ମାଲକାନଗିରି ବିଜାଘାଟିରେ ଦୁର୍ଘଟଣା: ୧ ମୃତ, ୨ ଗୁରୁତର

ମାଲକାନଗିରି ଜିଲ୍ଲା ଜୟପୁର ମାଲକାନଗିରି ମୁଖ୍ୟ ସଡକର ବିଜାଘାଟି ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଆଜି ଏକ ବାଲି ବୋଝେଇ ଟ୍ରାକ୍ଟର ପାଣ୍ଡରିପାଣିରୁ ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ବିଜାଘାଟି ନିକଟରେ ଥିବା ଝାଟିଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ତେବେ ଏହି ସମୟରେ ଟ୍ରାକ୍ଟରରେ ଡ୍ରାଇଭର ସମେତ ଦୁଇଜଣ ଶ୍ରମିକ ମଧ୍ୟ ଥିଲେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଟ୍ରାକ୍ଟରଟି ସମ୍ପୂର୍ଣ ଓଲଟି ପଡିଥିଲା। ଗାଡିରେ ଥିବା ଡ୍ରାଇଭର ଓ ଅନ୍ୟ ଦୁଇ ଶ୍ରମିକ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ।

ତେବେ ଚିକିତ୍ସା ଜାରି ରହିଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ହେଉଛି ମହେଶ୍ଵର ସମରଥ ଏବଂ ତାର ଘର ବଙ୍ଗଳାଗୁଡା ଗ୍ରାମରେ। ଅନ୍ୟ ଦୁଇଜଣ ଆହତ ହେଉଛନ୍ତି ଡ୍ରାଇଭର ସୁବାସ ସମରଥ ଓ ବୁଦୁ ଯାନୀ। ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Comments are closed.