ଶେଷ ମୁହୂର୍ତ୍ତରେ ମମତାଙ୍କ ଚୀନ ଗସ୍ତ ବାତିଲ

0

କଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପ୍ରସ୍ତାବିତ ଚୀନ ଗସ୍ତକୁ ଶେଷ ମୁହୂର୍ତ୍ତରେ ବାତିଲ କରିଛନ୍ତି। ଶୁକ୍ରବାର ରାତିରେ ମମତା ୮ଦିନ ପାଇଁ ଚୀନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ଚୀନ ସରକାରଙ୍କ ସହିତ ମମତାଙ୍କର ହେବାକୁ ଥିବା ସାକ୍ଷାତ ଆଲୋଚନା ନିଶ୍ଚିତ ହୋଇ ନ ପାରିବାରୁ ସେ ତାଙ୍କ ଗସ୍ତ ବାତିଲ କରିଥିବା ଜଣାଯାଇଛି।
ମମତା ଟୁଇଟ୍‍ କରିଛନ୍ତି ଯେ ଚୀନସ୍ଥିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟକ୍ରମକୁ ନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିବାବେଳେ ଏହା ସଫଳ ହୋଇପାରି ନଥିଲା। ତେଣୁ ଆମେ ବାଧ୍ୟ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରିଛୁ। ଗତ ମାର୍ଚ୍ଚରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଚୀନ ଗସ୍ତ ପାଇଁ ମମତାଙ୍କୁ ପ୍ରସ୍ତାବ ଦେଇଥିଲେ। ଚୀନ ଗସ୍ତରେ ଯିବାକୁ ଥିବା ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବାକୁ ସୁଷମା ପ୍ରସ୍ତାବ ଦେଇଥିଲେ। ଏପ୍ରିଲ ୨ରେ ସୁଷମାଙ୍କ ପ୍ରସ୍ତାବକୁ ମମତା ଗ୍ରହଣ କରିଥିଲେ। ମମତାଙ୍କ ନେତୃତ୍ୱରେ ଯିବାକୁ ଥିବା ଭାରତୀୟ ପ୍ରତିନିଧି ଦଳ ଚୀନ ସରକାରଙ୍କ ଆନ୍ତର୍ଜାତିକ ବିଭାଗ ସହିତ କେତେକ କାର୍ଯ୍ୟକ୍ରମର ଆଦାନପ୍ରଦାନ କରିବାର ଥିଲା। ଏହା ସହିତ ଚୀନର କମ୍ୟୁନିଷ୍ଟ ପାର୍ଟି ଅଫ ଚୀନ (ସିପିସି) ସରକାରର ବରିଷ୍ଠ ନେତା ଓ ଅଧିକାରୀଙ୍କ ସହିତ ମମତାଙ୍କର ଆଲୋଚନା କରିବାର ଥିଲା।
ଜୁନ୍‍ ୨୮ରେ ସାଙ୍ଘାଇରେ ହେବାକୁଥିବା ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀରେ ସେ ଯୋଗଦେବାର ଥିଲା। ବିଶେଷକରି ପଶ୍ଚିମବଙ୍ଗରେ ପୁଞ୍ଜିନିବେଶ ପାଇଁ ଚୀନର ବ୍ୟବସାୟୀ ଓ ଶିଳ୍ପପତିଙ୍କ ସହିତ ସେ ଆଲୋଚନା କରିବାର ଥିଲା। ତେବେ ମମତାଙ୍କ ଏହିସବୁ କାର୍ଯ୍ୟକ୍ରମକୁ ଚୀନ ସରକାର ଅନୁମୋଦନ କରିବାକୁ ମନା କରିଦେଇଥିଲେ। ଯଦ୍ଦ୍ୱାରା ସେ ବାଧ୍ୟ ହୋଇ ତାଙ୍କ ଗସ୍ତକୁ ବାତିଲ କରିଥିଲେ।

Leave A Reply