ଓୱେସୀଙ୍କ ପ୍ରବେଶରେ ମମତାଙ୍କ ଶିବିରରେ ହଇଚଇ

– ମୁସଲିମ ବହୁଳ ୧୨୫ ଆସନରେ ଭୋଟ ବିଭାଜନ ହେବା ଆଶଙ୍କା

– ବଡ଼ ରାଲି ପାଇଁ ଚାଲିଛି ଓୱେସୀଙ୍କ ପ୍ରସ୍ତୁତି

– ଟିଏମସିରେ ମିଶିଲେ ଏଆଇଏମଆଇଏମ କାର୍ଯ୍ୟକାରୀ ଅଧ୍ୟକ୍ଷ

ମହେଶ ଶର୍ମା

କଲକାତା: ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ମଧ୍ୟରୁ ୧୨୫ ଆସନ ମୁସଲିମ ବହୁଳ। ଏହି ଆସନଗୁଡ଼ିକ ରାଜ୍ୟ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଟିମଏସି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏହି ଆସନ ବେଶ୍‌ ଗୁରୁତ୍ଵପୂର୍ଣ୍ଣ। କିନ୍ତୁ ଏସବୁ ଆସନକୁ ନେଇ ମମତା ଏବେ ସନ୍ଦିହାନରେ ପଡ଼ିଛନ୍ତି। ତାଙ୍କ ହାତରୁ ଅଧିକାଂଶ ସୁସଲିମ ବହୁଳ ଆସନ ଚାଲିବା ଆଶଙ୍କା ଘନେଇଛି। ଏଆଇଏମଆଇଏମ (ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ) ଅଧ୍ୟକ୍ଷ ଅସଉଦ୍ଦିନ ଓୱେସୀ ପଶ୍ଚିମବଙ୍ଗ ରାଜନୀତିରେ ଏଣ୍ଟ୍ରି କରିବା ପରେ ଏହି ଆଶଙ୍କା ଅଧିକ ବଢ଼ିଯାଇଛି। ପଶ୍ଚିମବଙ୍ଗ ରାଜନୀତିରେ ଓୱେସୀଙ୍କ ପ୍ରବେଶ ଏଥର ମମତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ପର୍ଯ୍ୟନ୍ତ ଯିବାରେ ବ୍ରେକ୍‌ ଦେବ କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।

ଓୱେସୀଙ୍କ ପଶ୍ଚିମବଙ୍ଗ ଗସ୍ତ ଯୋଗୁ ଟିଏମସିରେ ହଲଚଲ୍‌ ସୃଷ୍ଟି ହୋଇଛି। ବିଶେଷକରି ଓୱେସୀ ହୁଗୁଳି ଜିଲା ଫୁରଫୁରା ଶରିଫର ମୌଲାନା ପୀରଜାଦା ଅବ୍ବାସୁଦ୍ଦିନ ସିଦ୍ଦିକିଙ୍କ ସହିତ ସମନ୍ବୟ ରଖିବାକୁ ଉଦ୍ୟମ କରିବା ପରେ ନିର୍ବାଚନୀ ମାହୋଲ ସରଗରମ ହୋଇଛି। କିନ୍ତୁ ଏହା କୌଣସି ପ୍ରଭାବ ପକାଇପାରିବ ନାହିଁ ବୋଲି ମୁସଲମାନ ସମ୍ପ୍ରଦାୟର କିଛି ରାଜନେତା କହିଛନ୍ତି।

ଓୱେସୀ ଏବଂ ତାଙ୍କ ଦଳର ପଶ୍ଚିମବଙ୍ଗ ଅଧ୍ୟକ୍ଷ ଜମୀରଉଲ ହସନ ଯଦିଓ କୁହନ୍ତି ଯେ ସେମାନଙ୍କ ଲଢ଼େଇ ବିଜେପି ସହିତ, କିନ୍ତୁ ଏହାକୁ ଜନସାଧାରଣ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏଭଳି ସ୍ଥଳେ ମମତା ଏଆଇଏମଆଇଏମର ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଏସ.କେ. ଅବ୍ଦୁଲକଲାମଙ୍କୁ ଟିଏମସିରେ ସାମିଲ କରି ଓୱେସୀଙ୍କୁ ଝଟ୍‌କା ଦେବାକୁ ଉଦ୍ୟମ କରିଛନ୍ତି। ମାତ୍ର କଲାମଙ୍କ ସହିତ କେହି ନାହାନ୍ତି ବୋଲି ଓୱେସୀଙ୍କ କାର୍ଯ୍ୟକର୍ତ୍ତା କହିଛନ୍ତି।

