ଜିଲାପାଳଙ୍କ ପିଏ ମୃତ୍ୟୁକୁ ନେଇ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ: ମାଲକାନଗିରି ଜିଲା ବନ୍ଦ, ଗାଡ଼ି ଚଳାଚଳ ଠପ୍‌

ମାଲକାନଗିରି: ମାଲକାନଗିରି ଜିଲାପାଳଙ୍କ ପିଏ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ପିଏଙ୍କ ମୃତ୍ୟୁ ପାଇଁ ଜିଲାପାଳ ଦାୟୀ ଏବଂ ତାଙ୍କୁ ଗିରଫ କରିବାକୁ କଂଗ୍ରେସ ଦାବି କରି ଶୁକ୍ରବାର ବନ୍ଦ ଡାକରା ଦେଇଛି। ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନେତୃତ୍ଵରେ ଦଳ ପକ୍ଷରୁ ଜିଲାରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏଥିପାଇଁ ଜିଲାର ବିଭିନ୍ନ ଅଞ୍ଚଳରେ ଦୋକାନବଜାର ବନ୍ଦ ରହିଥିବାବେଳେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ସୂଚନା ଅନୁସାରେ କାଲିମେଳା ବ୍ଲକ ସଦରରେ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦଙ୍କ ନେତୃତ୍ଵରେ ରାସ୍ତାରୋକୋ ଆନ୍ଦୋଳନ ଚାଲିଛି। ସକାଳୁ କୌଣସି ଦୋକାନ ବଜାର ଖୋଲି ନ ଥିବାବେଳେ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି। ବନ୍ଦକୁ ଜନସାଧାରଣ ସ୍ବତଃପ୍ରବୃତ୍ତ ଭାବେ ସମର୍ଥନ କରିଥିବା କଂଗ୍ରେସ କହିଛି। ସେହିପରି ଅନ୍ୟାନ୍ୟ ବ୍ଲକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ଜିଲାପାଳ ଦୁର୍ନୀତିଗ୍ରସ୍ତ, ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ। ଅନ୍ୟପଟେ କଂଗ୍ରେସର ଅଭିଯୋଗ ସମ୍ପର୍କରେ ଜିଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.