ମାଲକାନଗିରି ଏବେ ଗଞ୍ଜେଇ ବେପାରୀଙ୍କ ଭୂସ୍ଵର୍ଗ, ୩୦ କ୍ୱିଣ୍ଟାଲ ଗଞ୍ଜେଇ ସହ ୩୪ ଗିରଫ

ମାଲକାନଗିରି: ବର୍ଷ ଆରମ୍ଭରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ ହେବା ଘଟଣା କିଛି ନୂଆ ହୋଇ ନ ଥିଲେ ମଧ୍ୟ ଆଜି (ଶନିବାର) ସ୍ଥାନୀୟ ପୁଲିସକୁ ଏକ ବଡ ସଫଳତା ମିଳିଛି। ପୁଲିସ ଏହି ଘଟଣାରେ ୩ହଜାର କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩୪ ଜଣକୁ ଗିରଫ କରିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଗିରଫ ହୋଇଥିବା ବ୍ୟକ୍ତିମାନେ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରା ପଡିଛନ୍ତି ଏବଂ ସେମାନେ ପଡୋଶୀ ଛତିଶଗଡ଼ରୁ ଆସିଥିବା ସନ୍ଦେହ କରାଯାଉଛି।

ଏସଡ଼ିପିଓ ରିଷିକେଷ ଖିଲାରୀଙ୍କ ନେତୃତ୍ୱରେ ୭୫ଜଣ ପୁଲିସ ଅଧିକାରୀ ସଦଳବଳେ ମାଲକାନଗିରି ଜଙ୍ଗଲରେ ଖାନତଲାସୀ କରିଥିଲେ। କୌଣସି ସୂତ୍ରରୁ ଖବର ପାଇଁ ଜୁନ ୬ତାରିଖ ରାତିରୁ ଏହି ଚଢ଼ାଉ ଆରମ୍ଭ ହୋଇ ଜୁନ ୭ତାରିଖ ପାହାନ୍ତା ପ୍ରହର ଯାଏଁ ଚାଲିଥିଲା। ପୁଲିସ ଚଢ଼ାଉ ଖବର ପାଇ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ମଧ୍ୟରୁ ପ୍ରାୟ ଶହେରୁ ଉର୍ଦ୍ଧ୍ଵ ଖସି ପଳାଇବାରେ ସକ୍ଷମ ହୋଇଥିବା ମାଲକାନଗିରି ଏସପି ଜଗମୋହନ ମୀନା କହିଛନ୍ତି। ଘଟଣାରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଏସପି ମୀନା କହିଛନ୍ତି, ଗିରଫଙ୍କ ମଧ୍ୟରେ ୧୭ଜଣ ମାଲକାନଗିରି, ୧୧ଜଣ ନବରଙ୍ଗପୁର, ୫ଜଣ କୋରାପୁଟରୁ ଏବଂ ଜଣେ ଛତିଶଗଡ଼ର ବୋଲି ଜଣାପଡିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୩କୋଟିରୁ ଅଧିକ ହେବ ବୋଲି ଜଣାପଡିଛି।

୨୦୧୯ ଆରମ୍ଭରୁ ଏପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ୪୮ଟି ଗଞ୍ଜେଇ ଚୋରା ଚାଲାଣ ମାମଲା ପୁଲିସ ଦ୍ୱାରା ପର୍ଦାଫାଶ ହୋଇଥିବା ବେଳେ ୧୦୪ଜଣକୁ ଗିରଫ କରାଯାଇଛି ଓ ସେମାନଙ୍କ ମଧ୍ୟରେ ୩୯ଜଣ ପଡୋଶୀ ରାଜ୍ୟର ବୋଲି ଜଣାପଡିଛି। ସେହିପରି ୨୦୧୮ରେ ମାଲକାନଗିରି ପୁଲିସ ୧୭୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ୧୮୦ ଜଣକୁ ଗିରଫ କରିଥିଲା।

Comments are closed.