ଶ୍ରୀଜଗନ୍ନାଥଙ୍କ ଶରଣରେ ମମତା

ପୁରୀ/କଲକାତା : ବିଧାନସଭା ନିର୍ବାଚନ ଜିତିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣ ପଶିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଲକାତାସ୍ଥିତ କାଲିଘାଟ ବାସଭବନରେ ଶୁକ୍ରବାର ସେ ଘୃତଯଜ୍ଞ କରାଇଛନ୍ତି। ଏଥିପାଇଁ ପୁରୀରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କ ସମେତ ୮ଜଣ ଶ୍ରୋତ୍ରିୟ ବ୍ରାହ୍ମଣ ଏବଂ ପଣ୍ଡିତଙ୍କୁ ସ୍ବତନ୍ତ୍ର ଗାଡ଼ିଯୋଗେ କଲକାତା ନିଆଯାଇଛି। ଶୁକ୍ରବାର ସକାଳ ୭ଟାରୁ ଯଜ୍ଞ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି। ମମତାଙ୍କଠାରୁ ପଶ୍ଚିମବଙ୍ଗ ଶାସନ କ୍ଷମତା ଛଡାଇ ନେବାକୁ ବିଜେପି ଜୋରଦାର ଉଦ୍ୟମ ଚଳାଇଛି। ଏଭଳି ସଂକଟଜନକ ସ୍ଥିତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣ ପଶିଛନ୍ତି ମମତା। ବିଜେପି ବିପତ୍ତିରୁ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ରକ୍ଷା କରିବେ ବୋଲି ସେ ଭରସା ରଖିଛନ୍ତି। ଏ ସମ୍ପର୍କରେ ଶ୍ରୀ ସ୍ବାଇଁ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ମମତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ। ଏହା ପୂର୍ବ ନିର୍ବାଚନରେ ସେ ଶ୍ରୀଜଗନ୍ନାଥଙ୍କ ନିକଟରେ ଶରଣାପନ୍ନ ହୋଇ ବିଜୟୀ ହୋଇଥିଲେ। ତୃଣମୂଳ କଂଗ୍ରେସ ନିର୍ବାଚନରେ ଜିତିବା ସହ ପଶ୍ଚିମବଙ୍ଗରେ ସରକାର ଗଠନ କରିଥିଲା। ଆଗାମୀ ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପୁଣିଥରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ସରକାର ଗଠନ କରି​‌ବ ବୋଲି ଶ୍ରୀ ସ୍ବାଇଁ ମହାପାତ୍ର ଭବିଷ୍ୟବାଣୀ କରିଛନ୍ତି। ପ୍ରଭୁ ଶ୍ରୀଜଗନ୍ନାଥ ନିଶ୍ଚୟ ମମତାଙ୍କ ଡାକ ଶୁଣିବେ ବୋଲି ଜଗୁନି ଗଣମାଧ୍ୟମକୁ କହିଛନ୍ତି।

Comments are closed.