ମମତାଙ୍କ ୩ୟ ପାଳି ଆରମ୍ଭ, ରାଜଭବନରେ ନେଲେ ଶପଥ

କଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ନିଜର ୩ୟ ପାଳି ଆରମ୍ଭ କରିଛନ୍ତି। ପୂର୍ବାହ୍ନ ୧୦ଟା ୪୫ରେ ରାଜଭବନରେ ରାଜ୍ୟପାଳ ଜଗଦୀପ ଧନଖଡ଼ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଶପଥପାଠ କରାଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜଭବନରେ ଅତ୍ୟନ୍ତ ସାଧାରଣ ଭାବେ ଏହି ସମାରୋହ ଆୟୋଜିତ ହୋଇଥିଲା।

ସୂଚନା ଅନୁସାରେ, ଗତ ୨ ତାରିଖରେ ଭୋଟଗଣତି ପରେ ଟିଏମସି ରାଜ୍ୟ ବିଧାନସଭାର ୨୯୨ ଆସନରୁ ୨୧୩ ଆସନରେ ବିଜୟ ଲାଭ କରିବା ସହିତ ସରକାର ଗଢ଼ିବା ନିଶ୍ଚିତ ହୋଇଥିଲା। ଏହା ପରେ ମମତା ନିଜେ ୫ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ।

ବୁଧବାର ଶପଥ ଗ୍ରହଣ ସମୟରେ ମମତା କହିଥିଲେ ଯେ, ଗତ ୩ ମାସ ଧରି ନିର୍ବାଚନ ଆୟୋଗଙ୍କ ଅଧୀନରେ ରାଜ୍ୟ ରହିଥିଲା। ସେଥିଲାଗି ମୋର ଅଧିକ କିଛି କହିବାର ନ ଥିଲା। ଏହି ସମୟ ମଧ୍ୟରେ ରାଜ୍ୟରେ ଅନେକ ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା। ଆଜି ସରକାରଙ୍କ ଦ୍ବାରା ଏକ ନୂଆ ପୁଲିସ ବ୍ୟବସ୍ଥା ଗଠନ କରାଯିବ ଏବଂ ରାଜ୍ୟରେ ଜାରି ରହିଥିବା ହିଂସାର ଦୃଢ଼ ଭାବେ ମୁକାବିଲା କରାଯିବ। ଏହା ତାଙ୍କର ପ୍ରଥମ ପ୍ରାଥମିକତା ହେବ।

ସେହିପରି ରାଜ୍ୟରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ତାଙ୍କର ୨ୟ ପ୍ରାଥମିକତା ହେବ। ସମସ୍ତ ରାଜନୈତିକ ଦଳ ହିଂସାରୁ ନିଜକୁ ଦୂରେଇ ରଖିବାକୁ ମମତା ଏହି ଅବସରରେ ଅନୁରୋଧ କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ କଠୋର ଭାବେ ମୁକାବିଲା କରିବାକୁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ମମତା କହିଛନ୍ତି।

Comments are closed.