ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏସପି ଅଫିସ ଘେରାଉ

ଦୀର୍ଘ ସମୟ ଧରି ପୁଲିସ ଓ ଯୁବମୋର୍ଚ୍ଚା କର୍ମୀଙ୍କ ମହଲରେ ଧସ୍ତାଧସ୍ତି, ଯୁବମୋର୍ଚ୍ଚା କର୍ମୀଙ୍କ ଏସପି କାର୍ଯ୍ୟାଳୟକୁ ଅଣ୍ଡାମାଡ

ଭବାନୀପାଟଣା : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡରେ ଗୃ ରାଷ୍ଟ୍ରମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ଏବଂ ଗିରଫ ଦାବି କରି ପୂର୍ବ ଘୋଷଣା ଅନୁଯାୟୀ ଶନିବାର ଦିନ କଳାହାଣ୍ଡି ବିଜେପି ଯୁବ ମୋର୍ଚ୍ଚା ତରଫରୁ ଶତାଧିକ ବିଜେପି ଯୁବ, ଛାତ୍ର ଓ ମହିଳା ନେତା ଏବଂ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି କଳାହାଣ୍ଡି ଏସପି କାର୍ଯ୍ୟାଳୟ ନିକଟରେ ଏକ ପ୍ରତିବାଦ ସଭା କରିବା ସହିତ ଏସପି କାର୍ଯ୍ୟାଳୟ ଭିତରକୁ ଧସେଇ ପସିବା ଚେଷ୍ଟା କରାଯିବା ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ ଓ ଯବାନଙ୍କ ସହ ବିଜେପି କର୍ମୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଧସ୍ତା ଧସ୍ତି ହୋଇଥିଲା। ଏପରିକି ବିଜେପି ଯୁବ ମୋର୍ଚ୍ଚାର କର୍ମୀ ମାନେ ଏସପି କାର୍ଯ୍ୟାଳୟ ଉପରକୁ ଅଣ୍ଡା ଫିଙ୍ଗିଥିବା ଦେଖିବାକୁ ମିଳିଥିଲା। ପରେ କଳାହାଣ୍ଡି ଏସପି ଡ. ଶ୍ରବଣ ବିବେକ ଏମ୍ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନକାରୀ ମାନେ ସେଠାରୁ ସଭାସ୍ଥଳକୁ ଚାଲିଯାଇଥିଲେ।

କଳାହାଣ୍ଡି ଜିଲ୍ଲାରେ ବହୁ ବେସରକାରୀ ଶିକ୍ଷାମନୁଷ୍ଠାନ ଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗ କଲେଜ ଓ ସନସାଇନ ପବ୍ଲିକ ସ୍କୁଲକୁ ନିଜ କ୍ଷମତାର ଅପବ୍ୟବହାର କରି ଲକ୍ଷା ଧିକ ଟଙ୍କାର ଅନୁଦାନ ପ୍ରଦାନ କରିବା, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ସବୁପ୍ରକାର ସହଯୋଗ କରିବା ଆଦି ଘଟଣା ସହିତ ମମିତା ହତ୍ୟାକାଣ୍ଡ ଓ ଥାନାରୁ ମୁଖ୍ୟ ଅଭିଯୁକ୍ତ ଶ୍ରୀ ସାହୁ ଖସିଯିବାରେ ସହଯୋଗ କରିବାର ବହୁ ପ୍ରମାଣ ଓ ଅଭିଯୋଗ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ନିଜ ମନ୍ତ୍ରୀପଦରୁ ବହିଷ୍କାର କରି ଏହି ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତଭୁକ୍ତ ନକରିବା ପଛରେ ରାଜ୍ୟ ସରକାରଙ୍କ ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସ୍କୁଲ ଓ କଲେଜରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପର ଖୁଲାସା ହୋଇଯିବା ଭୟରେ ପୂର୍ବ ଯୋଜାନ ଅନୁଯାୟୀ ସଡଯନ୍ତ୍ର କରି ମମିତାଙ୍କୁ ହତ୍ୟା କରାଯାଇଛି। ଗୋବିନ୍ଦ ସାହୁ ମୁଖ୍ୟ ଅଭିଯୁକ୍ତ ହୋଇଥିଲେ ମଧ୍ୟ ଏହି ଘଟଣାର ମନ୍ତ୍ରୀ ଶ୍ରୀ ମିଶ୍ର ମୁଖ୍ୟ ସଡଯନ୍ତ୍ରକାରୀ ବୋଲି ଦାବୀ କରି ତୁରନ୍ତ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିବା ସହିତ ତାଙ୍କୁ ଗିରଫ କରିବା ପାଇଁ ଦାବୀ କରି ଶନିବାର ବିଜେପି ଯୁବ ମୋର୍ଚ୍ଚା ତରଫରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହିତ କଳାହାଣ୍ଡି ଏସପିଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି  ସେଠାରେ ପ୍ରତିବାଦ ସଭା କରାଯାଇଥିଲା। ପରେ ଆନ୍ଦୋଳନକାରୀମାନେ କଳାହଣ୍ଡି ଏସପିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପସିବା ଚେଷ୍ଟା କରାଯିବା ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ ଓ ଯବାନଙ୍କ ସହ ବିଜେପି କର୍ମୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଧସ୍ତା ଧସ୍ତି ହୋଇଥିଲା।  ଏହି କାର୍ଯ୍ୟାକ୍ରମରେ ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶି ଆଚାର୍ଯ୍ୟ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଭବେନ୍ଦ୍ର ପଣ୍ଡା, ବଦ୍ରି ପଟ୍ଟନାୟକ, ଅଜୟ ପାଣିଗ୍ରାହୀ, ମନୋଜ ମେହେର, ମୁକେଶ ଜୈନ, ପ୍ରସାନ୍ତ ସାହୁ, ଯୁଗଳ ପୋଢ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ ସମେତ ବହୁ ବିଜେପି ଯୁବ, ଛାତ୍ର ଏବଂ ମହିଳା ମୋର୍ଚ୍ଚାର ନେତା ଓ କର୍ମୀମାନେ ଯୋଗଦେଇଥିଲେ।

Comments are closed.