ ହତ୍ୟା କରିବା ପରେ ସେଠାରେ ପୋତା ଯାଇଥିବା ମମିତାର ପରିବାର ସଦସ୍ୟ ପ୍ରକାଶ କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯିବା ସହିତ ରାଜ୍ୟ ସରକାର, ପୁଲିସର ସ୍ୱଛତା ଓ ଜୁନାଗଡ ବିଧାୟକ ତଥା ଗୃହ ରାଷ୍ଟମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି।

ଗୋଲାମୁଣ୍ଡା ସ୍ଥିତ ଏକ ଘରୋଇ ସନ ସାଇନ ପବ୍ଳିକ ସ୍କୁଲ ର ଅଧ୍ୟକ୍ଷା ମମତା ମେହେର ଗତ ୮ ତାରିଖ ଦିନ ଉକ୍ତ ସ୍କୁଲର ମାଲିକ ତଥା ଅଧ୍ୟକ୍ଷ ଗୋବିନ୍ଦ ସାହୁ ସ୍କୁଲର ମିଟିଂ ଥିବା କହି ଡକାଇବା ଓ ମମିତାକୁ ଚାନ୍ଦତରା ଠାରେ ବସରୁ ଓହ୍ଲାଇ ଶ୍ରୀ ସାହୁ ନିଜ କାରରେ ଭବାନୀପାଟଣା ଆଣିବା ପରେ ମମିତା ନିଖୋଜ ହୋଇଯିବା ଓ ପରବର୍ତ୍ତୀ ସମୟରେ ଗତ ୧୭ ତାରିଖ ଦିନ ରାତିରେ ଟିଟିଲାଗଡ଼ ଥାନା ବ୍ୟାରେକରୁ ଗୋବିନ୍ଦ ସାହୁ ଫେରାର ହୋଇଯାଇଥିଲେ। ମମିତା ମୃତ ନା ଜୀବିତ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ହଠାତ ଗତ ୧୮ ତାରିଖ ରାତିରୁ ନିର୍ମାଣଧିନ ମହାଲିଙ୍ଗି ଖେଳ ପଡିଆକୁ ପୁଲିସ ଜଗି ରହିଥିଲେ। ୧୯ ତାରିଖ ସକାଳୁ ପୁଲିସ, ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୁଲିସ ମହାଲିଙ୍ଗ ସରକାରୀ ଖେଳ ପଡିଆରୁ ଜେସିବି ଦ୍ବାରା ଖୋଳା ଯାଇଥିଲା। ଆଠ ଫୁଟ ମାଟି ତଳୁ ଏକ ଫ୍ଲାଏଉଡ୍ ବକ୍ସ ଉଧାର କରାଯାଇଥିଲା। ଉକ୍ତ ବାକ୍ସରେ ପୋଡା ପାଉଁଶ ଥିବା ଦେଖିବାକୁ ମିଳିଥିଲା। ପୁଲିସ ସେଠାରେ ଯାଞ୍ଚ କରିବା ସମୟରେ ଏକ ପାଉଁଜି, କାନଫୁଲ ଓ ରେକଜିନ ବ୍ୟାଗ ଉଧାର କରିଥିଲେ। ଉକ୍ତ ପାଉଁଜି, କାନଫୁଲ ଓ ବ୍ୟାଗ ମମିତାର ବୋଲି ସେଠାରେ ଉପସ୍ଥିତ ମମତାର ପରିବାର ସଦସ୍ୟମାନେ ପ୍ରକାଶ କରିଥିଲେ। ଉକ୍ତ ପୋଡା ପାଉଁଶ ମଧ୍ୟ ମମିତାର ବୋଲି ମମିତାର ପରିବାର ସଦସ୍ୟ ପ୍ରକାଶ କରିଥିଲେ। ଏହି ମାମଲାରେ ପୁଲିସ ମହାଲିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଏବଂ ତାଙ୍କ ଜେସିବି ଡ୍ରାଇଭର ଓ ଗୋବିନ୍ଦ ସାହୁର ବ୍ୟକ୍ତିଗତ ଗାଡି ଚାଳକ ସହିତ ଆଉ କିଛି ଲୋକଙ୍କୁ ଅଟକ ରଖିଥିବା ସୂଚନା ମିଳୁଛି।

