୧୫୦ କଇଁଛ ଜବତ

ଏମଭି୭୯: ମାଲକାନଗିରି ଜିଲାରେ କଇଁଛ ସୁରକ୍ଷିତ ନୁହଁନ୍ତି। ଦିନକୁ ଦିନ କଇଁଛ ବେପାରୀଙ୍କ ବେଆଇନ କାରବାର ଚାଲି ରହିଛି। ଆଜି ସ୍ଥାନୀୟ ବନ ବିଭାଗ ଦ୍ବାରା ୧୫୦ କଇଁଛ ଜବତ ହୋଇଛି। ମିଳିଥିବା ଖବର ଅନୁଯାୟୀ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମପିଭି ୬୫ ଗ୍ରାମ ନିକଟ ଏକ ଘଞ୍ଚ ଜଙ୍ଗଲ ଭିତରେ ପଡୋଶୀ ରାଜ୍ୟର ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି କିଛି ଅନ୍ତଃ ରାଜ୍ୟ ବ୍ୟପାରୀ ଓ ସ୍ଥାନୀୟ ଖୁଚୁରା ବେପାରୀ ମଧ୍ୟରେ ଚୋରା କାରବାର ଚାଲିଥିଲା। ଖବର ପାଇ କାଲିମେଳା ବନ ବିଭାଗର ଏକ ସାତ ଜଣିଆ ଦଳ ଗଠନ କରି ହଠାତ ଚଢ଼ଉ କରାଯାଇଥିଲା।

ବେଆଇନ ବିକ୍ରି ଅଭିଯୋଗରେ କଇଁଛ ଜବତ କରିବାରେ ବନ ବିଭାଗ ସଫଳ ହୋଇଛି। କଇଁଛ ବେପାରୀ ବନ ବିଭାଗର ଗାଡିକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରି ଛତ୍ରଭଙ୍ଗ ଦେଇଛନ୍ତି। ବନ ବିଭାଗ କାହାକୁ ଧରିବାରେ ସକ୍ଷମ ହୋଇ ନ ଥିବା ବେଳେ ୧୫୦ ଖଣ୍ଡ ଜୀବନ୍ତ କଇଁଛ ଉଦ୍ଧାର ସହ ଦୁଇଗୋଟି ମଟରସାଇକଲ ଜବତ ହୋଇଛି। ଏହି ଚଢ଼ଉ ସମୟରେ କାଲିମେଳା ଟାଉନ ଫରେଷ୍ଟର ସ୍ବୟମପ୍ରଭା ପ୍ରଧାନ ସମେତ ତେଲାରାଇ ବିଟ ଫରେଷ୍ଟ ଗାର୍ଡ ରାମଚନ୍ଦ୍ର ମାଝି, ଶୁଦ୍ଧାଖୁଣ୍ଟା ବିଟ ଫରେଷ୍ଟ ଗାର୍ଡ ଅନିତା କୁମାରୀ ନାୟକ ଓ ପାରା ଷ୍ଟାଫ ରୁଦ୍ର ହନ୍ତାଳ ଓ ଜୟନ୍ତ କୁମାର ନାୟକ ପ୍ରମୁଖ ଚଢ଼ଉ କରିଥିବା ଜଣାପଡିଛି। ଏକ ମାମଲା ରୁଜୁ କରାଯାଇଛି। କେଉଁ ବେପାରୀ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଠାବ କରାଯିବା ପାଇଁ ବନ ବିଭାଗ ତଦନ୍ତ ଚଳାଇଛି।

Comments
Loading...