Image Courtesy: yahoo news

ମମତା ନିଜେ କହିଥିଲେ ଯେ, ମୁସଲିମ ଭୋଟରଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓୱେସୀଙ୍କୁ ପଶ୍ଚିମବଙ୍ଗ ଆଣିଛି। ଏହାର ପ୍ରତି ଜବାବ ଦେଇ ଓୱେସୀ କହିଛନ୍ତି ଯେ, ବିହାର ନିର୍ବାଚନ ଫଳାଫଳରୁ ମୁସଲମାନ ଭୋଟର ଶିକ୍ଷା ଗ୍ରହଣ କରିବା ଉଚିତ। ବିହାର ନିର୍ମାଚନରେ ୫ଟି ଆସନରେ ବିଜୟୀ ହେବା ପରେ ଓୱେସୀ ନିଜକୁ ମୁସଲମାନଙ୍କ ରାଷ୍ଟ୍ରୀୟ ନେତା ଭାବେ ପ୍ରତିଷ୍ଠା କରିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ତାଙ୍କ ପାଇଁ ଏକ ବଡ଼ ସୁଯୋଗ। ଏହା ମଧ୍ୟରେ ଏଆଇଏମଆଇଏମର ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଏସ.କେ. ଅବ୍ଦୁଲକଲାମ ଟିଏମସିର ସଦସ୍ୟଦା ଗ୍ରହଣ କରିଛନ୍ତି। କଲାମଙ୍କ କହିବା ଅନୁସାରେ, ପଶ୍ଚିମବଙ୍ଗରେ ମୁସଲିମ ଜନସଂଖ୍ୟା ୨୮ ପ୍ରତିଶତ ବୋଲି କୁହାଯାଏ। ରାଜ୍ୟର ୨୯୪ ଆସନ ମଧ୍ୟରୁ ୧୨୫ ଆସନରେ ମୁସଲିମ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି। ତେଣୁ ସେମାନଙ୍କ ଗୁରୁତ୍ଵ କେତେ ରହିଛି ତାହା ଏଥିରୁ ଅନୁମାନ କରାଯାଇପାରେ।

ଗତ ଥରର ତଥ୍ୟକୁ ଦୃଷ୍ଟି ଦେଲେ ଜଣାଯାଏ ଯେ, ମୁସଲିମ ବହୁଳ ୧୨୫ ଆସନରୁ ୯୦ ଆସନ ଟିଏମସି ଖାତାକୁ ଯାଇଥିଲା। ଏଥିରୁ ସ୍ପଷ୍ଟ ଯେ ମୁସଲିମ ଭୋଟର ଟିଏମସିର ବଡ଼ ଭୋଟ ବ୍ୟାଙ୍କ। ଏହି ଭୋଟରମାନଙ୍କ ଯୋଗୁ ମମତା କ୍ଷମତାକୁ ଫେରିଥାନ୍ତି। କିନ୍ତୁ ଏଥର ଓୱେସୀ ସବୁ ସମୀକରଣ ବିଗାଡ଼ିବାକୁ ଲାଗିପଡ଼ିଛନ୍ତି। ବିହାରରେ ଓୱେସୀଙ୍କ ଦଳ ଯେଉଁ ୫ ଆସନରେ ବିଜୟ ହାସଲ କରିଥିଲା ସେଥିରେ ୬୦ ପ୍ରତିଶତ ମୁସଲମାନ ଭୋଟର ଥିଲେ। ଏଥିରୁ ସିଧାସଳଖ ବାର୍ତ୍ତା ମିଳୁଛି ଯେ ମୁସଲମାନ ଓୱେସୀଙ୍କୁ ନିଜର ଧର୍ମଯାଜକ ମାନୁଛନ୍ତି। ତେଣୁ ଯେଉଁ ଆସନରେ ୫୦ ପ୍ରତିଶତରୁ ଅଧିକ ମୁସଲିମ ରହିଛନ୍ତି ସେଠାରେ ଓୱେସୀଙ୍କ ପ୍ରଭାବ ଦେଖିବାକୁ ମିଳିପାରେ।

