ମମତା ବାଣ: ବିଜେପି ଏକ ଅସୁର ଶକ୍ତି, କରୋନାଠାରୁ ବି ଭୟଙ୍କର

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଦିନକୁଦିନ ତୀବ୍ର ହେବାରେ ଲାଗିଛି । ଆଗାମୀ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ବିଜେପି ନିଜର ଶକ୍ତି ବୃଦ୍ଧିରେ ଲାଗି ପଡ଼ିଛି। ମାତ୍ର ମମତା ମଧ୍ୟ ବିଜେପିକୁ ବାଟ ଛାଡ଼ିବାକୁ ନାରାଜ । ମଙ୍ଗଳବାର ମମତା ବିଜେପିକୁ ଆସୁରିକ ଶକ୍ତି ବୋଲି ବର୍ଣ୍ଣନା କରି କରୋନାଠାରୁ ଭୟଙ୍କର ଏବଂ ରାଜନୈତିକ ଫାଇଦା ପାଇଁ ରାଜ୍ୟରେ ଉତ୍ତେଜନା ବୃଦ୍ଧି କରୁଛି ବୋଲି ଅଭିଯୋଗ କରିଛନ୍ତି ।

ମମତା ବାନାର୍ଜୀ କେବଳ ବିଜେପିକୁ ଆସୁରିକ ଶକ୍ତି ସହିତ ତୁଳନା କରିନାହାଁନ୍ତି ବରଂ କରୋନାଠାରୁ  ବଡ ମହାମାରୀ ବୋଲି  ବର୍ଣ୍ଣନା କରିଛନ୍ତି। ଟିଏମସି ମୁଖପାତ୍ର ‘ଜାଗୋ ବଙ୍ଗଳା’ର ଦୁର୍ଗାପୂଜା ସଂସ୍କରଣକୁ ଉନ୍ମୋଚନ କରି ମମତା ବାନାର୍ଜୀ କହିଛନ୍ତି, ଗୋଟିଏ ପଟେ କୋଭିଡ -୧୯, ଡେଙ୍ଗୁ, ମ୍ୟାଲେରିଆ ଏବଂ ଅନ୍ୟ ପଟେ ସବୁଠାରୁ ବଡ ମହାମାରୀ  ବିଜେପି। ଏହା ହେଉଛି ଏକ ଅସୁର ଶକ୍ତି | ପଶ୍ଚିମବଙ୍ଗରେ ରାଜନୀତି କରିବାକୁ ହେଲେ କୌଣସି ରାଜନୈତିକ ଦଳକୁ ନମ୍ର ଓ ଭଦ୍ର ହେବାକୁ ପଡ଼ିବ । ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଏହା ଅଂଶ, ମାତ୍ର ବିଜେପି ଏହାକୁ ଭୃକ୍ଷେପ କରୁନାହିଁ । ଲୋକଙ୍କ ମରିବା ବଞ୍ଚିବା ଏହି ଦଳ ପାଇଁ କିଛି ଅର୍ଥ ବହନ କରେ ନାହିଁ ବୋଲି ମମତା ଆକ୍ଷେପ କରିଛନ୍ତି ।   ପ୍ରତିବର୍ଷ ମାତା ଦୁର୍ଗା ଆସି ଅସୁର ଶକ୍ତି ନଷ୍ଟ କରନ୍ତି। ସେହିଭଳି ଆସନ୍ତା ବିଧାନସଭା ନିର୍ବାଚନରେ ​​ବିଜେପି ପରାଜିତ ହେବ ବୋଲି ମମତା କହିଛନ୍ତି ।

Comments are closed.