ଏକ ରାଷ୍ଟ୍ର, ଏକ ନିର୍ବାଚନ: ସର୍ବଦଳୀୟ ବୈଠକରେ ଯୋଗଦେବେନି ମମତା

ନୂଆଦିଲ୍ଲୀ: ଏକ ରାଷ୍ଟ୍ର, ଏକ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡକାଇଥିବା ସର୍ବଦଳୀୟ ବୈଠକରେ ଯୋଗଦେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୁଧବାର ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ମମତା ଏ ନେଇ ଘୋଷଣା କରିଛନ୍ତି। ଏହା ସହିତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ।

ସର୍ବଦଳୀୟ ବୈଠକ ଲାଗି ମୋଦୀ ସବୁ ଦଳର ଅଧ୍ୟକ୍ଷମାନଙ୍କୁ ଆମନ୍ତ୍ରଣ କରିଥିଲେ। ପ୍ରତି ଦଳରୁ ଅତି କମରେ ଜଣେ ଲେଖାଏ ପ୍ରତିନିଧି ଯୋଗଦେବାକୁ ମୋଦୀ କହିଥିଲେ। ଏକ ରାଷ୍ଟ୍ର ଗୋଟିଏ ନିର୍ବାଚନ ସମେତ ୨୦୨୨ରେ ସ୍ବାଧୀନତା ଦିବସର ୭୫ବର୍ଷ ପୂର୍ତ୍ତି ଉତ୍ସବ ଏବଂ ଚଳିତବର୍ଷ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ମାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଏକ ରାଷ୍ଟ୍ର, ଏକ ନିର୍ବାଚନ ପାଇଁ ତରବରିଆ ଭାବେ ବୈଠକ ଡକାଇବା ପରିବର୍ତ୍ତେ କେନ୍ଦ୍ର ଏକ ଶ୍ଵେତପତ୍ର ଜାରି କରିବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସାମ୍ବିଧାନିକ ବଶେଷଜ୍ଞ, ନିର୍ବାଚନ ବିଶେଷଜ୍ଞ ଏବଂ ସମସ୍ତ ଦଳର ପରାମର୍ଶ ନିଆଯିବା ଉଚିତ। ତେଣୁ ଦୟାପୂର୍ବକ ଏକ ଶ୍ଵେତପତ୍ର ଜାରି କରିବାକୁ ମମତା ଚିଠିରେ ଦାବି କରିଛନ୍ତି। ଏହା ବ୍ୟତୀତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶର ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ ସର୍ବଦଳୀୟ ବୈଠକରେ ଯୋଗଦେବେନି ବୋଲି ସୂଚନା ମିଳିଛି।

Comments are closed.