ମାଲକାନଗିରିର ୨୮ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର

ଡେସ୍କ: ୨୦୨୧ – ୨୨ ବର୍ଷ ପାଇଁ ମାଲକାନଗିରି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୨୮ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଛି କାୟାକଳ୍ପ ପୁରସ୍କାର। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଥମ ପୁରସ୍କାର ସହ ୫୦ ଲକ୍ଷ ଟଙ୍କା ମିଳିଥିବା ବେଳେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।

ପାଣ୍ଡ୍ରିପାଣି, ଖଇରପୁଟ, କାଲିମେଳା, ପଡ଼ିଆ, ମାଥୁଲି ଏବଂ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିବା ବେଳେ ଏମଭି – ୭୯ ସ୍ୱାସ୍ଥ୍ୟକେନ୍ଦ୍ରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ କାୟାକଳ୍ପ ପୁରସ୍କାର ସ୍ୱରୂପ କେତେକ ଉପସ୍ୱାସ୍ଥ୍ୟକେନ୍ଦ୍ରକୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ୮ଟି ମାନଦଣ୍ଡ ଆଧାରରେ ଏହି କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ, ସ୍ୱାସ୍ଥ୍ୟ ଏବଂ ପରିମଳ, ସହାୟକ ସେବା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ ଏବଂ ପ୍ରକୃତି ମିତ୍ର ଆଦି ମାନଦଣ୍ଡ ରହିଥିଲା।

Comments are closed.