ମଲ୍ଲିକପଡା ହତ୍ୟାକାଣ୍ଡ ଜଣେ ଅଭିଯୁକ୍ତ ଗିରଫ

ବୌଦ୍ଧ : ବୌଦ୍ଧଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ମଲ୍ଲିକପଡା ଗ୍ରାମରେ ନିଜର ସାନଭାଇକୁ ମାଡମାରି ଜିଅନ୍ତା ନିଆଁରେ ପୋଡି ହତ୍ୟା କରିବା ମାମଲାରେ ପୁଲିସକୁ ବଡ ସଫଳତା ମିଳିଛି। ସୂଚନା ମୁତାବକ ଗତ ରବିବାର ଦିନ ବୌଦ୍ଧ ପୋଲିସରେ କନେଷ୍ଟବଳ ଥିବା ସନ୍ତୋଷ କୁମାର ଜାନୀଙ୍କୁ ତାଙ୍କର ଦୁଇଭାଇ ପାରିବାରିକ କଳହରୁ ମାଡମାରିବା ସହିତ ବେହୋସ ଅବସ୍ଥାରେ ଜିଅନ୍ତା ନିଆଁରେ ପୋଡି ହତ୍ୟା କରିଥିଲେ। ଏହି ଜଘନ୍ୟ କାଣ୍ଡ ଭିଆଇବା ପରେ ଦୁଇ ହତ୍ୟାକାରୀ ଭାଇ ଗ୍ରାମରୁ ଫେରାର ହୋଇଯାଇଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରିବା ପରେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୁଧବାର ସକାଳୁ ବ୍ରାହ୍ମଣିପାଲି ଗ୍ରାମପଞ୍ଚାୟତର ରେଙ୍ଗାଲି ରାସ୍ତାରେ ଅଭିଯୁକ୍ତ ପ୍ରଶାନ୍ତ ଜାନୀ ଚାଲି ଚାଲି ଯାଉଥିବାବେଳେ ହଠାତ୍ ଚଢଉ କରି ତାକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି। ମାମଲାରେ ଅନ୍ୟତମ ଅଭିଯୁକ୍ତ ବଡଭାଇ ସାର୍ତ୍ତିକ ଜାନୀ ଏବେ ମଧ୍ୟ ଫେରାର ରହିଥିବାବେଳେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି। ଖୁବଶୀଘ୍ର ଅଭିଯୁକ୍ତ ସାର୍ତ୍ତିକକୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୃତ କନେଷ୍ଟବଳ ସନ୍ତୋଷ ଜାନୀର ଶବକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଯାଇଥିବାବେଳେ ରିପୋର୍ଟ ଆସିଲା ପରେ ନିଆଁରେ ପୋଡିବା ପୂର୍ବରୁ ତାଙ୍କୁ କିଭଳି ଆକ୍ରମଣ କରାଯାଇଥିଲା ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି।

Comments are closed.