‘ମମତା’ ରାଷ୍ଟ୍ରପତି ଜୀବନରକ୍ଷା ପଦକ ପାଇଁ ମନୋନୀତ

0

ନୂଆଦିଲ୍ଲୀ/କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବାଙ୍କୁଆଳ ଗ୍ରାମର ମମତା ଦଳେଇ ରାଷ୍ଟ୍ରପତି ଜୀବନରକ୍ଷା ପଦକ ପାଇଁ ମନୋନୀତ ହୋଇଛନ୍ତି । କୁମ୍ଭୀର ଆକ୍ରମଣରୁ ନିଜର ବଡଭଉଣୀ ଅଶାନ୍ତି ଦଳାଇର ଜୀବନ ରକ୍ଷାକରି ଜାତୀୟ ଶିଶୁ ସାହସିକତା ପୁରସ୍କାର ପାଇଥିବା  ମମତାଙ୍କୁ ରାଷ୍ଟ୍ରପତି ଜୀବନରକ୍ଷା ପଦକ ସମ୍ମାନ ପାଇଁ ମନୋନୀତ କରାଯାଇଛି । ଆସନ୍ତା ସ୍ୱାଧୀନତା ଦିବସ ପାଳନ ଅବସରରେ ନୂଆଦିଲ୍ଲୀଠାରେ ମମତାଙ୍କୁ ଏହି ପଦକ ପ୍ରଦାନ କରାଯିବ ।

ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଏହି ସୂଚନା ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟଠାରୁ ଆସିଥିବା ଏହି ସମ୍ମାନର ପୁରସ୍କାର ରାଶି ଏକଲକ୍ଷ ଟଙ୍କାର ଚେକ ମମତାକୁ ପ୍ରଦାନ କରିଛନ୍ତି । ମମତା ସମ୍ପ୍ରତି ନିଜର ବଡ ଭଉଣୀ ଅଶାନ୍ତି ସହ ଭୁବନେଶ୍ୱରରେ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ଏହି ପୁରସ୍କାର ତାଙ୍କୁ ଜୀବନରେ ଭଲ ମଣିଷ ହେବା ପାଇଁ ପ୍ରେରଣା ପ୍ରଦାନ କରିବ ବୋଲି କହିଛନ୍ତି । ପୁଣି ଥରେ  ଜାତୀୟ ପୁରସ୍କାର ପାଇଁ ଦିଲ୍ଲୀରୁ ନିମନ୍ତ୍ରଣ ଆସିଥିବାରୁ ମମତା ବହୁତ ଖୁସିଥିବା ଜଣାପଡ଼ିଛି ।

ସ୍ୱାଧୀନତା ଦିବସରେ ମମତାଙ୍କୁ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତିଙ୍କ ଜୀବନରକ୍ଷା ପଦକର ପ୍ରମାଣପତ୍ର ଓ ଏକ ପଦକ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ୨୦୧୭ ମସିହା ଜୁଲାଇ ମାସ ୬ ତାରିଖରେ ମମତା ମାତ୍ର ୬ ବର୍ଷ ୮ ମାସ ବୟସର ହୋଇଥିବା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବାଙ୍କୁଆଳ ଗ୍ରାମରେ ଏକ ପୋଖରୀରେ ନିତ୍ୟକର୍ମ କରୁଥିବା ସମୟରେ ନିଜର ସମ୍ପର୍କୀୟ ବଡ଼ ଭଉଣୀ ଆଶାନ୍ତିଙ୍କୁ ପ୍ରତିକୂଳ ପରିସ୍ଥିତିରେ ବଉଳାକୁମ୍ଭୀର ଆକ୍ରମଣରୁ ଉଦ୍ଧାର କରି ଲୋକଲୋଚନରେ ଚର୍ଚ୍ଚିତ ହୋଇଥିଲେ । ଗତ ଜାନୁୟାରୀରେ ମମତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ । ଏହା ସହିତ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ମଧ୍ୟ ତାକୁ ପୁରସ୍କାର ପ୍ରଦାନ କରିଥିଲେ ।

 

Leave A Reply