ଲୋକାୟୁକ୍ତ ତଦନ୍ତର ସମ୍ମୁଖୀନ ହେବେ ନାହିଁ ମମତା

0

କଲକାତା : ଦୁର୍ନୀତି ସମ୍ବନ୍ଧୀୟ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକାୟୁକ୍ତଙ୍କ ତଦନ୍ତର ସମ୍ମୁଖୀନ ହେବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଲୋକାୟୁକ୍ତ ତଦନ୍ତ ପରିସରରୁ ବାହାରେ ରଖିବା ନିମନ୍ତେ ରାଜ୍ୟ ବିଧାନସଭାରେ ଗୁରୁବାର ‘ପଶ୍ଚିମବଙ୍ଗ ଲୋକାୟୁକ୍ତ (ସଂଶୋଧନ) ବିଧେୟକ-୨୦୧୮’ ଗୃହୀତ ହୋଇଛି। ଏହି ବିଧେୟକକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକାୟୁକ୍ତ ତଦନ୍ତ ପରିସର ବହିର୍ଭୂତ ରହିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସରକାର ସମୟରେ ଗୃହୀତ ପଶ୍ଚିମବଙ୍ଗ ଲୋକାୟୁକ୍ତ ଆଇନ ୨୦୦୩ରେ ହୋଇଥିବା ସଂଶୋଧନ ଅନୁସାରେ ରାଜ୍ୟ ସରକାରଙ୍କ ଅନୁମତି ବିନା କୌଣସି ସରକାରୀ କର୍ମଚାରୀଙ୍କୁ ମଧ୍ୟ ଲୋକାୟୁକ୍ତ ଜେରା କରିପାରିବେ ନାହିଁ। ଦୁର୍ନୀତି ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ତଦନ୍ତ ପରିସରରୁ ବାହାରେ ରଖୁଥିବା ଲୋକପାଳ ଏବଂ ଲୋକାୟୁକ୍ତ ଆଇନ-୨୦୧୩ର ଧାରା ୧୪(୧) (କ) ଅନୁସାରେ ଉପରୋକ୍ତ ବ୍ୟବସ୍ଥା କରାଯାଇଛି। ଏହି ସଂଶୋଧନ ନିମନ୍ତେ ସରକାରଙ୍କ ପକ୍ଷରୁ ପୂର୍ବରୁ ଏକ ସୂଚନା ପତ୍ର ଜାରି କରାଯାଇଥିଲା। ପୂର୍ବ ବିଧେୟକ ଅନୁସାରେ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକପାଳ ତଦନ୍ତର ପରିସରଭୁକ୍ତ ଥିଲେ।

Leave A Reply