କିନ୍ତୁ ଏବେ ବି ପୁଲିସର ଭୂମିକା ନେଇ ସବୁଠୁ ସନ୍ଦେହ ଦେଖା ଦେଇଛି। ମନିତା ମୃତ୍ୟୁ ପଛରେ କଲେଜର କଳା କାରନାମା ଓ ସେକ୍ସ କାରବାର ହିଁ ମୁଖ୍ୟ କାରଣ ବୋଲି ଖୋଲାଖୋଲି ଭାବେ ଚର୍ଚ୍ଚା ହେଉଛି। ମମିତା ନିଖୋଜ ହେବା ଥାନାରେ ଏତଲା ଦେବା ଗୋବିନ୍ଦା ସାହୁଙ୍କୁ ପୁଲିସ ଉଠାଇ ନେବା ଏବଂ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଥାନାରୁ ଫେରାର ହେବା ଓ ପିଡୀତାଙ୍କ ପରିବାର ଦୀର୍ଘ ଦିନ ମୁହଁ ନ ଖୋଲିବା ସମସ୍ତ ଘଟଣାରେ ପୁଲିସର ଭୂମିକା ସନ୍ଦେହଜନକ ଥିବା ବେଳେ ହଠାତ ସ୍ବପ୍ନାଦେଶ ଭଳି ପୁଲିସ ରାତି ଅଧିଆ ଏକ ନିର୍ମାଣ ଖେଳ ପଡିଆକୁ ରାତି ସାରା କର୍ଡନ କରି ଜଗି ରହିବା ଘଟଣାକୁ ରହସ୍ୟାବୃତ୍ତ କରିଛି।

ତେବେ ୧୯ ତାରିଖ ମଙ୍ଗଳବାର ଦିନ ସକାଳୁ ମହାଲିଙ୍ଗ ସରକାରୀ ହାଇସ୍କୁଲର ଖେଳ ପଡିଆକୁ ପୁଲିସ ଜଗିଥିବା ପ୍ରଚାର ପରେ ହେବା ପରେ ଶହଶହ ଲୋକଙ୍କ ସୁଅ ଛୁଟିଥିଲା କିନ୍ତୁ ପୁଲିସ ଉକ୍ତ ପଡିଆରେ ୧୪୪ ଧାରା ଜାରି କରାଯାଇଥିବା ଏବଂ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବାରୁ ଖୋଳିବା ସ୍ଥାନରେ କଣ ସବୁ ହେଉଥିଲା କିଛି ଜଣାପଡି ନ ଥିଲା। ତେବେ ଜେସିବି ଦ୍ବାରା ଦୁଇ ସ୍ଥାନରେ ମାଟି ଖୋଲିବା ପରେ ମମିତାଙ୍କୁ ଜୀବନରେ ମାରି ପୋତି ଦେଇଥିବା ପ୍ରଚାର ହୋଇଥିଲା।

ବିଜେପି ମହିଳା ମୋର୍ଚ୍ଚା ହଠାତ ଘଟଣା ସ୍ଥଳରେ ପହଞ୍ଚି ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ନାରାବାଜି କରିବା ସହ ଜେସିବି ଖୋଳା ହେବା ସ୍ଥାନକୁ ଧସେଇ ପଶିଥିଲେ। ଏହାର ସୁଯୋଗ ନେଇ ଗଣମାଧ୍ୟମ ପ୍ରତିନିଧି ଓ ଅଞ୍ଚଳବାସୀ ଧସେଇ ପଶିଥିଲେ। ଘଟଣାସ୍ଥଳରେ ମାଟି ତଳୁ ଆଠ ଫୁଟ ଗଭୀରରେ କିଛି ପୋଡା କାଠ ପୋଡା ଟାୟାର ଦେଖିବାକୁ ମିଳିଥିଲା। ଏ ସବୁ ସାମଗ୍ରୀ ଜେସିବି ଖୋଳିବା ସମୟରେ ଦେଖିବାକୁ ମିଳିଥିଲା।

