ଜିଲାସ୍ତରୀୟ ବିପ୍ଳବୀ ଧରଣୀଧରଙ୍କ ଜୟନ୍ତୀ ; ଧରଣୀଧର ଥିଲେ ଗର୍ବ ଓ ଗୌରବର ପ୍ରତୀକ

ଜନ୍ମସ୍ଥାନ କୁସୁମିତା ହେବ ଆଦର୍ଶ ଗ୍ରାମ, ବିପ୍ଳବୀଙ୍କ ନାମରେ ନାମିତ ହେଲା ରାଇସୁଆଁ-କୁସୁମିତା ରାସ୍ତା

ସ୍ୱର୍ଗତଃ ଅନ୍ଧାରୁ ପ୍ରଧାନଙ୍କୁ ମରଣୋତ୍ତର ଧରଣୀଧର ସମ୍ମାନ

କେନ୍ଦୁଝରଗଡ଼ : ମହାନ ବିପ୍ଳବୀ ଧରଣୀଧରଙ୍କ ୧୫୯ତମ ଜିଲାସ୍ତରୀୟ ଜୟନ୍ତୀ ସମାରୋହ ଶୁକ୍ରବାର ଜିଲା ପ୍ରଶାସନ ଆନୂକୁଲ୍ୟରେ ଏବଂ ଭୂୟାଁ ସାଂସ୍କୃତିକ ସଙ୍ଗଠନ କେନ୍ଦୁଝର ଓ ଧରଣୀଧର ଆଞ୍ଚଳିକ ବିକାଶ ପରିଷଦ କୁସୁମିତା ମିଳିତ ସହଯୋଗରେ ପାଳିତ ହୋଇଯାଇଛି ।

ଏହି ଅବସରରେ ବିପ୍ଳବୀ ଧରଣୀଧରଙ୍କ ଜନ୍ମସ୍ଥାନ କୁସୁମିତା ଗ୍ରାମର ଉପର କୁସୁମିତାସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିପ୍ଳବୀ ଧରଣୀଧର କେନ୍ଦୁଝର ଜିଲାର ଗର୍ବ ଓ ଗୌରବ, ସ୍ପର୍ଦ୍ଧା ଓ ସ୍ୱାଭିମାନର ପ୍ରତୀକ ବୋଲି କହିଥିଲେ। ଇଂରେଜ ସମର୍ଥିତ ରାଜତନ୍ତ୍ରର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଧରଣୀଧରଙ୍କ ସଂଗ୍ରାମ ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଲୋକସଭା ସଦସ୍ୟା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ତେଲକୋଇ ବିଧାୟକ ଇଂପ୍ରେମାନନ୍ଦ ନାୟକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ, କେନ୍ଦୁଝର ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧରଣୀଧରଙ୍କୁ ଅତ୍ୟାଚାରିତ ସମାଜର ତ୍ରାଣକର୍ତ୍ତା ଭାବେ ବର୍ଣ୍ଣନା କରିବା ସହିତ ଇଂରେଜ ସମର୍ଥିତ ରାଜତନ୍ତ୍ରର ଅନ୍ୟାୟ, ଅନୀତି, ବେଠି, ବ୍ୟଭିଚାର ଏବଂ ପ୍ରଜାବିରୋଧି ଶାସନ ବିରୋଧରେ କିପରି ଆଦିବାସୀମାନଙ୍କୁ ସଙ୍ଗଠିତ କରି ବିପ୍ଲବ କରିଥିଲେ ତାହା ଅବତାରଣା କରିଥିଲେ । ଜନଜାତିମାନଙ୍କର ବିକାଶ ସହିତ ଧରଣୀଧରଙ୍କ ଜନ୍ମସ୍ଥାନ କୁସୁମିତା ଅଞ୍ଚଳର ସାମଗ୍ରିକ ବିକାଶ ଉପରେ ଅତିଥିଗଣ ଗୁରୁତ୍ୱାରୋପ କରିଥିଲେ।


