୧୭ବର୍ଷ ପରେ ଜଡ଼ାମ୍ବରେ ଜିଲାପାଳଙ୍କ ପାଦ ପଡ଼ିଲା

ମଟରସାଇକଲରେ ବୁଲି ଲୋକଙ୍କ ସମସ୍ୟା ବୁଝିଲେ

ମାଲକାନଗିରି(ସ.ପ୍ର)/ଚିତ୍ରକୋଣ୍ଡା : ଏକଦା ମାଓବାଦୀଙ୍କ ଗଡ଼ କୁହାଯାଉଥିବା ଆଦିବାସୀ ଅଧ୍ୟୁସିତ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳର ଜଡାମ୍ବରେ ପ୍ରଥମ ଥର ପାଇଁ ଜିଲାପାଳଙ୍କ ପାଦ ପଡିଛି। ମାଲକାନଗିରି ଜିଲାପାଳ ମନିଷ ଅଗ୍ରବାଲ ଆଜି ମଟରସାଇକଲରେ ସ୍ୱାଭିମାନ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରିବୁଝିଛନ୍ତି। ସ୍ମରଣଯୋଗ୍ୟ ଯେ ଗୁରୁପ୍ରିୟା ସେତୁ ନିର୍ମାଣ ପୂର୍ବରୁ କେବଳ ୨୦୦୩ ମସିହାରେ ପୂର୍ବତନ ଜିଲାପାଳ ମନିଷ ମୁଦଗିଲ ସେଦିନର ବିଛିନ୍ନାଞ୍ଚଳ ବା ବର୍ତ୍ତମାନର ସ୍ୱାଭିମାନ ଅଞ୍ଚଳ ଜଡାମ୍ବ ଗସ୍ତ କରିଥିଲେ। ମୁନିଷ ମୁଦଗିଲଙ୍କ ପରେ କୌଣସି ଜିଲାପାଳ ଓ ଜିଲାସ୍ତରୀୟ ଅଧିକାରୀଙ୍କ ପାଦ ଜଡାମ୍ବରେ ପଡି ନ ଥିଲା। ଦୀର୍ଘ ୧୭ ବର୍ଷ ପରେ ଆଜି ବର୍ତ୍ତମାନର ମାଲକାନଗିରି ଜିଲାପାଳ ଶ୍ରୀ ଅଗ୍ରବାଲ ମଟରସାଇକଲ ଯୋଗେ ସ୍ୱାଭିମାନ ଅଞ୍ଚଳର ଜଡାମ୍ବ ପଞ୍ଚାୟତ ଗସ୍ତ କରିଥିଲେ। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଜଡାମ୍ବକୁ ସିଧାସଳଖ ଯୋଗାଯୋଗ ସମ୍ଭବ ହୋଇପାରିଛି। ଜିଲାପାଳ ଶ୍ରୀ ଅଗ୍ରବାଲ ମଟରସାଇକଲରେ ବୁଲି ସେଠାକାର ଲୋକଙ୍କ ସମସ୍ୟା ବୁଝିଛନ୍ତି। ସେ ଜଡାମ୍ବ ପଞ୍ଚାୟତ କାର୍ଯ୍ୟାଳୟଠାରେ ସ୍ତାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଆଦିବାସୀ ସେମାନଙ୍କ ସମସ୍ୟାର ଲମ୍ବା ତାଲିକା ଜିଲାପାଳଙ୍କୁ ଦେଖାଇଥିଲେ। ବିଶେଷ କରି ଶିକ୍ଷା, ଓ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି। ଡାକ୍ତରର ଅଭାବ, ଆମ୍ବୁଲାନ୍ସ ସେବା, ପଶୁ ଡାକ୍ତରଖାନା ନିର୍ମାଣ ସହ ନୂତନ ଶିକ୍ଷକ ନିଯୁକ୍ତି, ଜରାଜୀର୍ଣ୍ଣ ବିଦ୍ୟାଳୟଗୁଡିକର ମରାମତି, କୃଷକଙ୍କ ସର୍ବନିମ୍ନ ମଜୁରି, ବେକାର ଯୁବକଯୁବତୀଙ୍କୁ ନିଯକ୍ତି, ଅତ୍ୟାବଶ୍ୟକ ଦ୍ରବ୍ୟର ସୁଲଭ ମୂଲ୍ୟ ସହ ସୂଚାରୁ ରୂପେ ପରିଚାଳନା, ବିଦ୍ୟୁତ୍‍ ଟ୍ରାନ୍ସଫର୍ମର ଯୋଗାଇବା, ପଞ୍ଚାୟତର