ବ୍ୟାଙ୍କ ସେବା ପାଇଁ ୪୫ କିମି ଯାତ୍ରା, ୧୧୧ ମଧ୍ୟରୁ ୯୨ ପଞ୍ଚାୟତରେ ବ୍ୟାଙ୍କ ନାହିଁ

ମାଲକାନଗିରି: ଆଦିବାସୀ ଅଧ୍ୟୁସିତ ମାଲକାନଗିରି ଜିଲାର ଗ୍ରାମାଞ୍ଚଳରେ ଡିଜିଟାଲ୍‍ ବ୍ୟାଙ୍କ ସେବା ଅପହଞ୍ଚ ହୋଇଛି। ମୋବାଇଲ ନେଟୱର୍କ ସେବା ସମ୍ପୂର୍ଣ୍ଣ ବିଫଳ ହୋଇପଡିଛି। ବ୍ୟାଙ୍କ ସେବା ପାଇଁ ଆଦିବାସୀଙ୍କୁ ୪୦ରୁ ୪୫ କିମି ଯିବାକୁ ପଡୁଛି। ମାଲକାନଗିରି ଜିଲାର ୧୧୧ ପଞ୍ଚାୟତ ମଧ୍ୟରୁ ୯୨ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ। ୧୯ ପଞ୍ଚାୟତରେ ବ୍ୟାଙ୍କ ସେବା ରହିଛି। ଜିଲାର ଖଇରପୁଟ, ଚିତ୍ରକୋଣ୍ଡା, ମାଥିଲି, କୋରୁକୋଣ୍ଡା, ମାଲକାନଗିରି, ପଡିଆ, କାଲିମେଳା ଭଳି ସାତ ବ୍ଲକ, ପାଙ୍ଗାମ, ଏମ୍‍ଭି ୮୮, ଏମ୍‍ଭି ୭୯, ଏମ୍‍ଭି ୬୪, ମୋଟୁ, କୁଡୁମୁଲୁଗୁମ୍ମା, ଗୋବିନ୍ଦପାଲ୍ଲୀ, ଏମ୍‍ଭି ୧୭, କୋଟେରୁ ପଞ୍ଚାୟତକୁ ବାଦ ଦେଲେ ଅନ୍ୟ କୌଣସିଠାରେ ବ୍ୟାଙ୍କ ସେବା ଉପଲବ୍ଧ ହୋଇନାହିଁ। ମାଥିଲି ବ୍ଲକର ମହୁପଦର, କର୍ତ୍ତନପାଲ୍ଲୀ, ଆଦି ପଞ୍ଚାୟତରୁ ପ୍ରାୟ ୪୦ରୁ ୪୫ କିଲୋମିଟର ଦୂର ଚାଲି ଚାଲି ଗଲେ ବ୍ୟାଙ୍କ ସେବା ସହ ଖାତା ଖୋଲିବାକୁ ପଡୁଛି। ଚିତ୍ରକୋଣ୍ଡା ବ୍ଲକର ପାପୁଲୁର, କୁର୍ମାନୁର, ପଣସପୁଟ, ଜଡାମ୍ବ, ପାପରମେଟଲା, ରାଲେଗେଡା, ଧୁଳିପୁଟ୍‍, ଜନ୍ତ୍ରୀ, ଅଣ୍ଡ୍ରାପାଲ୍ଲୀ ଆଦି ପଞ୍ଚାୟତ ଲୋକ ବ୍ୟାଙ୍କ ସେବା ପାଇବା ପାଇଁ ପ୍ରାୟ ୫୦ କିଲୋମିଟର ଯାତ୍ରା କରି ଚିତ୍ରକୋଣ୍ଡାକୁ ଆସୁଛନ୍ତି। ବର୍ତ୍ତମାନ ଜଡାମ୍ବ, ପଣସପୁଟକୁ ରାସ୍ତା ହୋଇଥିବା ବେଳ ଅନ୍ୟ ପଞ୍ଚାୟତଗୁଡିକରୁ ଦୈନିକ ଆଠ ଘଣ୍ଟା ଜଳଯାତ୍ରା କରି ଚିତ୍ରକୋଣ୍ଡା ଆସିବାକୁ ପଡୁଛି। ଦ୍ୱିତୀୟ ଦିନ ବ୍ୟାଙ୍କ କାମ କରି ଲଞ୍ଚ ନ ଥିବା ହେତୁ ତୃତୀୟ ଦିନରେ ନିଜ ଗ୍ରାମକୁ ଫେରିବାର ନଜିର ରହିଛି। ବ୍ୟାଙ୍କ ସେବା ପାଇବାକୁ ଆଦିବାସୀ ଲୋକଙ୍କୁ ତିନିଦିନ ଲାଗୁଥିବା ଦୁର୍ଭାଗ୍ୟର ବିଷୟ।

