ମାଲକାନଗିରି : ଅଜଣା ରୋଗର ଆତଙ୍କ, ଗାଁରେ ଭୟର ବାତାବରଣ

ନାବାଳକର ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି.୭୫ ଗାଁରେ ଏବେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ରବିବାର ଏହି ଅଜଣା ରୋଗରେ ଜଣେ ନାବାଳକ ପ୍ରାଣ ହରାଇବା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ଡାକ୍ତରୀ ଦଳ ଗାଁରେ ପହଞ୍ଚିଛନ୍ତି ହେଲେ ଲୋକଙ୍କୁ ରୋଗ ନୁହେଁ ବରଂ ଆକସ୍ମିକ କାରଣରରୁ ଦେହ ଖରାପ ହେଉଥିବା ସନ୍ଦେହ କରି ଗାଁ ଲୋକେ ଔଷଧ ଖାଇବା ପରିବର୍ତ୍ତେ ଗାଁ ଠାକୁରାଣୀଙ୍କ ପାଖରେ ପୁଜା କରୁଛନ୍ତି । ଘର ଭିତର ଶଯ୍ୟାରେ ରୋଗୀ ଓ ଘର ବାହାର ବାରଣ୍ଡାରେ ମଧ୍ୟ  ରୋଗୀ ଶୋଇଛନ୍ତି । ଗାଁର ସମସ୍ତେ ରୋଗାକ୍ରାନ୍ତ, ହେଲେ ଏମାନଙ୍କୁ କେଉଁ ରୋଗ ହୋଇଛି ତାହା କେହି ଜାଣି ନାହାନ୍ତି ।

ଗତ ତିନି ଦିନ ଧରି ଲୋକେ ରାତିରେ ଖାଇବା ପରେ ବିଛଣାରେ ଶୋଉଛନ୍ତି ହେଲେ ସକାଳେ କିନ୍ତୁ ଆଉ ବିଛଣାରୁ ଉଠି ପାରୁ ନାହାନ୍ତି । ପ୍ରଥମେ ମୁଣ୍ଡ ବଥା ହେବା ପରେ ଲୋକେ ମୁର୍ଛା ହୋଇ ତଳେ ପଡି ଯାଉଛନ୍ତି । ବିଶେଷ କରି ବାଳକ ଓ ବାଳିକା ମାନେ ହିଁ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଛନ୍ତି । ରୋଗର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବା ବେଳେ ଲୋକଙ୍କୁ କେଉଁ ଏକ ଅଜଣା ରୋଗ ଆକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ତେବେ ଲୋକେ କିନ୍ତୁ ଡାକ୍ତରଖାନା ଯାଉ ନାହାନ୍ତି । କାରଣ ଏମ.ଭି.୭୫ ଗାଁ ଲୋକଙ୍କ କହିବା ଅନୁଯାଇ ସେମାନଙ୍କ ଗାଁରେ ଦେବୀଙ୍କ ପ୍ରକୋପ ପଡିଛି । ତେଣୁ ଯାହା ଉପରେ ଏହି ପ୍ରକୋପ ପଡୁଛି ସିଏ ମୁର୍ଛା ହୋଇ ଯାଉଛି ।

ସେଇଥି ପାଇଁ ଗାଁ ଠାକୁରାଣୀଙ୍କ ପିଠରେ ଏବେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଦେବୀଙ୍କ ପୁଜା ଅର୍ଚ୍ଚନା କଲେ ରୋଗ ଦୂର ହେବ ବୋଲି ଗାଁ ଲୋକେ କହୁଛନ୍ତି । ତେବେ ଏହି ଖବର ପାଇ କାଲିମେଳା ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଲୋକଙ୍କ ଚିକିତ୍ସା ଆରମ୍ଭ କରିଛି । ହେଲେ କିଛି ଲୋକ ଡାକ୍ତରଙ୍କ ପାଖକୁ ଆସୁଥିବା ବେଳେ ଅନେକ ଡାକ୍ତରୀ ଚିକିତ୍ସା ପାଇଁ ଇଚ୍ଛା କରୁନଥିବା କହିଛନ୍ତି ଭ୍ରାମ୍ୟମାଣ ଡାକ୍ତରର ଦଳ । ଗାଁରେ ଅଜଣା ରୋଗର ଆତଙ୍କ ଦେଖା ଦେଇଥିବା ବେଳେ ଲୋକେ ଔଷଧ ପରିବର୍ତ୍ତେ ଗାଁ ଠାକୁରାଣୀଙ୍କ ପିଠରେ ଆଶ୍ରୟ ନେଇଛନ୍ତି ।

Comments are closed.