ବିନା ସୂଚନାରେ କଲକତା ପହଞ୍ଚିଲା ୩୬ ଟ୍ରେନ୍, ରେଳବାଇ ଉପରେ ମମତା ଖପ୍ପା

କଲକତା: ଲକ୍ଡ଼ାଉନର ୪ର୍ଥ ପର୍ଯ୍ୟାୟରେ ଶ୍ରମିକ ଓ ଟ୍ରେନକୁ ନେଇ କେନ୍ଦ୍ର ସରକାର-ବିରୋଧୀଙ୍କ ମଧ୍ୟରେ ଚାଲିଛି ଶବ୍ଦ ଯୁଦ୍ଧ । କେଉଁଠି ଟ୍ବିଟରରେ ତ କେଉଁଠି ମନ୍ତବ୍ୟରେ ପରସ୍ପର ଉପରେ ଆକ୍ରମଣ-ପ୍ରତି ଆକ୍ରମଣ ହେଉଛି । କଟକଣାରେ କୋହଳ କରାଯାଇଥିବା ଯୋଗୁଁ ଟ୍ରେନ ଚଳାଚଳ କିଛିଟା ସ୍ବାଭାବିକ ହୋଇଛି । ଏହା ସତ୍ବେ ପଶ୍ଚିମବଙ୍ଗରେ ଟ୍ରେନ୍ ଚଳାଚଳକୁ ନେଇ ବର୍ତମାନ ସୁଦ୍ଧା କିଛି ଚିତ୍ର ସ୍ପଷ୍ଟ ହୋଇନାହିଁ । କେନ୍ଦ୍ର ରେଳମନ୍ତ୍ରୀ-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପରସ୍ପର ବିରୋଧରେ ଅଭିଯୋଗରେ ବ୍ୟସ୍ତ ଅଛନ୍ତି । ଏହି ସ୍ଥିତିରେ ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଳବାଇ ଉପରେ ଲଗାଇଛନ୍ତି ଭୟଙ୍କର ଅଭିଯୋଗ । ବିନା ସୂଚନାରେ ମୁମ୍ବାଇରୁ ୩୬ଟି ଟ୍ରେନ୍ କିପରି ପଶ୍ଚିମବଙ୍ଗରେ ପହଞ୍ଚିଲା ସେ ସମ୍ପର୍କରେ ପ୍ରଶ୍ନ କରିଛନ୍ତି  ।

ବୁଧବାର ମମତା କହିଛନ୍ତି ଯେ ଆମର ବିନା ଜ୍ଞାତସାରରେ ମୁମ୍ବାଇରୁ ୩୬ଟି ଟ୍ରେନ୍ କଲକତା ପଠାଯାଇଛି । ଏ ସମ୍ପର୍କରେ ମୁଁ ମହାରାଷ୍ଟ୍ର ସରକାରଙ୍କ ସହ କଥା ହୋଇଛି, ସେମାନଙ୍କୁ ବି ବିଳମ୍ବରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ରେଳବାଇ ନିଜେନିଜେ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛି ଓ ଯୋଜନା କରିଛି ବୋଲି ମମତା କହିଛନ୍ତି ।

ପଶ୍ଚିମବଙ୍ଗ ବର୍ତମାନ ସାମୁଦ୍ରିକ ଝଡ଼ ଅମ୍ପନର ଧ୍ବଂସଲୀଳା ସହ ଲଢ଼ୁଛି । ଅନ୍ୟପକ୍ଷରେ ପ୍ରତିଦିନ ସ୍ବତନ୍ତ୍ର ଟ୍ରେନରେ ଶ୍ରମିକ ଏଠାରେ ପହଞ୍ଚୁଛନ୍ତି । ଏହାଦ୍ବାରା କରୋନା ସଂକ୍ରମଣ ବଢ଼ିବ ବୋଲି ଉଲ୍ଲେଖ କରି ବିଜେପି ଉଦ୍ଦେଶ୍ୟରେ ସମାଲୋଚନା କରିଛନ୍ତି । କହିଛନ୍ତି ଯେ  ସେମାନେ ମୋତେ ରାଜନୈତିକ ଭାବରେ ଅସୁବିଦାରେ ପକାଇଲେ ଚଳିବ, ମାତ୍ର ରାଜ୍ୟର କ୍ଷତି ସେମାନେ କରୁଛନ୍ତି ।

Comments are closed.