ମାଲକାନଗିରି ଉତ୍ତପ୍ତ ସହର

୪ ସହରରେ ପାରଦ ୪୦ ଡିଗ୍ରୀ,- ଦୁଇଦିନ କାଳବୈଶାଖୀ,-୨ ଡିଗ୍ରୀ ତାପମାତ୍ରା କମିବ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଉଛି। ଉପକୂଳ, ପଶ୍ଚିମ, ଉତ୍ତର ଏବଂ ଅାଭ୍ୟନ୍ତରୀଣ ଜିଲା ଗୁଡିକରେ ପାରଦ ତଳମୁହଁା ହୋଇଛି। ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ତଥାପି ୪ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ସବୁଠୁ ଅଧିକ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି। ପୁଣି ମାଲକାନଗିରି ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଟିଟିଲାଗଡ, ବଲାଙ୍ଗୀର ଏବଂ ସୁନ୍ଦରଗଡରେ ପାରଦ ୪୦ ଡିଗ୍ରୀ ରହିଛି। ଭୁବନେଶ୍ବରରେ ୩୭.୪, କଟକରେ ୩୬, ଝାରସୁଗୁଡାରେ ୩୯.୬, ବାରିପଦାରେ ୩୯, ସମ୍ବଲପୁରରେ ୩୯.୯ ଏବଂ ଭବାନୀପାଟଣାରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ଦିଆଯାଇଛି। ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇଦିନ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ହେବ। ରବିବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡା, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ ଏବଂ ଦେବଗଡ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ଥାନରେ ବିଜୁଳି ଘଡଘଡି ସହିତ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ। ତେବେ ଶନିବାର ଫୁଲବାଣୀରେ କାଳବୈଶାଖୀ ଜନିତ ବର୍ଷା ସର୍ବାଧିକ ୧୬ ମିମି ହୋଇଥିବା ବେଳେ ଦାରିଙ୍ଗବାଡିରେ ୬ ମିମି ଏବଂ କେନ୍ଦୁଝରରେ ୦.୭ ମିମି ବର୍ଷା ହୋଇଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି। ଆଗକୁ ୩ଦିନ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ବଢିବ।

Comments are closed.