ରାଜ୍ୟ ଓ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ, ମେକ୍‍ଇନ୍‍ ଇଣ୍ଡିଆ ଭଳି ନୂଆ ଡିଜିଟାଲ ଯୁଗର ଆରମ୍ଭ ହୋଇଥିବା କହୁଛନ୍ତି। ମାତ୍ର ମାଲକାନଗିରି ଜିଲାରେ ପ୍ରାୟ ୮ ଲକ୍ଷ ଜନବସତି ଥିବା ବେଳେ ଡିଜିଟାଲ ଦୁନିଆ କ’ଣ ଜାଣି ନାହାନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ଯୋଜନା ରହିଥିବା ବେଳେ ପିଏମ୍‍ଜିଏସଆରୱାଇ, ଇନ୍ଦିରା ଆବାସ, ପ୍ରଧାମନ୍ତ୍ରୀ ଆବାସ, ସରକାରଙ୍କ ମଜୁରୀ ଆଦି ବ୍ୟାଙ୍କଦ୍ୱାରା ନେଣଦେଣ ହେଉଥିବା ବେଳେ ବିପିଏଲ ଚାଉଳଠାରୁ ଆରମ୍ଭ କରି ସମସ୍ତ ଯୋଜନାରେ ହିତାଧିକାରୀଙ୍କ ଟଙ୍କା ବ୍ୟାଙ୍କରେ ପୈଠ କରାଯାଉଛି। ଏଭଳିସ୍ଥିତିରେ ସଚେତନ ନ ଥିବା ଆଦିବାସୀ ବ୍ୟାଙ୍କ ନେଣଦେଣ ସମ୍ପର୍କରେ ଆବଶ୍ୟକ ଜ୍ଞାନ ନ ଥିବା ବେଳେ ଗ୍ରାହକ ସେବା କିଭଳି ପାଉଥିବେ ତାହା ସହଜରେ ଅନୁମାନ କରି ହେବ। ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ କୌଣସି ଅଣବ୍ୟାଙ୍କିଂ କିମ୍ବା ଅନ୍ୟ ବ୍ୟାଙ୍କିଂ ସଂସ୍ଥାଗୁଡିକ ରାଜି ହେଉ ନ ଥିବା ଜଣାପଡିଛି। ଅନ୍ୟପକ୍ଷରେ ସାତ ବ୍ଲକ ଛାଡିଦେଲେ ଅନ୍ୟ କୌଣସିଠାରେ ମୋବାଇଲ ନେଟୱର୍କ ନାହିଁ। ପ୍ରାୟ ୫୦ଟି ପଞ୍ଚାୟତରେ ମୋବାଇଲ ସେବା ଅପହଞ୍ଚ ହୋଇଛି। ମାଥିଲି, କାଲିମେଳା, ପଡିଆ ବ୍ଲକର ଅଧାରୁ ଅଧିକ ପଞ୍ଚାୟତରେ ମୋବାଇଲ ସେବା ନ ଥିବାରୁ ବ୍ୟାଙ୍କ କାର୍ଯ୍ୟ ଠପ ହେଉଛି। କିଛି ସ୍ଥାନରେ ଖୋଲା ଯାଇଥିବା ଗ୍ରାହକ ସେବା କେନ୍ଦ୍ରରେ ଗ୍ରାହକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ଏପରିସ୍ଥଳେ ବ୍ୟାଙ୍କରେ ଶତାଧିକ ଆଦିବାସୀ ନିଜ ପିଲାଛୁଆକୁ ଧରି ଘଣ୍ଟା ଘଣ୍ଟା ଛିଡା ହେଉଛନ୍ତି। ଦୁର୍ଗମ ପଞ୍ଚାୟତବାସୀ ପାଦରେ ୨୦ରୁ ୩୦ କିମି ଚାଲି ଚାଲି ବ୍ୟାଙ୍କ ନିକଟକୁ ଆସୁଛନ୍ତି।

Comments are closed.