ନିଜ ଭୂଲ ଖୋଜୁଛନ୍ତି ଦୁଃଖୀ ମମତା : ଲୋକଙ୍କୁ ପଚାରିଲେ- କ’ଣ ଆମର ଦୋଷ

କୋଲକାତା: ଆଉ ୪/୫ ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏଥିପାଇଁ ଶାସକ ତୃଣମୂଳ ଓ ରାଜ୍ୟରେ କ୍ଷମତାଶାୟୀ ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ତୀବ୍ର ହେବବୋଲି ଆଶା କରାଯାଉଛି । ଏହି ସ୍ଥିତିରେ ବିଜେପି ପଶ୍ଚିମବଙ୍ଗରେ ଟିଏମସିର ନୂଆ ଓ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବରେ ଉଭା ହୋଇଛି । ପ୍ରଥମେ ଏହି ବାସ୍ତବିକତାକୁ ଗ୍ରହଣ କରିବାକୁ ରାଜି ନ ଥିବା ମମତା ବାନାର୍ଜୀ ଏବେ ଏହାକୁ ସ୍ବୀକାର କରିଛନ୍ତି । ମଙ୍ଗଳବାର ଜଳପାଇଗୁଡ଼ିରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧନ କରିବା ଅବସରରେ ମମତା ଲୋକଙ୍କୁ ତାଙ୍କର ଓ ତାଙ୍କ ଦଳ କ’ଣ ଭୂଲ କରିଛି ବୋଲି ପ୍ରଶ୍ନ ପଚାରିଛନ୍ତି ।

ଜଲପାଇଗୁଡ଼ିର ନିର୍ବାଚନୀ ସମାବେଶକୁ ସମ୍ବୋଧନ କରି ମମତା କହିଛନ୍ତି ଯେ ଗତ୧୦ ବର୍ଷ ମଧ୍ୟରେ ଆମେ କ’ଣ ଭୁଲ୍ କରିଛୁ ଯେ ଆମେ ଉତ୍ତର ବଙ୍ଗରେ ଗୋଟିଏ ଆସନ ଜିତି ପାରିବୁ ନାହିଁ । ଲୋକସଭା ନିର୍ବାଚନରେ ବିଜେପି ସମସ୍ତ ଆସନରେ ବିଜୟୀ ହୋଇଗଲା, ଆମେ ଗୋଟିଏ ବି ଆସନ ପାଇଲୁ ନାହିଁ । ମୁଁ ପଚାରିବାକୁ ଚାହୁଁଛି ଆମର ଦୋଷ କ’ଣ ? ସେମାନେ (ବିଜେପି)  ବାହାରୁ ଆସିଥିଲେ । ସେମାନେ ରାମକୃଷ୍ଣ କିମ୍ବା ବିବେକାନନ୍ଦ ନୁହଁନ୍ତି, ଏହି ଲୋକମାନେ କେବଳ ଘୃଣା ବିସ୍ତାର କରୁଛନ୍ତି । ତେଣୁ ସେମାନଙ୍କୁ କେମିତି ଭୋଟ ଦେଲେ ବୋଲି ମମତା ସମାବେଶରେ ଉପସ୍ଥିତ ଲୋକଙ୍କୁ ପଚାରିଛନ୍ତି । ଏହା ସହ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତ କରିବାକୁ ତୃଣମୂଳ ନେତାମାନେ ଏକତ୍ରିତ ହେବାକୁ ସେ ନିବଦେନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ  ମମତା ବାନାର୍ଜୀ ବର୍ତ୍ତମାନ ପଶ୍ଚିମବଙ୍ଗର ଉତ୍ତର ଓ ପଶ୍ଚିମ ଭାଗରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଏହି ସମୟ ମଧ୍ୟରେ ସେ ଆଲିପୁର ଜିଲ୍ଲାର ଜଳପାଇଗୁଡ଼ିରେ ତୃଣମୂଳ ନେତାଙ୍କ ବୈଠକରେ ଯୋଗ ଦେଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ଉତ୍ତର ବଙ୍ଗର ୮ ଟି ଲୋକସଭା ଆସନ ମଧ୍ୟରୁ ୭ ଟି ଆସନରେ ବିଜୟୀ ହୋଇଥିଲା । ଏକଦା ତୃଣମୂଳ କଂଗ୍ରେସର ଗଡ଼ କୁହାଯାଉଥିବା ଉତ୍ତରବଙ୍ଗରେ ବିଜେପିର ପ୍ରାଧାନ୍ୟ ବୃଦ୍ଧି ମମତାଙ୍କ ପାଇଁ ଶିରପୀଡ଼ା ହୋଇଛି । ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ରାଜ୍ୟରେ ବିଧାନସଭା ଅନୁଷ୍ଠିତ ହେବାକୁ ଥିବାରୁ ମମତା ବିବ୍ରତ ହୋଇଛନ୍ତି ।

Comments are closed.