ଦିବାରାତ୍ର ଟେଷ୍ଟ : ମମତା ଓ ଶେଖ ହସିନା ଘଣ୍ଟି ବଜାଇବା ପରେ ଆରମ୍ଭ ହେବ ମ୍ୟାଚ

କଲକାତା : କଲକାତାର ଇଡେନ୍‌ ଗାର୍ଡେନସରେ ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ଖେଳାଯିବ। ଫ୍ଲଡ୍‌ଲାଇଟ୍‌ ଓ ଗୋଲାପୀ ବଲ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଦର୍ଶକ ଯେପରି ଭରପୂର ଉପସ୍ଥିତ ରହନ୍ତି ତା’ର ପ୍ରସ୍ତୁତି ଆୟୋଜକ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ୍‌ (ସିଏବି) ଆରମ୍ଭ କରିଦେଇଛି। ଏହା ଏକ ଐତିହାସିକ ମ୍ୟାଚ ହେବାକୁ ଯାଉଥିବା କାରଣରୁ ବେଙ୍ଗଲ କ୍ରିକେଟ ଆସୋସିଏସନ୍‌ ଓ ବିସିସିଆଇ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି।
ସୂଚନା ଅନୁସାରେ, ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମିଳିତ ଭାବେ ପଡ଼ିଆରେ ଲାଗିଥିବା ଘଣ୍ଟି ବଜାଇବେ। ଏହାପରେ ମ୍ୟାଚ୍‌ ଆରମ୍ଭ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ମ୍ୟାଚ୍ ଦିନ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଥିବା ଜଣାପଡିଛି।
ଭାରତମାଟିରେ ଏବଂ ଭାରତୀୟ ଦଳ ପାଇଁ ଏହା ପ୍ରଥମ ଦିବାରାତ୍ର ଟେଷ୍ଟମ୍ୟାଚ୍ ହେବ। ଇଡେନ୍ ଗାର୍ଡେନ୍‌ସର କ୍ଷମତା ଏବେ ୬୮ ହଜାର। ମ୍ୟାଚ୍‌ର ସମସ୍ତ ଦିନ ଯେପରି ଗ୍ୟାଲେରୀ ଭର୍ତ୍ତି ରହେ ତା’ପାଇଁ ସିଏବି ଏକ ଯୋଜନା କରିଛି। ଦିବରାତ୍ର ଟେଷ୍ଟମ୍ୟାଚ୍ ସ୍ବାଭାବିକ ଭାବେ ଅପରାହ୍‌ଣ ୨.୩୦ରୁ ଆରମ୍ଭହେବା କଥା। ତେବେ ଦର୍ଶକଙ୍କ ସୁବିଧାକୁ ନଜରରେ ରଖି ମ୍ୟାଚ୍ ଅପରାହ୍‌ଣ ୧.୩୦ରୁ ଆରମ୍ଭ ହେବ ବୋଲି ସିଏବିର ସମ୍ପାଦକ ଅଭିଷେକ ଡାଲମିୟା କହିଥିଲେ। ଫଳରେ ମ୍ୟାଚ୍‌ରେ କାକରର ପ୍ରଭାବ କମ୍ ରହିବ। ପୁଣି ରାତି ୯ଟା ସୁଦ୍ଧା ମ୍ୟାଚ୍ ସମାପ୍ତ ହେଲେ ଦର୍ଶକ ସ୍ଥାନୀୟ ପରିବହନ ବ୍ୟବସ୍ଥା ମାଧ୍ୟମରେ ଘରକୁ ଫେରିପାରିବେ।

Comments are closed.