ସମସ୍ତ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ, ଜଡାମ୍ବ ଓ ପଣସପୁଟ ଦେଇ କୋରାପୁଟ ଜିଲାକୁ ସିଧାସଳଖ ରାସ୍ତା ନିର୍ମାଣ, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଭଳି ବହୁ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଆଦିବାସୀ ଅବଗତ କରାଇଥିଲେ। ଜଡାମ୍ବ ଅଞ୍ଚଳରେ ପାଇଖାନା ନିର୍ମାଣରେ ଠକେଇ ହୋଇଥିବା ଅଭିଯୋଗ କରାଯାଇଥିଲା। ଜିଲାପାଳଙ୍କ ଗସ୍ତ ପୂର୍ବରୁ ତରବରିଆ ଭାବେ ଠିକାଦାର ଆଜି ସକାଳୁ କିଛି ପାଇଖାନା ନିର୍ମାଣ କରିଥିବା ନେଇ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ଅଞ୍ଚଳରେ ଆହୁରି ପ୍ରଗତି କରିବା ସହ ଲୋକଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଯୋଜନା କରାଯାଇଛି। ଏ ନେଇ ଲୋକଙ୍କୁ ଅବଗତ କରାଇବା ସହ ଯେକୌଣସି ସମସ୍ୟା ଆସିଲେ ସିଧାସଳଖ ବ୍ଲକ ଓ ଜିଲା ପ୍ରଶାସନ ସହ ଯୋଗାଯୋଗ କରିବାକୁ ଜିଲାପାଳ ଲୋକଙ୍କୁ କହିଥିଲେ। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳର ସମସ୍ତ ପଞ୍ଚାୟତକୁ ସିଧାସଳଖ ଯୋଗାଯୋଗ ସମ୍ଭବ ହୋଇଛି। ପ୍ରାୟ ୬୦ ବର୍ଷର ଜଳବନ୍ଦୀ ଜୀବନରୁ ମୁକ୍ତି ମିଳିଥିବା ଜଡାମ୍ବ ପଞ୍ଚାୟତବାସୀ ଜିଲାପାଳଙ୍କୁ କହିଥିଲେ। ସମ୍ପୂର୍ଣ୍ଣ ମାଓବାଦୀଙ୍କ ଗଡ଼ରେ ଜିଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ବୃଦ୍ଧବୃଦ୍ଧା ପେନସନ୍‍, ଇନ୍ଦିରା ଆବାସ, ସାଧାରଣ ବଣ୍ଟନ ବ୍ୟବସ୍ଥା, ମନରେଗା ଯୋଜନା, ମତ୍ସ୍ୟ ଚାଷ ପାଇଁ ପ୍ରୋତ୍ସାହନ, କୃଷି ନିମନ୍ତେ ହଳଦୀ ଓ ଅଦା ଚାଷ ପାଇଁ ପ୍ରୋତ୍ସାହନ, ମାଣ୍ଡିଆ ଭଳି ଶସ୍ୟ ଜାତୀୟ ଫସଲରେ ଉଚିତ ମୂଲ୍ୟ ଯେପରି ଲୋକେ ପାଇପାରିବେ, ସେଥିପାଇଁ ସ୍ଥାନୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦେଶ ଦେଇଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ବିଏସଏଫ ଓ ଅନ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ସମ୍ପୂର୍ଣ ସୁରକ୍ଷା ଯୋଗାଇ ଦିଆଯାଇଥିଲା।

Comments are closed.