ଆଲର୍ଟରେ ମାଲକାନଗିରି, ବାତ୍ୟା ଅସାନି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସ୍ଥାନାନ୍ତର ହେବେ ଅସୁରକ୍ଷିତ ଘରେ ରହୁଥିବା ଲୋକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ

ମାଲକାନଗିରି: ବାତ୍ୟା ‘ଅସାନି’ ପାଇଁ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅସୁରକ୍ଷିତ ଘରେ ରହୁଥିବା ଲୋକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମମାନଙ୍କୁ ଅସୁରକ୍ଷିତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। କଚା ଘରେ ବାସ କରୁ ଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସବୁ ବ୍ଲକମାନଙ୍କରେ ଅଧିକାରୀମାନେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ଡ଼ିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କୁ ଚିତ୍ରକୋଣ୍ଡା ବ୍ଲକ, ଅତିରିକ୍ତ ଜିଲ୍ଲାପାଳଙ୍କୁ କାଲିମେଳା ବ୍ଲକରେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଆସନ୍ତାକାଲି ମାଇକରେ ପ୍ରଚାର ସହ ଅସହାୟ ଲୋକମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିବା ଜଣାପଡିଛି।

Comments are closed.