ଜିଲାପାଳ ଶ୍ରୀ ଠାକରେ ସଭାପତିତ୍ୱ ଅଭିଭାଷଣରେ ଧରଣୀଧରଙ୍କ ଜନ୍ମସ୍ଥାନ କୁସୁମିତା ଅଞ୍ଚଳର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି କହିଥିଲେ । ଡିଏମଏଫ୍‌‌ ସହଯୋଗରେ ରାଇସୁଆଁଠାରୁ କୁସୁମିତା ପର୍ଯ୍ୟନ୍ତ ରାସ୍ତାକୁ ପାହାଡ କାଟି ସୁନ୍ଦର ରାସ୍ତାର ନିର୍ମାଣ ସହ ଏହି ରାସ୍ତାକୁ ବିପ୍ଳବୀ ଧରଣୀଧରଙ୍କ ନାମରେ ନାମିତ କରାଯାଇଛି ବୋଲି ଜିଲାପାଳ କହିଥିଲେ । କୁସୁମିତା ଗ୍ରାମରେ ଏକ ପ୍ରମୋଦ ଉଦ୍ୟାନର ନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିବା ସହିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ୫-ଟି ଉପକ୍ରମରେ କରାଯାଇଛି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଚାଳିତ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଅତିଶିଘ୍ର ଶେଷ ହେବ ବୋଲି ମଧ୍ୟ ଜିଲାପାଳ କହିଥିଲେ। ଏତଦ୍ବ୍ୟତୀତ କୁସୁମିତାଠାରେ ମୋବାଇଲ୍ ନେଟ୍ୱାର୍କ୍ ବ୍ୟବସ୍ଥା ଅତିଶୀଘ୍ର ଉପଲବ୍ଧ ହେବା ସହ କୁସୁମିତାକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରାଯିବ ବୋଲି ଜିଲାପାଳ କହିଥିଲେ। ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ବିପ୍ଳବୀ ଧରଣୀଧରଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଭୂୟାଁ ସାଂସ୍କୃତିକ ସଙ୍ଗଠନ କେନ୍ଦୁଝରର ସଭାପତି ହରିଶଙ୍କର ନାଏକ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ନାଏକ ବିବରଣୀ ଉପସ୍ଥାପନ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର ବାରିକ ଅତିଥି ପରିଚୟ ପ୍ରଦାନ ସହ ସମାରୋହକୁ ସଂଯୋଜନା କରିଥିଲେ । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ ତପନ କୁମାର ନାଏକ ନିଜ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦୁଝର ଡିଏଫଓ ଧନରାଜ ଏଚ୍.ଡି., ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ୍, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଭୂୟାଁ ସର୍ଦ୍ଦାର କୁଞ୍ଜ ଦେହୁରୀ, ଧରଣୀଧର ଆଞ୍ଚଳିକ ବିକାଶ ସମିତି ସଭାପତି ନିଶାକର ନାଏକ ଏବଂ ବିପ୍ଳବୀ ଧରଣୀଧରଙ୍କ ଦାୟାଦ ଭୂୟାଁ ସର୍ଦ୍ଦାର କଳାକାର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ।ଧରଣୀଧରଙ୍କ ଜୀବନାଦର୍ଶର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାଂଶପାଳ ବ୍ଲକ କୁଶକଳା ଗ୍ରାମର ସ୍ୱର୍ଗତ ଅନ୍ଧାରୁ ପ୍ରଧାନଙ୍କୁ ମରଣୋତ୍ତର ‘ଧରଣୀଧର ସମ୍ମାନ’ ସ୍ୱର୍ଗତ ପ୍ରଧାନଙ୍କ ପତ୍ନୀ ଶ୍ରୀମତୀ ଅପର୍ଣ୍ଣା ନାଏକ ଏହି ସମ୍ମାନ ଗ୍ରହଣ କରିଥିଲେ । ଏତଦବ୍ୟତୀତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଜନଜାତି ବର୍ଗର ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୨୨ ମସିହା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ କେନ୍ଦୁଝର ଜିଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ଜନଜାତି ବର୍ଗର ଛାତ୍ରଛାତ୍ରୀ, ଭୂୟାଁ ବର୍ଗର ଛାତ୍ରଛାତ୍ରୀ, +୨ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ, ୫ଜଣ ଅଗ୍ରଣୀ ଚାଷୀ, ଜଣେ ଉଦ୍ୟୋଗୀ, ୬ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓରମାସ୍ର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ସପନ ଗୋସ୍ୱାମୀ, ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଡିପିଏମ ମିଶନ ଶକ୍ତି ଶିଶିର ଷଡଙ୍ଗୀ, ଭୂୟାଁ ସାଂସ୍କୃତିକ ସଙ୍ଗଠନର କର୍ମକର୍ତ୍ତା ଏବଂ ଧରଣୀଧର ଆଞ୍ଚଳିକ ବିକାଶ ପରିଷଦ କୁସୁମିତାର କର୍ମକର୍ତ୍ତା ସମାରୋହ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ବିପ୍ଳବୀ ଧରଣୀଧର ଜୟନ୍ତୀ ପାଳନ ଅବସରରେ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ଅତିଥିଗଣ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.