ପୁଲିସ କୌଣସି କଥା ସ୍ପଷ୍ଟ କରି ନ ଥିଲେ ମଧ୍ୟ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଏବଂ ମମିତାଙ୍କୁ ମାରି ପୋଡି ଦିଆଯାଇଥିବା ଅନୁମାନ କରାଯାଇଛି। ତେବେ ମମିତାଙ୍କୁ ସେଠାରେ ହତ୍ୟା କରାଯାଇଛି ନା ଅନ୍ୟ କେଉଁଠି ହତ୍ୟା କରି ସେଠାରେ ପୋତାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଅପହରଣ ଦିନ ଅର୍ଥାତ ୮ ତାରିଖ ଦିନ ହିଁ ମମିତାଙ୍କୁ ହତ୍ୟା କରାଯାଇଥିଲା ନା ତାଙ୍କୁ କଲେଜକୁ ଆଣି ନିର୍ଯ୍ୟାତନା ଦେବା ପରେ ହତ୍ୟା କରାଯାଇଛି ତାହା ମଧ୍ୟ ଜଣାପଡିନାହିଁ। କାରଣ ମମିତାଙ୍କ ପାଖରେ ଗୋବିନ୍ଦ ଏବଂ ସ୍କୁଲ ସମ୍ପର୍କିତ ଏମିତି କିଛି ଭିଡିଓ ଥିଲା ଯାହାକୁ ନେଇ ଗୋବିନ୍ଦ ଭୟଭୀତ ଥିଲେ। ସ୍କୁଲ ଏବଂ କଲେଜରେ ଗୋବିନ୍ଦ ଶିକ୍ଷାଦାନ ଆଳରେ ନିୟମିତ ସେକ୍ସ ରାକେଟ୍ ଚଳାଇ ଆସୁଥିବା ମମିତା ଜାଣିଥିଲା ଓ ତାର କିଛି ପ୍ରମାଣ ରଖିଥିଲା। ଏଠାକୁ ନେତା ମନ୍ତ୍ରୀମାନେ ଆସି ରାତ୍ରି ଯାପନ କରିବା ଓ ଉକ୍ତ ସ୍କୁଲରେ ଥିବା ଗୁପ୍ତ କୋଠରୀରେ ସବୁ ପ୍ରକାର ବେଆଇନ କାର୍ଯ୍ୟ ହେବା ସହ ସେକ୍ସ କାର୍ଯ୍ୟ ଚାଲୁଥିଲା। ଯାହାର ପ୍ରମାଣ ମୃତ ମମିତା ନିକଟରେ ଥିଲା। ଏହାକୁ ନେଇ ଗୋବିନ୍ଦଙ୍କୁ ମମିତା ଚ୍ୟାଲେଞ ମଧ୍ୟ ଦେଇଥିଲେ। ନିର୍ଯ୍ୟାତନା ପରେ ମଧ୍ୟ ମମିତାଙ୍କ ପାଖରୁ କୌଣସି ତଥ୍ୟ ହାସଲ କରି ନ ପାରି ତାଙ୍କୁ ମାରି ଦେଇଥିବା ଚର୍ଚ୍ଚା ହେଉଛି।

ଅନ୍ୟପଟେ ଏତେ ବଡ ହାଇ ପ୍ରୋଫାଇଲ କେସ୍ ଯେଉଁଠି ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତି ରହୁଛି ବୋଲି ଅଭିଯୋଗ ହେଉଛି, କିନ୍ତୁ ପୁଲିସ ନିରବ ରହିବା ଏବଂ ଗଣମାଧ୍ୟମଙ୍କୁ କୌଣସି ସଠିକ ତଥ୍ୟ ନ ଦେବା ପୁଲିସର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜବତ ପାଉଁଶ ମମିତାର କି ନୁହେଁ ତାହାର ଡିଏନଏ ପରୀକ୍ଷା କରାଯିବ ବୋଲି ବଲାଙ୍ଗୀର ପୁଲିସ ପ୍ରକାଶ କରିଛି । ମମିତା ମେହେରକୁ ନିର୍ମମ ଭାବେ ହତ୍ୟା କରିବା ପରେ ପୋଡି ଦେଇଥିବା ପାଉଁଶ ସହିତ ମମିତାର ପାଉଁଜି, କାନଫୁଲ ଓ ବ୍ୟାଗ ଉଦ୍ଧାର ହେବାର ମାତ୍ର କିଛି ଘଣ୍ଟା ଭିତରେ ନାଟକିୟ ଭଙ୍ଗୀରେ ଘଟଣାର ମୁଖ୍ୟ ତଥା ପୁଲିସ ବ୍ୟାରେକରୁ ଫେରାର ହୋଇଥିବା ଗୋବିନ୍ଦ ସାହୁକୁ ପୋଲିସ ବଙ୍ଗମୁଣ୍ଡା ବ୍ଳକର ବୁଢିଦର ଗ୍ରାମର ତାର ଜୈନିକ ସଂପର୍କିୟ ବାଡ଼ି ପଟ ଆଖୁ କିଆରିରୁ ଧରିବା ଘଟଣାକୁ ବିଭିନ୍ନ ମହଲରେ ସହଜରେ ବିଶ୍ୱାସ କରିପାରୁନଥିବା ଜଣାଯାଏ। ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Comments are closed.