କୁହାଯାଉଛି ଯେ, ଓୱେସୀ ଯଦି ୧୨୫ରୁ ୨୦ ଆସନରେ ବି ପ୍ରଭାବ ପକାଇବାରେ ସକ୍ଷମ ହୁଅନ୍ତି, ତେବେ ମମତାଙ୍କ ମୁଖ୍ୟମନ୍ତ୍ରୀ ହେବାର ବାଟ କଠିନ ହୋଇପାରେ। ଓୱେସୀଙ୍କ ଏହି ପ୍ରଭାବରୁ ଏକ ନୂଆ ସମୀକରଣ ଦେଖିବାକୁ ମିଳୁଛି, ତାହା ହେଉଛି ବିଜେପିର ଫାଇଦା। ପଶ୍ଚିମବଙ୍ଗରେ ଓୱେସୀ ମୁସଲମାନ ଭୋଟରଙ୍କୁ ନିଜ ଆଡକୁ ଟାଣିବାରେ ସକ୍ଷମ ହେଲେ ସେଥିରୁ ବିଜେପିକୁ ସିଧାସଳଖ ଲାଭ ମିଳିପାରେ। ଓୱେସୀଙ୍କ ଯୋଗୁ ହିଁ ବିହାର ନିର୍ବାଚନରେ ସୀମାଞ୍ଚଳ, ମିଥିଲାଞ୍ଚଳ ଏବଂ କୋସୀ ଆସନରେ ବିଜେପିକୁ ଫାଇଦା ମିଳିଥିବା କୁହାଯାଉଛି। ଅନ୍ୟପଟେ ଓୱେସୀଙ୍କ ଦଳୀୟ ନେତା ଏବଂ ନିଜେ ଓୱେସୀ କୁହନ୍ତି ଯେ, ଦେଶରେ ଯଦି ଏଆଇଏମଆଇଏମକୁ ଗ୍ରହଣ କରାଯାଏ, ତେବେ ସେ ନିଜେ ଅଣବିଜେପି ରାଜନୀତିର କେନ୍ଦ୍ର ପାଲଟିଯିବେ।

ବିଜେପିର ଏଜେଣ୍ଟ ରୂପେ ସେ କାମ କରୁଥିବା ଅଭିଯୋଗ ହେବା ପରେ, ସେ କ’ଣ ରାଜନୀତି ଛାଡ଼ିଦେବେ କି ବୋଲି ଓୱେସୀ ଉତ୍ତର ଦେଇ କହିଛନ୍ତି। ଅଧିକାଂଶ ରାଜ୍ୟରେ ମୁସଲମାନ ଭୋଟ ବଳରେ ବିଜୟୀ ହୋଇ କ୍ଷମତା ହାସଲ କରୁଥିବା ଦଳଗୁଡ଼ିକ ଏବେ ଏଆଇଏମଆଇଏମର ଅଗ୍ରଗତିରେ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ପଶ୍ଚିମବଙ୍ଗରେ ଓୱେସୀଙ୍କ ପାର୍ଟି ଏବଂ ଟିଏମସି ମଧ୍ୟରେ ନିର୍ବାଚନୀ ସମନ୍ବୟ ରହିଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା, ଯାହାକୁ ମମତା ଖଣ୍ଡନ କରିଦେଇଥିଲେ।

୨୦୧୯ ଲୋକସଭା ନିର୍ବାଚନ ସହିତ ଓୱେସୀ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏଆଇଏମଆଇଏମର ପଶ୍ଚିମବଙ୍ଗ ଅଧ୍ୟକ୍ଷ ଜମୀରୁଲ ହସନ କୁହନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨୩ ଜିଲାରେ ଏଆଇଏମଆଇଏମର ସଂଗଠନ ମଜଭୁତ ହୋଇସାରିଛି। ଏନଆରସି ଏବଂ ନାଗରିକତା ସଂଶୋଧନ ଆଇନ ବିରୋଧରେ ତାଙ୍କ ଦଳ ଜୋରଦାର ବିରୋଧ ପ୍ରଦର୍ଶନ କରିଛି। ଏପଟେ ଓୱେସୀ ଜିଲାସ୍ତରର ନେତାମାନଙ୍କ ସହିତ ବୈଠକ ଜାରି ରଖିଛନ୍ତି।

ସେ ଆହୁରି କହିଛନ୍ତି, ଓୱେସୀଙ୍କ ଗସ୍ତ ଖୁବଶୀଗ୍ର ଆରମ୍ଭ ହେବାକୁ ଯାଉଛି। ପଶ୍ଚିମବଙ୍ଗରେ ଓୱେସୀଙ୍କ ବିଶାଳ ରାଲି ଆୟୋଜନ କରାଯିବାକୁ ପ୍ରସ୍ତୁତି ଚାଲିଛି। ଦିନ ଏବଂ ସ୍ଥାନ ପରବର୍ତ୍ତୀ ସମୟରେ ସ୍ଥିର କରାଯିବ।

Comments are closed.