ମାଲକାନଗିରି ଉତ୍ତପ୍ତ ସହର, ୬ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟର ସର୍ବାଧିକ ତାପମାତ୍ରା କ୍ଷେତ୍ରରେ ଗତକାଲି ମାଲକାନଗିରିରେ ସବୁଠୁ ଅଧିକ ଦିନ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ଫଳରେ ରାଜ୍ୟର ଉତ୍ତପ୍ତ ସହର ମାଲକାନଗିରି ପାଲଟିଛି। ବାରିପଦା ଏବଂ ଭୁବନେଶ୍ବରରେ ମଧ୍ୟ ଅନୁରୂପ ଭାବେ ତାପମାତ୍ରା ବଢ଼ିଛି। ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୮.୯ ଏବଂ ବାରିପଦାରେ ୩୮.୮ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ରାଜ୍ୟରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ବରଗଡ, ନୂଆପଡା, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡା ଜିଲାରେ କାଳବୈଶାଖୀ ରହିଛି। ଏହି ସମୟରେ ସମ୍ଭାବ୍ୟ ଅଧିକ ବଜ୍ରପାତ ଏବଂ ବର୍ଷାକୁ ଲକ୍ଷ୍ୟ କରି ପାଣିପାଗ କେନ୍ଦ୍ର ବରଗଡ, ନୂଆପଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ଯାଜପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଉପରୋକ୍ତ ଜିଲାବାସୀ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ସୋମବାର ମଧ୍ୟ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ବଲାଙ୍ଗୀର, ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ସୁନ୍ଦରଗଡରେ ୧୭ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ଫୁଲବାଣୀ ଓ ବୌଦ୍ଧରେ ୧୮ ଡିଗ୍ରୀ ରହିଛି। ଅନ୍ୟାନ୍ୟ ସ୍ଥାନଗୁଡିକରେ ପାରଦ ୧୯ରୁ ୨୭ ଡିଗ୍ରୀ ମଧ୍ୟରେ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.