ରାଜନେତାଙ୍କ ମଧ୍ୟରେ ମତାନ୍ତର, ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ

ମାଲକାନଗିରି: ଗ୍ରାମାଂଚଳର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ରାସ୍ତାଘାଟ, ପାନୀୟ ଜଳ, ଭଳି ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସ୍ୱତନ୍ତ୍ର ପ୍ରକଳ୍ପ ଗୁଡିକ ପ୍ରତ୍ୟେକ ପଂଚାୟତ ସମିତି ମାଧ୍ୟମରେ ଉନ୍ନତିକରଣ ନିମନ୍ତେ ଡିଜାଇଥିଲେ ମଧ୍ୟ ରାଜନେତାଙ୍କ ମଧ୍ୟରେ ମନାନ୍ତର ଯୋଗୁଁ ଏହା ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ବ୍ଲକରେ। ଏହି ବ୍ଲକ ନିମନ୍ତେ ରାଜ୍ୟ ସରକାରଙ୍କ ଚିଠି ସଂଖ୍ୟା ୯୧୨୨, ୪୧୧୨, ୯୧୧୪ ପ୍ରକାରେ ରାଜ୍ୟ ସରକାରଙ୍କ ପଂଚମ ଅର୍ଥ କମିଶନ ଜରିଆରେ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଉନ୍ନୟନ ପ୍ରକଳ୍ପର ବ୍ୟୟ ବରାଦ କରା ଯାଇଛି। ତେବେ ଏହି ଉନ୍ନୟନ କାର୍ଯ୍ୟ ନିମନ୍ତେ ଗତ ଦୁଇମାସ ଧରି ମାଲକାନଗିରି ବ୍ଲକରେ ତୁଙ୍ଗ ନେତାଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି।

ଏହି ପ୍ରକଳ୍ପଗୁଡିକ ଭିନ୍ନ ଭିନ୍ନ ଅଂଚଳର କନିଷ୍ଠ ଯନ୍ତ୍ରୀଙ୍କ ନାମରେ ରହିଥିବା ବେଳେ ରାଜନେତାମାନେ ମନମୁଖୀ ଭାବେ ନିଜ ନିଜ କର୍ମୀଙ୍କ ନାମରେ ସୁପାରିଶ କରୁଛନ୍ତି। ଯଦ୍ୱାରା କନିଷ୍ଠ ଯନ୍ତ୍ରୀମାନେ କୌଣସି କାର୍ଯ୍ୟ କରି ନ ପାରି କାଠ କଣ୍ଢେଇ ସଦୃଶ ଥିବା ବେଳେ ମାଲକାନଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ ନିରବଦ୍ରଷ୍ଟା ସାଜି ବସିଛନ୍ତି। ଅନ୍ୟ ଦିଗରେ ପ୍ରକଳ୍ପକୁ ନେଇ ଭିନ୍ନ ଭିନ୍ନ ରାଜନେତାଙ୍କ ମଧ୍ୟରେ ଟଣା ଓଟରା ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ଗୌଡଗୁଡା ପଂଚାୟତ ଅନ୍ତର୍ଗତ ନିଲିମାରି ଗ୍ରାମରେ ଏକ ରାସ୍ତା ଓ କଲଭର୍ଟ ନିର୍ମାଣ ନିମନ୍ତେ ୫ ଲକ୍ଷ ଟଙ୍କାର ପ୍ରକଳ୍ପ ରହିଛି। ଏହି କାର୍ଯ୍ୟ ନିମନ୍ତେ ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଜଣଙ୍କ ନାମରେ ସୁପାରିଶ କରିଥିବା ବେଳେ ଗୌଡଗୁଡା ଗ୍ରାମ ପଂଚାୟତର ସମିତି ସଭ୍ୟ ଅନ୍ୟ ଜଣଙ୍କ ନାମରେ ସୁପାରିଶ କରିଛନ୍ତି। ଇତି ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତୃତୀୟ ଜଣଙ୍କ ନାମରେ ସୁପାରିଶ କରିଥିବା ଗୌଡଗୁଡା ନାଏବ ସରପଂଚ ପ୍ରକାଶ କରିଛନ୍ତି। ତେବେ ଗୋଟିଏ ପ୍ରକଳ୍ପ ନିମନ୍ତେ ତିନିଜଣ ରାଜନେତା ତିନିଜଣଙ୍କ ନାମରେ ସୁପାରିଶ କରୁଥିବା ବେଳେ ଉନ୍ନୟନ କାର୍ଯ୍ୟ ବାଧକ ସାଜିଛି।

ଏ ସମ୍ପର୍କରେ ମାଲକାନଗିରି ବ୍ଲକର ବିଜେଡି ବରିଷ୍ଠ ନେତା ଦାନିଏଲ ପଟ୍ଲାଙ୍କୁ ପଚାରିବାରୁ ଏଭଳି ହେବାକଥା ନୁହା। ଏହା ଲୋକ ସମାଜ ପାଇଁ ଏକ ନିନ୍ଦନୀୟ ଘଟଣ।। ଏ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକୃତରେ ଏହି ୨ କୋଟି ଟଙ୍କାର ପ୍ରକଳ୍ପ କନିଷ୍ଠ ଯନ୍ତ୍ରୀମାନଙ୍କ ନାମରେ ଥିବା ବେଳେ ରାଜନେତାମାନେ କିପରି ଏହି କାର୍ଯ୍ୟକୁ ସୁପାରିଶ କରୁଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ ନିମନ୍ତେ ସାଧାରଣରେ ଦାବି ହେଉଛି।

Comments are closed.