ବାଂଲା ଅନୁପ୍ରବେଶ ପ୍ରସଙ୍ଗରେ ମମତାଙ୍କ ମତ ବଦଳିଲା କାହିଁକି

0

ନୂଆଦିଲ୍ଲୀ: ଆସାମର ଜାତୀୟ ନାଗରିକ ପଞ୍ଜିକା(ଏନ୍‍ଆରସି) ତାଲିକାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍‍ ପଡ଼ିବା ଘଟଣାକୁ ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ରାଜନୈତିକ ଚାଲ ବୋଲି ମମତା ଅଭିହିତ କରିବା ସହିତ ଏହାଦ୍ୱାରା ଦେଶରେ ଗୃହଯୁଦ୍ଧ ଓ ରକ୍ତପାତ ହେବ ବୋଲି ଚେତାବନୀ ଦେଇଛନ୍ତି।
ବର୍ତ୍ତମାନ ଆସାମରେ ରହୁଥିବା ବାଂଲାଦେଶୀମାନଙ୍କ ପକ୍ଷ ନେଉଥିବା ମମତା ବାନାର୍ଜୀ କିନ୍ତୁ ୧୩ ବର୍ଷ ପୂର୍ବେ ଠିକ୍‍ ବିପରୀତ ମତ ପୋଷଣ କରିଥିଲେ। ୨୦୦୫ରେ ବିରୋଧୀ ଦଳର ସଦସ୍ୟ ଥିବା ମମତା ପଶ୍ଚିମବଙ୍ଗରେ ବାଂଲାଦେଶୀଙ୍କ ଅବାଧ ଅନୁପ୍ରବେଶକୁ ବିପର୍ଯ୍ୟୟ ସହିତ ତୁଳନା କରିବା ସହିତ ଭୋଟର ତାଲିକାରେ ସେମାନଙ୍କ ନାମ ଥିବାରୁ ଉଦ୍‍ବେଗ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମମତା ସେତେବେଳେ ଲୋକସଭାରେ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ଏକ ଗମ୍ଭୀର ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଉଲ୍ଲେଖ କରି ସଂସଦରେ ଆଲୋଚନା ପାଇଁ ଦାବି କରିଥିଲେ। ତତ୍କାଳୀନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ ମମତାଙ୍କ ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ଏଥିରେ ଉତ୍‍କ୍ଷିପ୍ତ ହୋଇ ମମତା କିଛି କାଗଜପତ୍ରକୁ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଚରଣଜିତ ସିଂହ ଅଟୱଲ୍‍ଙ୍କ ଉପରକୁ ଫୋଫାଡ଼ି ଦେବା ସହିତ ଲୋକସଭା ସାଂସଦ ଆସନରୁ ଇସ୍ତଫା ଦେଇଥିଲେ। ଅବଶ୍ୟ ତାଙ୍କର ଇସ୍ତଫା ଗୃହୀତ ହୋଇ ନଥିଲା।
ଏହି ଘଟଣା ପରେ ୨୦୦୬ରେ ହୋଇଥିବା ନିର୍ବାଚନରେ ସିପିଏମ୍‍ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅନୁକମ୍ପା ଭୋଟ ପାଇଥିବା କୁହାଯାଏ। ନିର୍ବାଚନରେ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ଭୋଟ ଅନେକ ମହତ୍ୱ ରଖୁଥିବାରୁ ମମତା ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କୁ ସମର୍ଥନ କରୁଥିବା ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରତି ମମତାଙ୍କ ପରିବର୍ତ୍ତିତ ଆଭିମୁଖ୍ୟକୁ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‍ଲୀ କଡ଼ା ସମାଲୋଚନା କରିଛନ୍ତି।

Leave A Reply